ମୁହଁ ମାଡ଼ିଛି ସୁନ୍ଦରଗଡ଼ ମହୁଆ ପ୍ରକଳ୍ପ: ଖର୍ଚ୍ଚ ନହୋଇ ଫେରିଯିବ ୩ କୋଟି

ସୁନ୍ଦରଗଡ଼: ମହୁଲଫୁଲ ବନବାସୀଙ୍କ ରୋଜଗାରର ଏକ ବଡ଼ ମାଧ୍ୟମ। ତେବେ, ମହୁଲ କେବଳ ମଦ ଓ ତେଲ ପ୍ରସ୍ତୁତିରେ ବ୍ୟବହାର ହେଉଥିବାରୁ ତାର ବିକ୍ରି ସୀମିତ ଏବଂ ମୂଲ୍ୟ ମଧ୍ୟ ବନବାସୀ ପରିବାରର ଝାଳବୁହା ଶ୍ରମ ତୁଳନାରେ କମ୍। ଏଭଳି ସ୍ଥିତିରେ ଖାଦ୍ୟସାର ଓ ଔଷଧୀୟ ଗୁଣଯୁକ୍ତ ମହୁଲରୁ କେକ୍‌, ଜାମ୍‌, ଜେଲି, ‌ଚକୋଲେଟ୍‌ ପରି ଖାଦ୍ୟ ପଡ଼ୋଶୀ ରାଜ୍ୟଗୁଡ଼ି‌କରେ ପ୍ରସ୍ତୁତହୋଇ ବଜାରକୁ ଆସୁଥିବାବେଳେ ପ୍ରଚୁର ମହୁଲଫୁଲ ଉତ୍ପାଦନ ହେଉଥିବା ସୁନ୍ଦରଗଡ଼ରେ ତାହା ହେଉନାହିଁ। ଫଳସ୍ବରୂପ ଆଦିବାସୀ ତଥା ବନବାସୀ ଏ ମୂଲ୍ୟଯୁକ୍ତ ଉପାଦାନର ଲାଭ ପାଇବାରୁ ବଞ୍ଚିତ ହୋଇରହିଛନ୍ତି। ଏ ନେଇ ଦାବିପରେ କେନ୍ଦ୍ର ସରକାରଙ୍କ ‘ସ୍ଫୂର୍ତ୍ତି ଯୋଜନା’ରେ ୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ମହୁଲଫୁଲରୁ ଏପରି ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ପାଇଁ ଅର୍ଥ ମଞ୍ଜୁର ଦେଶରେ ପ୍ରଥମ ପଦ‌କ୍ଷେପ କୁହାଯାଉଛି। ମାତ୍ର, ନୋଡାଲ ଏଜେନ୍ସିର ଅସହଯୋଗ ଏବଂ ପରିଚାଳନା ସଂସ୍ଥା ମଧ୍ୟରେ ଟଣାଓଟରା ଯୋଗୁ ଏହି ଅର୍ଥ ଫେରିଯିବାକୁ ବସିଛି। ଫଳରେ, ଏହାକୁ ନେଇ ‌ରୋଜଗାରର ସ୍ବପ୍ନ ଦେଖୁଥିବା ଆଦିବାସୀ ନିରାଶା ମଧ୍ୟଦେଇ ଗତି କରିବାକୁ ପଡ଼ୁଛି।

ସୂଚନା ଅନୁସାରେ, ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ ଏହାକୁ ଅନୁମୋଦନ ପୂର୍ବକ ୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ମହୁଲଫୁଲରୁ ଏପରି ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ପାଇଁ ମଞ୍ଜୁର ଏହି ପ୍ରକଳ୍ପ ସର୍ବଭାରତୀୟ କ୍ଷେତ୍ରରେ ପ୍ରଥମ ଅନୁମୋଦିତ ପ୍ରକଳ୍ପ ହୋଇଥିବାବେଳେ ଏହାକୁ ନେଇ ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାର ଆଦିବାସୀ, ବନବାସୀ ବେଶ୍‌ ଉତ୍ସାହିତ ହୋଇଥିଲେ। ଏଣିକି ଶାଗମାଛ ଦରରେ ବିକ୍ରି ମହୁଲର ଉପଯୁକ୍ତ ମୂଲ୍ୟ ମିଳିବ ବୋଲି ଆଶାବାଦୀ ହୋଇପଡ଼ିଥିଲେ। କିନ୍ତୁ ନୋଡାଲ ଏଜେନ୍ସି ଉଦ୍ୟୋଗିକ ବିକାଶ ସଂସ୍ଥା(ଆଇଇଡି)ଙ୍କ ଅସହଯୋଗ ତଥା ବୈଷୟିକ ସହାୟକ ସଂସ୍ଥା ଓ କାର୍ଯ୍ୟକାରୀ ସଂସ୍ଥା ଭାବେ ନିୟୋଜିତ ଅଣସରକାରୀ ସଂଗଠନ (ଏନ୍‌ଜିଓ)ର ସ୍ବାର୍ଥ ସର୍ବସ୍ବ ମନୋବୃତ୍ତି ମଧ୍ୟରେ ପ୍ରକଳ୍ପ ଆରମ୍ଭରୁ ଅଟକି ଯାଇଥିବା ଅଭିଯୋଗ ହୋଇଛି। ଫଳରେ, ପ୍ରକଳ୍ପକୁ ନେଇ ଆଦିବାସୀ, ବନବାସୀଙ୍କ ଆଶା ଏକପ୍ରକାର ମଉଳି ଯାଇଛି ବୋଲି କୁହାଯାଇପାରେ।

