ମିଲର୍‌ଙ୍କୁ ତାଗିଦ କରିପାରୁନି ଯୋଗାଣ ବିଭାଗ: ଆସିଛି ମାତ୍ର ୩୬ ପ୍ରତିଶତ ଚାଉଳ, ମେ’ ୧ରୁ ୧୭ ଜିଲ୍ଲାରେ ରବି ଧାନ ସଂଗ୍ରହ

ଅରୁଆ-ଉଷୁନା ଚାଉଳର ବିବାଦ ନାହିଁ, ଓଡ଼ିଶାରୁ ଭିଟାମିନ ଚାଉଳ କିଣୁଛି ଏଫ୍‌ସିଆଇ

ଭୁବନେଶ୍ବର: ମିଲରଙ୍କୁ ତାଗିଦ କରି ପାରୁନାହିଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ। ମେ’ ୧ ତାରିଖରୁ ରାଜ୍ୟର ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ହେବ। ଅଥଚ କଷ୍ଟମ ମିଲିଂ ମାଧ୍ୟମରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୬ ପ୍ରତିଶତ ଚାଉଳ ସଂଗ୍ରହ ହୋଇଛି। ଏଭଳି ସ୍ଥିତିରେ ରବି ଧାନ ସଂଗ୍ରହ ବେଳେ ଖରିଫ ଭଳି ପୁଣି କଟନିଛଟନି ସହିତ ବ୍ୟାପକ ଅନିୟମିତତା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଚଳିତ ଖରିଫରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ୫୭ ଲକ୍ଷ ୨୬ ହଜାର ମେଟ୍ରିକ ଟନର ଧାନ ସଂଗ୍ରହ ହୋଇଛି। ଏଥିରୁ ୩୮ ଲକ୍ଷ ମେଟ୍ରିକ ଟନ ଚାଉଳ କଷ୍ଟମ ମିଲିଂ ମାଧ୍ୟମରେ ଯୋଗାଣ ବିଭାଗକୁ ମିଳିବା ଉଚିତ। ରାଜ୍ୟରେ ଟ୍ୟାଗ ହୋଇଥିବା ୧୩୨୫ ମିଲର ଏହି ଚାଉଳ ଯୋଗାଣ ବିଭାଗକୁ ଦେବେ। ମେ’ ମାସରେ ରବି ଧାନ ସଂଗ୍ରହ ହେଉଥିବାରୁ ଏପ୍ରିଲ ସୁଦ୍ଧା ଅତିକମରେ ୫୦ ପ୍ରତିଶତ ଚାଉଳ ମିଲଗୁଡ଼ିକରୁ ଖାଲି ହୋଇଯିବା କଥା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଲକ୍ଷ ୫୧ ହଜାର ମେଟ୍ରିକ ଟନ ଚାଉଳ ଯୋଗାଣ ବିଭାଗ ପାଖକୁ ଫେରିଛି। ଏଥିରୁ ୩ ଲକ୍ଷ ୮୮ ହଜାର ମେଟ୍ରିକ ଟନ ଏଫସିଆଇ କ୍ରୟ କରିସାରିଛି। ଜୁନ ସୁଦ୍ଧା ଶତପ୍ରତିଶତ ଚାଉଳ ମିଲରଗୁଡିକ ନଦେଲେ ସମସ୍ୟା ଜଟିଳ ହେବା ନେଇ ଆଶଙ୍କା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ମିଲର ଯୋଗାଣ ବିଭାଗକୁ ଚାଉଳ ଦେଇ ନାହାନ୍ତି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ରବି ଧାନ ସଂଗ୍ରହ ପରିପ୍ରେକ୍ଷୀରେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ଅନୁସାରେ, ଚଳିତ ରବିରେ ପଡ଼ୋଶୀ ଛତିଶଗଡ଼ ସୀମାନ୍ତବର୍ତ୍ତୀ ରାଜ୍ୟର ଅନଧିକୃତ ଧାନ ମଣ୍ଡିରେ ଯେପରି ପ୍ରବେଶ କରିନପାରିବ ସେଥିପାଇଁ କଡ଼ାକଡ଼ି ଯାଞ୍ଚ କରାଯିବ।

