ବାସୁଦେବପୁର: ଜ୍ୟାମିତି ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ପଞ୍ଚାୟତ ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କଲ୍ପତରୁ ମଲିକ ଛାତ୍ରଛାତ୍ରୀଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏହି ଘଟଣାରେ ଆଜି ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।
ପ୍ରକାଶ ଥାଉ କି ଗତକାଲି ଶିକ୍ଷକ ଶ୍ରୀ ମଲିକ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ଜ୍ୟାମିତି ପଢ଼ାଉଥିଲେ। ପିଲାମାନେ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ଶିକ୍ଷକ ଉତ୍କ୍ଷିପ୍ତ ହୋଇ ଏକ ବାଡ଼ିରେ ଛାତ୍ରଛାତ୍ରୀଙ୍କୁ ଆଖିବୁଜା ମାଡ଼ ମାରି ଲହୁଲୁହାଣ କରିଥିଲେ। ଏଥିରେ ମୋଟ ୧୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଯମୁନା ଦଣ୍ତପାଟ, କାଜଲ ବାରୋଇ, ରୀତାରାଣୀ ଦାସ, ଲିଜା ମଣ୍ତଳ ପ୍ରମୁଖ ୪ଜଣ ଛାତ୍ରୀ ଗୁରୁତର ହୋଇଥିଲେ। ପିଲାମାନଙ୍କର କାନ୍ଧବୋବାଳି ଶୁଣି ବିଦ୍ୟାଳୟର ଅନ୍ୟଶିକ୍ଷକମାନେ ପହଞ୍ଚି ଛଡ଼ାଇବାରୁ ପିଲାମାନେ ବର୍ତ୍ତି ଯାଇଥିଲେ। ଏହି ଘଟଣା ଗାଁରେ ପ୍ରଚାର ହେବା ପରେ ଅବିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଗୁରୁତର ଛାତ୍ରୀଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିଭାବକମାନେ ପହଞ୍ଚିବା କ୍ଷଣି ସମ୍ପୃକ୍ତ ଶିକ୍ଷକ ବିଦ୍ୟାଳୟରୁ ପଳାଉଥିବା ବେଳେ ରାସ୍ତାରୁ ତାଙ୍କୁ ଗ୍ରାମବାସୀ ଧରି ବିଦ୍ୟାଳୟକୁ ଆଣିଥିଲେ।
ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଓଲଟି ନାଲିଆଖି ଦେଖାଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। କଶିଆ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ଥାନାକୁ ନେଇଯାଇଥିଲେ। ଏହି ଘଟଣାରେ ତରବରିଆ ଭାବେ ଆଜି ବିଇଓ ଶ୍ରୀ ସାହୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ଅନ୍ୟପଟେ ଆହତ ଛାତ୍ରୀମାନଙ୍କର କିଛି ଅଭିଭାବକ ଥାନାରେ ଲିଖିତ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଶିକ୍ଷକ ଗିରଫ ହୋଇଯିବା ଭୟରେ ଥାନାରେ ଏତଲା ନ କରିବାକୁ ଅବିଭାବକମାନଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି। ଶିକ୍ଷକ ଜଣକ ସବୁବେଳେ ନିଶାରେ ବୁଡ଼ି ରହୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଛାତ୍ରୀମାନଙ୍କୁ ଅନେକ ସମୟରେ ପ୍ରେମ ନିବେଦନ କରି ବିଫଳ ହୋଇଥିବା କେତେକ ପିଲା ନିଜ ନାମ ଗୋପନ ରଖି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/33-18.jpg)