ସୂଚନା ଅନୁସାରେ, ପ୍ରକଳ୍ପରେ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା ଭାବେ ବାମଣ୍ଡା ଗୋପେଇ ଟ୍ରଷ୍ଟ ନିୟୋଜିତ ଥିବାବେଳେ ‘ଏଫ୍‌ଏମ୍‌ସି’କୁ ଏହାର ବୈଷୟିକ ସହାୟକ ସଂସ୍ଥା ଓ ‘କୃପାଜଲ୍‌’କୁ ଏହାର କାର୍ଯ୍ୟକାରୀ ସଂସ୍ଥା ଭାବେ ନୋଡାଲ ଏଜେନ୍ସି ଆଇଇଡି ନିୟୋଜିତ କରିଥିଲା। ତେବେ ପରବର୍ତ୍ତୀ ସମୟରେ କୃପାଜଲ୍‌ ଓ ଏଫ୍‌ଏମ୍‌ସି ପ୍ରକଳ୍ପରୁ ଓହରି ଯାଇଥିବାବେଳେ ସେମାନଙ୍କ ସ୍ଥାନରେ ‘କିଟ୍- ଟିବିଆଇ’ ଓ ‘ସାର୍ଥକ’ ନିୟୋଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ପ୍ରକଳ୍ପର କାର୍ଯ୍ୟକାରୀ ଏଜେନ୍ସି ‘ସାର୍ଥକ’ ପକ୍ଷରୁ ପ୍ରକଳ୍ପ ପାଇଁ ୧୦ ପ୍ରତିଶତ ଅଂଶ ଦେୟ ୨୪ ଲକ୍ଷ ଟଙ୍କା ଜମା କରାଗଲା ନାହିଁ। ଫଳରେ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନ ଫେରିଯିବାକୁ ବସିଥିବାରୁ ଏହାକୁ ବାମଣ୍ଡା ଗୋପେଇ ଟ୍ରଷ୍ଟ ଓ କିଟ୍‌- ଟିବିଆଇ ବିରୋଧ କରିଥିଲେ। ‘ସାର୍ଥକ’କୁ ନେଇ ବିବାଦ ଦେଖାଦେଇଥିଲା। ଏ ନେଇ ଉପରୋକ୍ତ ଦୁଇ ସଂଗଠନ ନୋଡାଲ ଏଜେନ୍ସି ଓ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ ବହୁବାର ପତ୍ରଲେଖି ଉପଯୁକ୍ତ ପଦ‌କ୍ଷେପ ଗ୍ରହଣ ପାଇଁ ଦାବି କରିଥିଲେ। ପରେ ୨୦୨୧ ଏପ୍ରିଲ ୩ରେ ନୋଡାଲ ଏଜେନ୍ସି ଦ୍ବାରା ଆୟୋଜିତ ମିଳିତ ବୈଠକରେ ‘ସାର୍ଥକ’ ପ୍ରକଳ୍ପ ପରିଚାଳନା ପାଇଁ ସମର୍ଥ ନଥିବା ପ୍ରକାଶ କରିଥିଲା। ଏହାପରେ ପ୍ରକଳ୍ପରୁ କାର୍ଯ୍ୟକାରୀ ଏଜେନ୍ସି ‘ସାର୍ଥକ’କୁ ହଟାଇବାକୁ ଦାବି ହୋଇଥିଲା। କିନ୍ତୁ ଆଇଇଡି ଏହାଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପରୋକ୍ଷରେ ସାର୍ଥକକୁ ସମର୍ଥନ ଦେଇ ଚାଲିଥିବା ଅଭିଯୋଗ ନେଇ ଏମ୍‌ଏସ୍‌ଏମ୍‌ଇର ଦ୍ବାରସ୍ଥ ହୋଇଥିଲା ବାମଣ୍ଡା ଗୋପେଇ ଟ୍ରଷ୍ଟ। ଆଇଇଡିକୁ ବିବା‌ଦର ତୁରନ୍ତ ସମାଧାନ କରି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଏମ୍‌ଏସ୍‌ଏମ୍‌ଇର ନିର୍ଦ୍ଦେଶ ପରେ ମଧ୍ୟ ତାହା ଫଳପ୍ରଦ ହେଲାନାହିଁ। ବିବାଦର ସମାଧାନ ପାଇଁ ୨୦୨୧ ନଭେମ୍ବର ୨୬ରେ ଡକାଯାଇଥିବା ବୈଠକରେ ସାର୍ଥକ ସହ ପୂର୍ବରୁ ପ୍ରକଳ୍ପରୁ ଓହରି ଯାଇଥିବା ଏଫ୍‌ଏମ୍‌ସିକୁ ଡକାଯାଇଥିଲା।

