‘ନିଷ୍ଟ୍’ ବିରୋଧରେ ଠକେଇ ଅଭିଯୋଗ ଆଣିଲେ ଛାତ୍ରୀ, ମାମଲା ରୁଜୁ

ଗୋଳନ୍ଥରା : ‘ନିଷ୍ଟ୍’ ବୈଷୟିକ ଶିକ୍ଷାନୁଷ୍ଠାନ ବିରୋଧରେ ଟଙ୍କା ଠକେଇ ଅଭିଯୋଗ ଆଣି ଜଣେ ଛାତ୍ରୀ ଗୋଳନ୍ଥରା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଉକ୍ତ ଛାତ୍ରୀଜଣକ ହେଉଛନ୍ତି, ପାରଳାଖେମୁଣ୍ଡି ଅଞ୍ଚଳର କେ.କୀର୍ତ୍ତି କୁମାରୀ (ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ କମ୍ୟୁନ‌ିକେସନ୍, ତୃତୀୟ ବର୍ଷ)। କୀର୍ତ୍ତିଙ୍କ ଏତଲା କ୍ରମେ ଗୋଳନ୍ଥରା ଥାନାରେ କେସ୍ ନମ୍ବର ୧୪୯ ଅନୁସାରେ ମାମଲା ରୁଜୁ ହୋଇଛି। ଆଡ଼ମିସନ୍ ଇନ‌୍ଚାର୍ଜ ଟୁନା ବେହେରା ଓ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ ସଂଗ୍ରାମ ମୁଦାଲିଙ୍କ ନାମ ଏଥିରେ ଉଲ୍ଲେଖ କରାଯାଇଛି। ତେବ‌େ ଆଡ଼ମିସନ୍ ଇନ୍‌ଚାର୍ଜ ଶ୍ରୀ ବେହେରା ଏହାକୁ ଖଣ୍ଡନ କରିଛନ୍ତି।

କୀର୍ତ୍ତିଙ୍କ ଏତଲାନୁସାରେ, ପ୍ରଥମ ବର୍ଷର ଜଏନିଂ ଫି’ ୧ ଲକ୍ଷ ୪୪ହଜାର ଟଙ୍କା ଥିଲା। ପ୍ରଥମ କିସ୍ତିରେ ସେ ୫୦ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ କରୋନା ମହାମାରୀ ହେତୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଥିଲା। ଏନେଇ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କ ମେଲ୍‌କୁ ପ୍ରଥମ ବର୍ଷର ୯୪ହଜାର ଟଙ୍କା ବକେୟା ଥିବା ସୂଚନା ଆସିଥିଲା। ଏହାପରେ ସେ ଆଡ଼ମିସନ୍ ଇନଚାର୍ଜ ଶ୍ରୀ ବେହେରାଙ୍କ ସହ ସହଯୋଗ କରିଥିଲେ। ପରେ ଶ୍ରୀ ବେହେରା ଏହି ଟଙ୍କା  ଶିକ୍ଷାନୁଷ୍ଠାନର ଆକାଉଣ୍ଟ୍‌ରେ ଜମା କରିବାକୁ କହିଥିଲେ। କୀର୍ତ୍ତି ଡ୍ରାଫ୍ଟ୍‌ ଯୋଗେ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ। କଲେଜ ଖୋଲିବା ପ‌ରେ ତାଙ୍କୁ ପୁଣି ବକେୟା ୯୪ହଜାର ଟଙ୍କା ଡିପୋଜିଟ୍ କରିବାକୁ କୁହାଯାଇଥିଲା। କିନ୍ତୁ କୀର୍ତ୍ତି ଡିପୋଜିଟ୍ କରିଥିବା ଆକାଉଣ୍ଟ୍ ନମ୍ବର ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଦେଖାଇଥିଲେ। କିନ୍ତୁ ଏହି ଅକାଉଣ୍ଟ୍ ନମ୍ବର ଅନୁଷ୍ଠାନର ନୁହେଁ ବୋଲି କୁହାଯାଇଥିଲା। ଶେଷରେ କୀର୍ତ୍ତି ନିରୁପାୟ ହୋଇ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ ଠକେଇ ମାମଲା ରୁଜୁ ହୋଇଛି। ୫୭ରୁ ଅଧିକ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ସମାନ ଅଭିଯୋଗ ଆଣିଛନ୍ତି।

ଆଡ଼ମିସନ୍ ଇନଚାର୍ଜ ଶ୍ରୀ ବେହେରା କହିଛନ୍ତି, ଏହି ଅଭିଯୋଗ ଭିତ୍ତିହୀନ। ଦୀର୍ଘବର୍ଷ ହେଲା ଅନୁଷ୍ଠାନର ଜମାଖାତାର ଆକାଉଣ୍ଟ୍‌ରେ କୌଣସି ପରିବର୍ତ୍ତନ ହୋଇନି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅନୁଷ୍ଠାନର ପରିଚାଳନାକୁ ନେଇ ବାଦବିବାଦ ଉପୁଜିଥବାରୁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ଏଥିରେ ପ୍ରଶାସନ ହସ୍ତକ୍ଷେପ କରି ସମାଧାନ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର