ରୁପ୍ସା/ଦରଡ଼ା: ବସ୍ତା ବ୍ଲକ୍ ମୁକୁଳୁସି-ଦୁନ୍ଦଠାରେ ଚନ୍ଦନ ଉତ୍ସବର ହୀରକ ଜୟନ୍ତୀ ପାଳନ ହେଉଛି। ଏହି ଉତ୍ସବ ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୩ ତାରିଖ ଯାଏ ଚାଲିବ। ଉତ୍ସବ ଅବସରରେ ମେଳା ବସିଛି। ଯେଉଁଠି ୫୦୦ରୁ ଅଧିକ ବିଭିନ୍ନ ପ୍ରକାରର ଦୋକାନ ଖୋଲିଛି। ସେହିପରି ପ୍ରତିଦିନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଛି। ଶହଶହ ଦର୍ଶକ ତଥା କଳାପ୍ରେମୀ ଏହାର ଆନନ୍ଦ ନେଉଛନ୍ତି। ତେବେ ଏହି ଅବସରରେ ଚନ୍ଦନ କମିଟି ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା।
ଏଥିରେ ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସ ଯୋଗ ଦେଇ ଗୋଡ଼ରେ ସୁନ୍ଦର ଚିତ୍ର ଆଙ୍କି ବସ୍ତା ଅଞ୍ଚଳ ପାଇଁ ଗୌରବ ଆଣିଥିବା କୁସିଦା ଗ୍ରାମର ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ନୀଳିମା ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଛାତ୍ରୀ ରାଜେଶ୍ୱରୀ ନନ୍ଦିତା ଦାସ ପାଇଥିବା ବୃତ୍ତି ଟଙ୍କା ନୀଳିମାଙ୍କୁ ସାହାଯ୍ୟ ଦେବା ସହ ଚିତ୍ରାଙ୍କନ ପାଇଁ ଆବଶ୍ୟକ ରଙ୍ଗ ଓ ତୁଳୀ ପ୍ରଦାନ କରିଥିଲେ। ରାଜେଶ୍ବରୀଙ୍କ ଏପରି କାମ ପାଇଁ ଲୋକମାନେ ତାଙ୍କୁ ସାଧୁବାଦ ଜଣାଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ଉତ୍ସବ କମିଟିର ସଭାପତି ଲକ୍ଷ୍ମୀଧର ଦାସ, ଉପସଭାପତି ଦେବେନ୍ଦ୍ର କୁମାର ବିଶ୍ବାଳ, ସମ୍ପାଦକ ରଞ୍ଜନ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସମାଜସେବୀ ରବୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।