ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା। ପାଠ୍ୟଖସଡ଼ା ଅନୁଯାୟୀ ବହିର ଅଧା ପଢ଼ି ପରୀକ୍ଷା ଦେବାକୁ ପିଲାଙ୍କୁ କୁହାଯାଇଛି। ବିଡ଼ମ୍ବନାର କଥା, ପ୍ରଥମ ସମ୍ମେଟିଭ୍‌ ପରୀକ୍ଷା ଆରମ୍ଭ ହୋଇଗଲାଣି, କିନ୍ତୁ ଏଯାବତ୍‌ ଅନୁଗୁଳ ଜିଲ୍ଲାର ଗରିବ ପିଲାଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ବହି ବାଣ୍ଟି ପାରିନାହିଁ। କେବଳ ନବମ ଶ୍ରେଣୀ ନୁହେଁ, ଦଶମ ଶ୍ରେଣୀ ପିଲାଙ୍କ ଅବସ୍ଥା ମଧ୍ୟ ସମାନ। ୫୮ ହଜାର ବହି ଗଣ୍ଠିଲିରେ ବାନ୍ଧି ରଖାଯାଇଥିବା ଅଭିଯୋଗ ହେଉଛି।

Advertisment

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସରକାର ଏମିତିରେ ମାଗଣା ବହି ଯୋଗାଣ ବ୍ୟବସ୍ଥା କରୁଛନ୍ତି। ନବମ ଏବଂ ଦଶମ ଶ୍ରେଣୀର ଏସ୍‌ସି/ଏସ୍‌ଟି ପିଲାଙ୍କୁ ବି ମାଗଣା ବହି ଯୋଗାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଶ୍ରେଣୀ ପିଲାଙ୍କ ପାଇଁ ୧୧ଟି ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡ ପିଛା ୧୩ଟି ବହି ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ସରକାର ବହି ଛାପି ଜିଲ୍ଲାକୁ ପଠାଇବେ। ଜିଲ୍ଲା ଶିକ୍ଷା ବିଭାଗ ପିଲାଙ୍କୁ ବାଣ୍ଟିବ। ତଦନୁଯାୟୀ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ମୋଟ୍ ୨୪୪ଟି ସ୍କୁଲ୍‌ ପାଇଁ ୧୬ ହଜାର ପିଲାଙ୍କର ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଜଣାଇଥିଲା। ସେଥିଧ୍ୟରେ ନବମ ଶ୍ରେଣୀରେ ୬୮୪୨ଜଣ ପିଲା ଥିବା ବେଳେ ଦଶମ ଶ୍ରେଣୀରେ ଏସ୍‌ସି/ଏସ୍‌ଟି ପିଲାଙ୍କ ସଂଖ୍ୟା ୯୧୯୨ବୋଲି ଦର୍ଶାଯାଇଥିଲା। ନବମ ଶ୍ରେଣୀର ଗୋଟିଏ ପିଲା ମୁଣ୍ଡ ପିଛା ୧୧ଟି ବହି ହିସାବ କଲେ, ମୋଟ୍ ୭୫ହଜାର ୨୬୨ଟି ବହି ଦରକାର। ସେହିପରି ଦଶମ ଶ୍ରେଣୀର ମୁଣ୍ଡ ପିଛା ୧୩ଟି ବହି ହିସାବ କଲେ ପ୍ରାୟ ୧ ଲକ୍ଷ ୧୯ହଜାର ବହି ଲୋଡ଼ା ଥିଲା। ମୋଟ୍ ଉପରେ ଏକ ଲକ୍ଷ ୯୪ହଜାର ବହିର ଆବଶ୍ୟକତା ଥିଲା। କିନ୍ତୁ, ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ୭୦ଭାଗ ପିଲାଙ୍କୁ ବହି ବାଣ୍ଟିଥିବା ବେଳେ ଏବେ ବି ପ୍ରାୟ ୫୮ହଜାର ବହି ପିଲାଙ୍କ ପାଖେ ଜିଲ୍ଲା ଶିକ୍ଷା ବିଭାଗ ପହଞ୍ଚାଇ ନ ପାରିବା ଶିକ୍ଷା ବିଭାଗର ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ହେଉଛି। କହିବାକୁ ଗଲେ, ଜିଲ୍ଲାର ପ୍ରାୟ ୩୦ ଭାଗ ଏସ୍‌ସି/ଏସ୍‌ଟି ପିଲା କେମିତି ବିନା ବହିରେ ପାଠପଢ଼ି ପରୀକ୍ଷା ଦେଉଛନ୍ତି କିମ୍ବା ଦେବାକୁ ଯାଉଛନ୍ତି? ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏଥିପାଇଁ ପୁସ୍ତକ ଯୋଗାଣର ବିଳମ୍ବକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଦାୟୀ କରିଛନ୍ତି। କହିଛନ୍ତି, କୋଭିଡ୍ ପାଇଁ ବହି ଠିକଣା ସମୟରେ ଛପା ହୋଇ ପାରିଲା ନାହିଁ। ନବମ ଶ୍ରେଣୀ ପାଇଁ ମୁଣ୍ଡ ପିଛା ୧୧ଟି ଏବଂ ଦଶମ ଶ୍ରେଣୀ ପାଇଁ ମୁଣ୍ଡ ପିଛା ୧୩ଟି ବହି ମାଗଣାରେ ବାଣ୍ଟିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଆମ ପାଖକୁ ପ୍ରଥମ ପର୍ଯ୍ୟାୟରେ ଯେଉଁ ବହି ସରକାର ପଠାଇଥିଲେ, ତୁରନ୍ତ ତାକୁ ବାଣ୍ଟି ଦିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟ ବହି ଶୀଘ୍ର ବାଣ୍ଟି ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।