ଏହାସହ ଆଇଇଡିର କିଛି ଅସାଧୁ କର୍ମଚାରୀ ପୂର୍ବରୁ ଓହରି ଯାଇଥିବା ସଂସ୍ଥା ‘ଏଫ୍‌ଏମ୍‌ସି’ ସହ ମିଶି ମୂଳ ବାମଣ୍ଡା ଗୋପେଇ ଟ୍ରଷ୍ଟର ସଦସ୍ୟଙ୍କ ଅଜ୍ଞାତରେ ତଥା କିଛି ଅଣସଦସ୍ୟଙ୍କୁ ନେଇ ଅନ୍ୟ ଏକ ନୂଆ ସଂସ୍ଥା ଗଠନ ପୂର୍ବକ ତାକୁ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା ଭାବେ ଦର୍ଶାଇ ପ୍ରକଳ୍ପକୁ ହାତେଇବାକୁ ଉଦ୍ୟମ ଚଲାଇଥିବା ଅଭିଯୋଗ ହୋଇଛି। ଏପରି ବିଭ୍ରାଟ ମଧ୍ୟରେ ପ୍ରକଳ୍ପର ମୁଖ୍ୟ ଟ୍ରେନର ମନୋଜ ପଟେଲଙ୍କୁ କୌଣସି ବୈଠକକୁ ଡକା ନଯାଇ ମନମାନି ପୂର୍ବକ କେନ୍ଦ୍ରୀୟ ଅନୁଦାନ ମାରିନେବାକୁ ମସୁଧା ଚଲାଇଥିବା ବାମଣ୍ଡା ଗୋପେଇ ଟ୍ରଷ୍ଟ ଅଭିଯୋଗ କରିଛି। ଉଲ୍ଲେଖ‌ଯୋଗ୍ୟ ଯେ ୨୦୧୮ ଅକ୍ଟୋବର ୩୦ରେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ଅଞ୍ଚଳର ବାମଣ୍ଡା ‌ଗୋପେଇ ଟ୍ରାଇବାଲ୍‌ ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶକ ମନୋଜ ପଟେଲ ଏସବୁ ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ‘ସୁନ୍ଦରଗଡ଼ ମହୁଆ କ୍ଲଷ୍ଟର’ ନାମରେ ଏକ ପ୍ରକଳ୍ପ ଓଡ଼ିଶା ରାଜ୍ୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଭାଗ ସ୍କ୍ରିନିଂ କମିଟି ଆଗରେ ଉପସ୍ଥାପନ କରିଥିଲେ। ଆଦିବାସୀ ବହୁଳ ଜିଲ୍ଲା‌ରେ ଏହାର ଉପଯୋଗିତା ଥିବାରୁ ଏହାକୁ ପଥଦର୍ଶୀ ପ୍ରକଳ୍ପ (ପାଇଲଟ୍‌ ପ୍ରୋଜେକ୍ଟ) ଭାବେ ଅନୁମୋଦନ କରିବାକୁ ପ୍ରସ୍ତାବ ଦେଇଥିଲେ। ଶ୍ରୀ ପଟେଲ ମହୁଲଫୁଲରୁ ମୂଲ୍ୟଯୁକ୍ତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଓ ଆନୁଷଙ୍ଗିକ ଗବେଷଣା କରିଥିବା ଓ ୨୦୧୨ରେ ନୂଆଦିଲ୍ଲୀ ଆଇଆଇଟିରେ ବିଧିବଦ୍ଧ ଭାବେ ତାଲିମ ନେଇଥିବା ପ୍ରସ୍ତାବପତ୍ରରେ ଦର୍ଶା‌ଇଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ‘ସ୍ଫୂର୍ତ୍ତି ଯୋଜନା’ରେ ଏହାକୁ ସାମିଲ କରାଯାଇଥିଲା।

ସମ୍ବନ୍ଧିତ ଖବର