ଘଟଗାଁ: ୟୁକ୍ରେନ୍ରୁ ଫେରିଲେ ଘଟଗାଁର ଡାକ୍ତରୀ ଛାତ୍ର ସ୍ମୃତିରଂଜନ ନାଏକ। ଆଜି ଭୋର ସକାଳୁ ଆସି ସେ ଘରେ ପହଞ୍ଚିଛନ୍ତି। ଘରେ ପହଞ୍ଚିବା ପରେ ସେଠାକାର ଅନୁଭୂତି କହିଛନ୍ତି। ଯୁଦ୍ଧ ପାଇଁ ସେଠାରେ ଖାଦ୍ୟ ଓ ପାନୀୟଜଳର ସଂକଟ ଦେଖାଦେଇଛି। ପାନୀୟଜଳ ନ ମିଳିବାରୁ ବରଫ କାଟି ପାଣି ପିଇବାକୁ ପଡ଼ିଥିଲା ବୋଲି ସ୍ମୃତିରଂଜନ କହିଛନ୍ତି। ପୁଅ ଘରକୁ ଫେରିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି।
ସ୍ମୃ୍ତିରଂଜନ କହିଛନ୍ତି ୟୁକ୍ରେନ୍ ବିରୋଧରେ ରୁଷ୍ ଯୁଦ୍ଧ ଘୋଷଣା କରିବା ପରେ ସେଠାକାର ସରକାର ନାକାବନ୍ଦୀ କରିଥିଲେ। ସୁମି ଷ୍ଟେଟ୍ ୟୁନିଭର୍ସିଟିରେ ପଢ଼ୁଥିବା ଛାତ୍ରଛାତ୍ରୀ ଅଧିକାଂଶ ସମୟରେ ବଙ୍କରରେ ରହୁଥିଲେ। ମାତ୍ର ୫୦୦ ମିଟର ଦୂରରେ କ୍ଷେପଣାସ୍ତ୍ର ଓ ବୋମାମାଡ଼ ହେଉଥିଲା। ଗତ ୩ ତାରିଖରେ ହୋଇଥିବା କ୍ଷପଣାସ୍ତ୍ର ମାଡ଼ରେ ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ସହ ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହି ସମୟରେ ସେମାନେ ଦୁଇଶହ ମିଟର ଦୂରରେ ଥିବା ଏକ ବରଫାବୃତ୍ତ ହ୍ରଦ ଉପରୁ ବରଫ କାଟି ତା ତଳୁ ପାଣି ସଂଗ୍ରହ କରି ପିଇବାକୁ ପଡ଼ିଥିଲା। ୮ ତାରିଖ ସକାଳେ ସିଟି ବସ୍ରେ ସେମାନେ ସୁମି ସହର ଛାଡ଼ିଥିଲେ। ବସ୍ରେ ୩୦ଟି ସିଟ୍ ଥିବାବେଳେ ସେଥିରେ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିଲେ। ସୁମିରୁ ପୋଲତାବ ମାତ୍ର ୧୮୦ କିମି ରାସ୍ତା ଅତିକ୍ରମ କରିବାକୁ ବହୁତ ସମୟ ଲାଗିଥିଲା। ଛାତ୍ରଛାତ୍ରୀ ବସ୍ରେ ବିନାଖାଦ୍ୟରେ ଠିଆ ହୋଇ ଯାତ୍ରା କରିଥିଲେ।
ପରେ ପୋଲତାବରୁ ଲବିକି ଓ ସେଠାରୁ ଟ୍ରେନ୍ରେ ପୋଲାଣ୍ତକୁ ଯାତ୍ରା କରିଥିଲେ। ଟ୍ରେନ୍ରେ ମାତ୍ର ୩ଟି ଶୌଚାଳୟ ଥିବାବେଳେ ପାଣିର ସୁବିଧା ନଥିଲା। ୟୁକ୍ରେନ ଓ ପୋଲାଣ୍ତ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ସହାଯ୍ୟ ସହଯୋଗ କରାଯାଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ଓଡ଼ିଶଭବନରେ ରହିଥିଲେ। ସେଠାରେ ରାଜ୍ୟ ସରକାର ସବୁପ୍ରକାର ସାହାଯ୍ୟ କରିବା ସହ ଭୁବନେଶ୍ବର ପାଇଁ ସହଯୋଗ କରିଥିଲେ। ସ୍ମୃତିରଂଜନଙ୍କ ପାଠପଢ଼ା ସରିବାକୁ ଆଉମାତ୍ର ଦୁଇମାସ ବାକିଥିଲା। ଏବେ ତାଙ୍କ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଛି। ଏନେଇ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସ୍ମୃତିରଂଜନ ହେଉଛନ୍ତି ଘଟଗାଁ ଗ୍ରାମର ଶିକ୍ଷକ ନାରାୟଣ ନାୟକଙ୍କ ଏକମାତ୍ର ପୁତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/7-12.jpg)