ଭୁବନେଶ୍ବର : ମଣିଷର ଦୁଇଟି ଚେହେରା। ପରିବାରରେ ଚଳିବା ବେଳେ ଗୋଟିଏ ଏବଂ ଅନ୍ୟଟି ବିଷୟରେ ସେ କାହାକୁ ଜଣାଇବାକୁ ଚାହେନା। ୨୦୦୦ ମସିହାରେ ମୁଁ ଏ କାହାଣୀ ଲେଖିଥିଲି। ସେତେବେଳେ ମୁଁ ରାଉରକଲୋରେ ଥାଏ। ସେଠିକା ଇସ୍ପାତ କାରଖାନା ବିଷୟରେ ଗୋଟାଏ ଖବର ଶୁଣିଲି ଯେ ଚାକିରିରେ ଥିବା ଅବସ୍ଥାରେ ବାପା ମରିଗଲେ, ପୁଅକୁ ସେ ଚାକିରି ମିଳିବ। ଏକଥା ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଲେଖିବି କି ନାହିଁ ବୋଲି ଅନେକ ଦିନ ଭାବିବା ପରେ ଶେଷକୁ ଲେଖିଥିଲେ। ଭାବିଥିଲି, ଏଭଳି ଏକ କଷ୍ଟକର କଥାକୁ ଲୋକେ ଗ୍ରହଣ କରିବେନି। କିନ୍ତୁ ମୋ ଭାବନା ଭୁଲ୍ ପ୍ରମାଣିତ ହେଲା। ସେ ଲେଖାକୁ ଲୋକେ ଖୁବ୍ ଆଦର କରିଛନ୍ତି। ଷଷ୍ଠ ଅଧିବେଶନର ଶୀର୍ଷକ ‘ବାପାରୁ ପ୍ରତୀକ୍ଷା’ରେ ଅତିଥି ଭାବେ ଯୋଗଦେଇ ‘ବାପା’ ଗଳ୍ପର ଲେଖକ ବିଶିଷ୍ଟ କଥାକାର ଗୌରହରି ଦାସ ଏହା କହିଛନ୍ତି।
ବିଶିଷ୍ଟ ସଂଗୀତକାର ରତିକାନ୍ତ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାରେ ଅନ୍ୟତମ ଅତିଥି ସିନେ ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଲେ, ମୁଁ ‘ତୁଳସୀ ଅପା’ କରିଥିଲି। ବ୍ୟାବସାୟିକ ଦୃଷ୍ଟିକୋଣରୁ ସିନେମାଟି ବିଫଳ ହେଲା। ତେଣୁ କିଭଳି ସିନେମା କଲେ, ଦର୍ଶକ ପସନ୍ଦ କରିବେ ଓ ତାହା ବ୍ୟାବସାୟିକ ସଫଳତା ହାସଲ କରିବ, ମୁଁ ଗଭୀର ଅନୁଶୀଳନ କଲି। ବହୁତ ଗପ ପଢ଼ିବା ପରେ ‘ବାପା’କୁ ବାଛିଲି। ମଧ୍ୟବିତ୍ତ ପରିବାରର କାହାଣୀ ହୋଇଥିବାରୁ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା ଥିଲା। ତାହା ହିଁ ହେଲା। କେହି ପେସାଦାର ଅଭିନେତା ନଥିବା ସତ୍ତ୍ବେ ସିନେମାଟି ସଫଳ ହେବା ମୋ ପାଇଁ ଏକ ବଡ଼ ଉପଲବ୍ଧି।
‘ବାପା’ର ଲେଖକ ଶ୍ରୀ ଦାସ ଆହୁରି କହିଲେ, ଭାରତୀୟ ପୃଷ୍ଠଭୂମିରେ ବାପା ଏକ ଶକ୍ତିଶାଳୀ ଚରିତ୍ର। ବାପାଙ୍କ ପାଖରେ ଯାହା ଅଳି କଲେ ସେ ପୂରଣ କରିଦିଅନ୍ତି। ହେଲେ ଜୀବନରେ ଏମିତି ଗୋଟିଏ ସମୟ ଆସେ, ଯେଉଁଠି ବାପା ଚାହିଲେ ବି ପିଲାର ସେ ଇଚ୍ଛା, ଆକାଂକ୍ଷା ପୂରଣ କରିପାରିବେନି। ତାହା ହେଲା ଚାକିରି। ସେତେବେଳେ ବାପାର ବିଫଳତା ଓ ଅସାମର୍ଥ୍ୟ ଉପରେ କଥା ଉଠେ। ଚଳଚ୍ଚିତ୍ରରେ ଏହି ଘଟଣାରେ ଅନୁପମ କିଛିଟା ପରିବର୍ତ୍ତନ କରିବାରୁ ମୁଁ ଟିକେ ମନ ଊଣା କରିଥିଲି। ହେଲେ ପରେ ସେ ତାହା ବୁଝି ପାରି ଘଟଣାବଳୀ ପରିବର୍ତ୍ତନ କରିଥିଲେ। ଏହି ଅବସରରେ ‘ପେନ୍ ଇନ୍ ବୁକ୍ସ’ ଦ୍ୱାରା ପ୍ରକାଶିତ ଶ୍ରୀ ଦାସଙ୍କ ଗଳ୍ପ ସଂକଳନ ‘ବାପା ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ ହୋଇଥିଲା। ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସହ ଜେରୀ ପିଣ୍ଟୋ, ମାଳବିକା ବାର୍ନାଜୀ ପ୍ରମୁଖ ପୁସ୍ତକକୁ ଉନ୍ମୋଚନ କରିଥିଲେ।