ବାଲିଆପାଳ: ସୁବର୍ଣ୍ଣରେଖାର ବନ୍ୟା ପ୍ରକୋପ କମୁଥିବା ବେଳେ ତଳିଆ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ୁଛି। ନଦୀର ଜଳସ୍ତର କମି ରାଜଘାଟ ଠାରେ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଗତକାଲି ଦିନତମାମ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ରାତି ୮ଟା ସୁଦ୍ଧା ୯.୫୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଏବେ ବି ସୁବର୍ଣ୍ଣରେଖା ନଦୀ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସନ୍ତାକାଲି ସୁଦ୍ଧା ନଦୀର ବନ୍ୟା ପ୍ରକୋପ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଜଳସମ୍ପଦ ବିଭାଗ ଜଳେଶ୍ୱର ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହ ସୂଚନା ଦେଇଛନ୍ତି। 
ଅନ୍ୟପକ୍ଷରେ, ବନ୍ୟାରେ ଉତ୍ତର ବାଲେଶ୍ବରର ୪ ବ୍ଲକ୍‌ରୁ  ଭୋଗରାଇ ଓ ବାଲିଆପାଳରେ ବିଶେ‌ଷ ଭାବେ କ୍ଷତି ହୋଇଛି। ବାଲିଆପାଳ ବ୍ଲକ୍‌ର ୧୦ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ଭୋଗରାଇ ବ୍ଲକର ୮ ପଞ୍ଚାୟତର ୪୦ରୁ ଅଧିକ ଗାଁର ପ୍ରଭାବିତ ହୋଇଛି। ବନ୍ୟା ପାଣି ଧୀରେଧୀରେ କମୁଥିବା ବେଳେ ଦୁର୍ଦ୍ଦଶା ବଢ଼ୁଛି। ଅନେକ ଗ୍ରାମରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ବାଲିଆପାଳ ବ୍ଲକର କୁଦମାନସିଂ, ଆଠବାଟିଆ, ରାଉତରାପୁର, ତଳବାଲିଆପାଳ, ଶୁଙ୍ଘମୁହଁ, ବିଷ୍ଣୁପୁର, ଇକଡ଼ପାଳ, ‌ଚୌଧୁରୀକୁଦ, କୁହ୍ଲାଚଡ଼, ବଡ଼ତାଳପଦା, ପାଳଜାମକୁଣ୍ଡା ପ୍ରଭୃତି ଗ୍ରାମ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ବନ୍ୟା ଯୋଗୁଁ ଗତ ୨ ଦିନ ହେଲା ଦୁଇ ବ୍ଲକର ଅନେକ ଲୋକଙ୍କ ଘରେ ଚୁଲି ଜଳି ନଥିବା ବେଳେ ବିପନ୍ନ ଭୋକ ଉପାସରେ ଦିନ କାଟୁଛନ୍ତି। ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ନଳକୂପଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସବୁ ଲୋକେ ଟ୍ୟାଙ୍କର ପାଣି ପାଉନଥିବା ଅଭିଯୋଗ କରିଛନ୍ତି। ବନ୍ୟା ଘେରରେ ଥିବା ଗ୍ରାମବାସୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳକୂପ ଏବଂ ଗ୍ରାମଗୁଡ଼ିକ ବିଶୋଧନ ପାଇଁ ଦାବି ହୋଇଛି। ବନ୍ୟା ଯୋଗୁଁ ଗୃହପାଳିତ ପଶୁ ପଦାକୁ ବାହାରି ନ ପାରି ଭୋକରେ ଆଉଟୁପାଉଟୁ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଖରେ ରିଲିଫ୍‌ ପହଞ୍ଚି ନଥିବା ବେଳେ ଗୃହପାଳିତ ପଶୁଙ୍କ ଖାଦ୍ୟ ପହଞ୍ଚି ନ ପାରିବା ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ସେହିପରି ୪ ବ୍ଲକର ହଜାର ହଜାର ଏକର ଜମିର ପରିବା ଚାଷ ପାଣିରେ ବୁଡ଼ି ରହି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। 
ଆଜି ବାଲେଶ୍ୱର ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟ, ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ବାଲିଆପାଳର ବିଭିନ୍ନ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଶାସନ ପକ୍ଷରୁ ୬ଟି ପଞ୍ଚାୟତର ୧୮ ହଜାର ଲୋକଙ୍କ ପାଇଁ ୯୫ କୁଇଣ୍ଟାଲ ଚୁଡା, ୧୦ କୁଇଣ୍ଟାଲ ଗୁଡ଼, ପାଣି ବୋତଲ ଯୋଗାଇ ଦିଆଯାଇଥିବା ବାଲିଆପାଳ ବ୍ଲକ ବନ୍ୟା ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟ କହିଛନ୍ତି।