ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କଇଥପଲ୍ଲୀ ସାହିର ବ‌ିଦେଶୀ ପ୍ରଧାନ (୨୭)। ଦିନେ ଶତାଧିକ ଅସହାୟଙ୍କ ପାଇଁ ‌ସେ ପାଲଟିଥିଲେ ସାହାରା। ବିଟେକ୍ ପଢ଼ିବା ପରେ ଚାକିରି ମୋହକୁ ଛାଡ଼ି ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ନିଃସହାୟ, ଗରିବ, ରୋଗୀ ଓ ବୃଦ୍ଧବୃଦ୍ଧାଙ୍କୁ ଯେକୌଣସି ପରିସ୍ଥିତିରେ ମଧ୍ୟ ସାହାଯ୍ୟ କରିବାକୁ ଉତ୍ସର୍ଗୀକୃତ ଥିଲେ। କେବଳ ଏତିକି ନୁହେଁ, କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟ ସାଥୀ ଯୁବକମାନଙ୍କ ସହ ମିଶି ଶତାଧିକ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇବା ସହ ଦିନରାତି ରନ୍ଧାଖାଦ୍ୟ ବାଣ୍ଟୁଥିଲେ। କେବଳ ଏତିକି ନୁହେଁ, ଆମ ଓଡ଼ିଶା ସହ‌‌‌ଯୋଗରେ ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟର ଜୀବନ ବଞ୍ଚାଇବା ସହ ଚକ୍ଷୁ ପରୀକ୍ଷା ଶିବିରରେ ମଧ୍ୟ ନେତୃତ୍ବ ନେଉଥିଲେ।

Advertisment

କିନ୍ତୁ ସମୟଚକ୍ରରେ ସବୁ କିଛି ବଦଳିଯାଇଛି। ଯିଏ ସମସ୍ତଙ୍କ ପାଇଁ ବିପଦର ବନ୍ଧୁ ଓ ଦୁଃସମୟରେ ସାହାରା ସାଜୁଥିଲେ ଆଜି ସେ ନିଜେ ବେସାହାରା ପାଲଟିଯାଇଛନ୍ତି। ସିକିଲସେଲ୍ ଓ ନିମୋନିଆ ଭଳି ଡାକ୍ତରଖାନାର ଆଇସିୟୁରେ ଜୀବନଯୁଦ୍ଧରେ ଲଢ଼ୁଥିବା ବେଳେ ଚିକିତ୍ସା ପାଇଁ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଆଉ ତାଙ୍କ ଜୀବନକୁ ବଞ୍ଚାଇବା ଲାଗି ସାଙ୍ଗସାଥୀମାନେ ବି ଦିନରାତି ଏକ କରିଦେଇଛନ୍ତି।

ଆଇସିୟୁରେ ଜୀବନଯୁଦ୍ଧରେ ଲଢ଼ୁଛନ୍ତି ବିଦେଶୀ
ଚାକିରି ମୋହ ଛାଡ଼ି ସମାଜସେବାକୁ ଜୀବନର ବ୍ରତ କରିଥିଲେ

ଛୋଟରୁ ଜଣେ ମୋଧବୀ ଛାତ୍ର ବିଦେଶୀ ମେକାନିକାଲ୍ ଇଞ୍ଜିନିୟର୍ ଟ୍ରେଡରେ ବିଟେକ୍ ସାରିଛନ୍ତି। କିନ୍ତୁ ପାଠପଢ଼ା ସାରିବା ପରେ ରାଜ୍ୟ ବାହାରକୁ ଯାଇ ଚାକିରି କରି ରୋଜଗାର କରିବା ବଦଳରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇଥିଲେ। ଏଥିପାଇଁ ସେ କରୋନା ମହାମାରୀ ସମୟରେ ଚଢ଼ିଆପଲ୍ଲୀ ଗ୍ରାମର କିଛି ଯୁବକଙ୍କୁ ନେଇ ଗଠିତ ଗୋପବନ୍ଧୁ ଚାରିଟେବୁଲ୍ ଟ୍ରଷ୍ଟ୍‌ର ସଦସ୍ୟ ଭାବେ ସାମିଲ ହୋଇଥିଲେ। ଏହାପରଠୁ ବିଦେଶୀ ପଛକୁ ଫେରି ନଥିଲେ।

ଲକଡାଉନ୍ ବେଳେ ଟ୍ରଷ୍ଟ୍‌ର ୭୦ରୁ ଅଧିକ ସହଯୋଗୀଙ୍କ ସହ ମିଶି ନୟାଗଡ଼ ଜିଲ୍ଲାର ଶରଣକୁଳରୁ ଭଞ୍ଜନଗର ପର୍ଯ୍ୟନ୍ତ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଥିଲେ। ନିଜର ସେବା ମନୋବୃତ୍ତି ପାଇଁ ବିଦେଶୀ ପିଲାଠୁ ବୁଢ଼ା ସମସ୍ତଙ୍କ ପାଇଁ ପ୍ରିୟର ସିଲୁ ଭାଇ ପାଲଟିଯାଇଥିଲେ। ଏହାସହ ଗରିବଙ୍କୁ ଡାକ୍ତରଖାନକୁ ନେଇ ଚିକିତ୍ସା କରାଇବା ସହ ରକ୍ତଦାନ ଶିବିର ଆୟୋଜନ କରଥିଲେ।
ତେବ‌େ ବିଧିର ବିଧାନ ବୋଧହୁଏ କିଛି ଅଲଗା ଥିଲା। ଗତ ୧୦ ତାରିଖରେ ବିଦେଶୀ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ଜଗନ୍ନାଥପ୍ରସାଦ ପରେ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଭୁବନେଶ୍ବରର ସମ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ପରୀକ୍ଷାନିରୀକ୍ଷା ପରେ ବିଦେଶୀ ନିମୋନିଆ ଓ ସିକିଲସେଲ୍‌‌ରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ପ୍ରତିଦିନ ୪୦ ହଜାର ଟଙ୍କା ଦରକାର ପଡ଼ୁଛି। ବିଦେଶୀ ବର୍ତ୍ତମାନ ଆଇସିୟୁରେ ଥିବା ବେଳେ ତାଙ୍କ ଶରୀର ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି।

ପାଞ୍ଚଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ହେଁ, ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁନି। ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ବିଭିନ୍ନ ଆଡ଼ୁ ସହାୟତାର ହାତ ବଢ଼ାଇବାକୁ ପରିବାରବର୍ଗ ଆକୁଳ ନିବେଦନ କରିଛନ୍ତି। ସେହିପରି ବୁନ୍ଦାଏ ବୁନ୍ଦାଏ ପାଣିରୁ ସମୁଦ୍ର ସୃଷ୍ଟି ଭଳି ଗୋପବନ୍ଧୁ ଚାରିଟେବୁଲ୍ ଟ୍ରଷ୍ଟ୍‌ର ପ୍ରତିଟି ସଦସ୍ୟ ବିଦେଶୀଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଦିନରାତି ଏକ କରିଦେଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପ‌ାରୁ ନିଶ୍ଚିତ ଭାବେ ବିଦେଶୀ ସୁସ୍ଥ ହୋଇ ଫେରିବେ ବୋଲି ସଞ୍ଜୟ ପ୍ରଧାନ, ଆଲୋକ ପଟ୍ଟନାୟକ, ବାବୁଲା ଗୌଡ଼, ମନୋଜ ସେଠୀ, ସୁଶୀଲ ପ୍ରଧାନ ଓ ବସନ୍ତ ପ୍ରଧାନ ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି।