ମାଟ୍ରିକ୍ ପାସ୍ ହେବା ଆଶା ଛାଡ଼ି ଘରୁ ପଳାଇଲେ ଛାତ୍ର ! ହାତଲେଖା ଚିଠିକୁ ନେଇ ଅନେକ ସନ୍ଦେହ

ଚିନ୍ତାରେ ବାପାମାଆ, ମାମଲା ରୁଜୁ

ହିଞ୍ଜିଳିକାଟୁ : ‘ମୋ ପ୍ରିୟ ମମି, ମୋତେ କ୍ଷମା କରିଦେବୁ। ମୁଁ ମାଟ୍ରିକ୍ ପାସ୍ କରିବି ବୋଲି ନିଜ ଉପରେ ମୋର ଆଶା ନାହିଁ। ସମେଟିଭ୍ ଆସେସ୍‌ମେଣ୍ଟ୍-୧ ପରୀକ୍ଷାରେ ଭଲ ମାର୍କ ରଖିଲେ ହିଁ ବୋର୍ଡ଼ ପରୀକ୍ଷା ଦେଇପାରିବି। ତେଣୁ ମୁଁ ଘର ଛାଡ଼ି ବହୁତ ଦୂରକୁ ପଳାଉଛି। କେବେ ଆସିବି ଜଣା ନାହିଁ। କିନ୍ତୁ ରାଣ ଖାଇ କହୁଛି, ବଡ଼ଲୋକ ଓ ଭଲ ମଣିଷ ହୋଇ ଫେରିବି।’ ଏହା ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର କାଳୁଆସାହିରେ ରହୁଥିବା ରଞ୍ଜନ ପାଣିଗ୍ରାହୀଙ୍କ ପୁଅ ନାରାୟଣ (୧୫) ଘର ଛାଡ଼ି ଯିବା ପୂର୍ବରୁ ଛାଡ଼ି ଯାଇଥିବା ଚିଠିର ସାରାଂଶ। ନାରାୟଣ ନିଖୋଜ ହେବା ଘଟଣାକୁ ୪୮ ଘଣ୍ଟା ବିତିଛି। ହେଲେ ତାଙ୍କ ଖୋଜ୍‌ଖବର ମିଳୁ ନଥିବାରୁ ପରିବାରବର୍ଗ ଚିନ୍ତାରେ ପଡ଼ିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏତଲା କ୍ରମେ ପୁଲିସ କେସ୍ ନମ୍ବର ୫୭୩ ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

ତେବେ ଘରୁ ମିଳିଥିବା ନାରାୟଣଙ୍କ ହାତଲେଖା ଚିଠିକୁ ନେଇ ଏବେ ଅନେକ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଅ ନାରାୟଣଙ୍କ ପାଇଁ ବାପା ରଞ୍ଜନ ଓ ମାଆ ରେଣୁକା ଚିନ୍ତାରେ ପଡ଼ିଛନ୍ତି। ନିଖୋଜ ନାରାୟଣ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚବିଦ୍ୟାଳୟରେ ପଢ଼ୁଛନ୍ତି। ସବୁଦିନ ଭଳି ଗତକାଲି ମଧ୍ୟ ସକାଳେ ସେ ସ୍କୁଲ୍ ଅଭିମୁଖେ ଆସିଥିଲେ। କିନ୍ତୁ ଖାତା ନେବା ବାହାନାରେ ପୁଣି ଘରକୁ ଆସିଥିଲେ। ଏହି ସମୟରେ ସେ ୟୁନିଫର୍ମ ବାହାର କରି ସାଦା ପୋଷାକ ପିନ୍ଧି ଘରୁ ହଠାତ୍ ପଳାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମାଆ ଶେଷ‌ରେ ଥାନାର ଦ୍ବାରସ୍ଥ ହୋଇଥିଲେ। ସେପଟେ ଶାନ୍ତ ଓ ସରଳ ସ୍ବଭାବର ପିଲା ନାରାୟଣଙ୍କ ଏଭଳି ନିଷ୍ପତ୍ତିକୁ ଶିକ୍ଷକଶିକ୍ଷୟିତ୍ରୀ ମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର