ଧାନ କିଣା ପ୍ରକ୍ରିୟା ସମୀକ୍ଷା, ସୋସିଆଲ୍‌ ମିଡିଆରେ ଚାଷୀଙ୍କ ସମସ୍ୟା ବୁଝିଲେ ଯୋଗାଣ ମନ୍ତ୍ରୀ

୫‘ଟି’ ଓ ମୋ ସରକାର କାର୍ଯ୍ୟକ୍ରମ ଯୋଗୁ ମିଳିଛି ସ୍ବଚ୍ଛତା, ଏବେସୁଦ୍ଧା ୨୩% ଅଧିକ ଧାନ ସଂଗ୍ରହ

ଭୁବନେଶ୍ବର: ଚଳିତ ବର୍ଷ ଖରିଫ ଧାନ ସଂଗ୍ରହବେଳେ ଯାହାକିଛି ସମସ୍ୟା ଉପୁଜିଛି,ତାର ସମାଧାନ ପାଇଁ ଆଜି ଫେସ୍‌ବୁକ୍‌ ଲାଇଭ୍‌ ଜରିଆରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୨୦ଟି ଜିଲ୍ଲାର ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସରକାରଙ୍କ ୫’ଟି’ ଓ ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ଧାନ କିଣାରେ ବୈଷୟିକ ବ୍ୟବସ୍ଥା ଗ୍ରହଣ କରାଯାଇ କିପରି ସମ୍ପୂର୍ଣ୍ଣ ସ୍ବଚ୍ଛତା ଅଣାଯାଇପାରିଛି, ସେ ସମ୍ପର୍କରେ ଚାଷୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ସଚେତନ କରିଛନ୍ତି। ଏବେସୁଦ୍ଧା ୧୫ ଲକ୍ଷ ୨୬ ହଜାର ୭୦୧ ମେଟ୍ରିକ୍‌ ଟନ୍‌ ଖରିଫ ଧାନ ସଂଗ୍ରହ ହୋଇଛି।

ଯାହାକି ଗତବର୍ଷ ଏହି ସମୟ ଭିତର ସଂଗୃହୀତ ହୋଇଥିବା ଧାନର ପରିମାଣଠାରୁ ୨୩% ଅଧିକ ବୋଲି ସମୀକ୍ଷା ବୈଠକରେ ଜଣାପଡ଼ିଛି।
ଚାଷୀମାନଙ୍କୁ ବୁଝାଇ ଶ୍ରୀ ସ୍ବାଇଁ କହିଥିଲେ କି ଧାନକିଣାକୁ ସ୍ବଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ୍‌ସ୍‌ଗୁଡ଼ିକର ଶତପ୍ରତିଶତ କମ୍ପ୍ୟୁଟରୀକରଣ କରାଯାଉଛି। ଏହାସହିତ ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଚାଷୀଙ୍କୁ ଯେଉଁ ଟୋକନ୍‌ ପ୍ରଦାନ କରାଯାଉଛି, ସେଥିରେ ଯଦି କୌଣସି କାରଣରୁ ଚାଷୀ ମଣ୍ଡିକୁ ଧାନ ଆଣିପାରିଲେ ନାହିଁ, ତାହେଲେ ସେ କ୍ଷେତ୍ରରେ ପରବର୍ତ୍ତୀ ଏକ ମାସ ମଧ୍ୟରେ ସମ୍ପୃକ୍ତ ଚାଷୀ ଧାନ ବିକ୍ରି କରିବା ପାଇଁ ସୁଯୋଗ ପାଇବେ। ଧାନ କିଣା ହେବା ୭ ଦିନ ପୂର୍ବରୁ ଚାଷୀମାନଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କରେ ସ୍‌ଏମ୍‌ଏସ୍‌ ମାଧ୍ୟମରେ ଟୋକନ୍‌ ପ୍ରଦାନ ନେଇ ଜଣାଇ ଦିଆଯାଉଛି। ଯେଉଁ ଚାଷୀମାନଙ୍କ ନିକଟରେ ଟୋକନ୍‌ ପହଞ୍ଚୁନି, ତାର କାରଣ ମଧ୍ୟ ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯାଉଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ଯଦି ପଞ୍ଜୀକୃତ ଚାଷୀ ମଣ୍ଡିକୁ ଆଣିବେ, ତାହେଲେ ବି ସେମାନଙ୍କଠାରୁ ସରକାର କିଣିବେ। ଏବେ ଚାଲୁରହିଥିବା ଖରିଫ୍‌ ଧାନ ସଂଗ୍ରହ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ। ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ୨୦ଟି ଜିଲ୍ଲାରୁ ଆସିଥିବା ୪୭୬ଟି ପ୍ରଶ୍ନର ଉତ୍ତର ରଖିଥିଲେ।

ସମ୍ବନ୍ଧିତ ଖବର