ବେଆଇନ ଧାନ କାରବାରରେ ଲିପ୍ତ ଅସାଧୁ ବ୍ୟବସାୟୀ, ମିଲର, ଏବଂ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ହୋଇଛି। କୌଣସି ଗାଡ଼ି ବେଆଇନ ଧାନ କାରବାରରେ ଧରା ପଡ଼ିଲେ ରବି ଧାନ ସଂଗ୍ରହ କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ଏହାକୁ ଛଡ଼ା ଯିବନାହିଁ। ଆହୁରି କୁହାଯାଇଛି, ମଣ୍ଡିରେ ପଞ୍ଜୀକୃତ ଏବଂ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସେଥିପାଇଁ ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ ସ୍କ୍ବାଡ୍‌ ଗଠନ କରାଯିବ। ଅନଧିକୃତ ଧାନ ଚାଲାଣ ରୋକିବା ପାଇଁ ଚେଷ୍ଟା କରାଯିବ। ଏଥିପାଇଁ ୧୭ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କୁ ପତ୍ର ଲେଖାଯାଇଛି। ଚାଷୀଙ୍କ ଠାରୁ ପି-ପାସ, ଆଗୁଆ ଟୋକନ ପ୍ରଦାନ ମାଧ୍ୟମରେ ଧାନ ସଂଗ୍ରହ ହେବ। ରାଜ୍ୟରେ ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଧାନ ସଂଗ୍ରହ ହେବ।

ଅରୁଆ-ଉଷୁନା ଚାଉଳର ବିବାଦ ନାହିଁ, ଓଡ଼ିଶାରୁ ଭିଟାମିନ ଚାଉଳ କିଣୁଛି ଏଫ୍‌ସିଆଇ
ଏଫସିଆଇ ଡିଜିଏମ କହିଛନ୍ତି, ଓଡ଼ିଶା ସହିତ ଅରୁଆ ଏବଂ ଉଷୁନା ଚାଉଳର କୌଣସି ବିବାଦ ନାହିଁ। ଓଡ଼ିଶା ଠାରୁ ବ୍ୟାପକ ପରିମାଣରେ ଫର୍ଟିଫାଏଡ ବା ଭିଟାମିନଯୁକ୍ତ ଚାଉଳ କିଣୁଛି ଏଫସିଆଇ। ଜୁନ ସୁଦ୍ଧା ରାଜ୍ୟକୁ ୫ ଲକ୍ଷ ମେଟ୍ରିକ ଟନର ଭିଟାମିନଯୁକ୍ତ ଚାଉଳର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୬୩ ହଜାର ଚାଉଳ ଓଡ଼ିଶା ଦେଇ ସାରିଛି। ବାକି ଚାଉଳ ଜୁନ ସୁଦ୍ଧା ଓଡ଼ିଶା ଦେବ। ଏହାବାଦ ମଧ୍ୟ ଓଡ଼ିଶା ଆହୁରି ୧୦ ଲକ୍ଷ ମେଟ୍ରିକ ଟନର ଚାଉଳ ବିକ୍ରୟ ପାଇଁ ଆବେଦନ କରିଛି। ଅପପୁଷ୍ଟି ଏବଂ ରକ୍ତହୀନତାର ମୁକାବିଲା ପାଇଁ କେନ୍ଦ୍ର ସରକାର ଭିଟାମିନଯୁକ୍ତ ଚାଉଳ ଯୋଗାଣକୁ ଗୁରୁତ୍ବ ଦେଉଛନ୍ତି। ଓଡ଼ିଶା ଉଷୁନା ଚାଉଳରୁ ଭିଟାମିନଯୁକ୍ତ ଚାଉଳ ଉତ୍ପାଦନ କରୁଥିବାରୁ ଓଡ଼ିଶାର ଚାଉଳ କ୍ରୟକୁ ଏଫସିଆଇ ଗୁରୁତ୍ବ ଦେଉଛି।

ସମ୍ବନ୍ଧିତ ଖବର