ପୁରୀ : ଶ୍ରୀମନ୍ଦିରରେ ସେବକ ସଂଖ୍ୟା ସୀମିତ କର। ପାଳି ଖଟୁଥିବା ସେବକଙ୍କୁ ଛାଡ଼ି ଅନ୍ୟଙ୍କୁ କାଣ୍ଟଛାଣ୍ଟ କର। ଶିକ୍ଷିତ ସେବକଙ୍କ ଉପରେ ସର୍ବାଧିକ ଗୁରୁତ୍ବ ଦିଅ। ସେବକ ସଂଖ୍ୟା ବଢ଼ିଲେ, ଅଯଥା ବିଶୃଙ୍ଖଳା ବଢ଼ୁଛି। ଏଣୁ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ନିଅ। ୨୦୧୮ ମସିହାରେ ବରିଷ୍ଠ ଆଇନଜୀବୀ ମୃଣାଳିନୀ ପାଢ଼ୀ ମାମଲା(‌ରିଟ୍‌ ପିଟିସନ୍‌ ନଂ-୬୪୯/୨୦୧୮)ର ଶୁଣାଣି କରି ଏଭଳି ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେହିସମୟରେ ଏ ଉପରେ ଶ୍ରୀମନ୍ଦିର ପ୍ରଶାସନକୁ ବି ରିପୋର୍ଟ ମାଗିଥିଲେ। କେତେଜଣ ସେବକରେ ଦୈନିକ ନୀତିକାନ୍ତି ସଂପାଦନ ହୋଇପାରିବ, ତାର ସବିଶେଷ ତଥ୍ୟ ଦେବାକୁ କହିଥିଲେ। ଶ୍ରୀମନ୍ଦିର ପ୍ରଶାସନ ବି ସତ୍ୟପାଠ ଜରିଆରେ ୩୬ଜଣ ସେବକରେ ଦୈନିକ ନୀତିକାନ୍ତି ସଂପାଦନ ହୋଇପାରିବ ବୋଲି ମତ ରଖିଥିଲେ। ସେହି ଅନୁଯାୟୀ ସେବକ କାଣ୍ଟଛାଣ୍ଟ କରିବାକୁ ମତ ବାଢ଼ିବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି ସୁପ୍ରିମକୋର୍ଟଙ୍କ ଏହି ଆଦେଶ କାର୍ଯ୍ୟକାରୀ ହୋଇପାରିନି। ସେବକ ସଂଖ୍ୟାକୁ ସୀମିତ କରାଯାଇନି। ଓଲଟା ସେବକ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି।

Advertisment

୨୦୧୮ ମସିହାରେ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଶ୍ରୀମନ୍ଦିର ପ୍ରଶାସନ ଜଣାଇଥିଲେ ଯେ ବର୍ତ୍ତମାନ ଶ୍ରୀମନ୍ଦିରରେ ୨୫ଶହ ସେବକ ମହାପ୍ରଭୁଙ୍କ ସେବା କରୁଛନ୍ତି। ଆବଶ୍ୟକ ସଂଖ୍ୟା ଅନୁଯାୟୀ ଏହି ସଂଖ୍ୟାକୁ ସୀମିତ କରିହେବ। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଏକ ୩୬ଜଣିଆ ତାଲିକା ଦେଇଥିଲା। ଯେଉଁଥିରେ ଦେଉଳ ପୁରୋହିତ ଜଣେ, ପୂଜାପଣ୍ଡା ୩ଜଣ, ପୁଷ୍ପାଳକ ୩ଜଣ, ପୁରାଣ ପଣ୍ଡା ଜଣେ, ଜ୍ୟୋତିଷ ଜଣେ, ଭିତରଚ୍ଛ ମହାପାତ୍ର ଜଣେ, ଭଣ୍ଡାର ମେକାପ ଜଣେ, ଚାଙ୍ଗଡ଼ା ମେକାପ ଜଣେ, ପତ୍ରି ବଡ଼ୁ ଜଣେ, ଖୁଣ୍ଟିଆ ଜଣେ, ଘଟୁଆରି ଜଣେ, ଅମିନ ମହାସୁଆର ଜଣେ, ପାଳିଆ ମହାସୁଆର ଜଣେ, ଅନ୍ୟ ସୁଆର ୨ଜଣ, ପାଣିଆ ସୁଆର ଜଣେ, ପିଠା ସୁଆର ୪ଜଣ, ସୁଆରବଢ଼ୁ ଜଣେ, ପାଣିଆପଟ ଜଣେ, ଧୋପଖାଳିଆ ୩ଜଣ, ପ୍ରତିହାରୀ ଜଣେ , ଲୁଗାଧୁଆ, ପାଣିକୁଣ୍ଡ ପାଇଁ ଜଣେ, ମହୁରିଆ, କାହାଳିଆ, ଘଣ୍ଟୁଆ, ବୈଜୟନ୍ତୀ ଓ ବିଣାକାରଙ୍କୁ ମିଶାଇ ୫ଜଣ, ଏଭଳି ୩୬ଜଣ ଦୈନନ୍ଦିନ ନୀତିକାନ୍ତି ପାଇଁ ଆବଶ୍ୟକ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉନ୍ନତି କମିଟି ସତ୍ୟପାଠ ଜରିଆରେ ‘ଆନେକ୍ସର-ଏ’ ଏହା ସ୍ପଷ୍ଟ ଭାବେ ଜଣାଇଥିଲା।

ସତ୍ୟପାଠରେ ଦୈନିକ ନୀତିକାନ୍ତି ପାଇଁ ୩୬ଜଣ ସେବକ ଆବଶ୍ୟକ ବୋଲି ଜଣାଇଥିଲା ମନ୍ଦିର ପ୍ରଶାସନ
ତଥାପି ଶାଢ଼ିବନ୍ଧା ଅଟକୁନି, ୨୦୧୬ ଫାଇଲ୍‌କୁ ବି ମିଳୁଛି ମଞ୍ଜୁରି
ପ୍ରମୁଖ ଆଦେଶ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି: ମୃଣାଳିନୀ ପାଢ଼ୀ

publive-image

ସେପଟେ ଶ୍ରୀମନ୍ଦିରରେ କୌଣସି ସେବକ ମହାପ୍ରଭୁଙ୍କ ନୀତିକାନ୍ତି କରିବା ପୂର୍ବରୁ ଶାଢ଼ିବନ୍ଧା ନୀତି ସମ୍ପନ୍ନ ହେବାର ବିଧି ରହିଛି। ଶାଢ଼ିବନ୍ଧା ପୂର୍ବରୁ ଅନେକ ଯାଞ୍ଚ ବ୍ୟବସ୍ଥା ବି ରହିଛି। ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନକୁ ସେବା ପାଇଁ ଆବେଦନ କରିବା ପରେ ଶ୍ରୀମନ୍ଦିର ନୋଟିସ ବୋର୍ଡରେ ଏ ସମ୍ପର୍କରେ ଆପତ୍ତି ଅଭିଯୋଗ ଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସମ୍ପୃକ୍ତ ନିଯୋଗ ସହ ଥାନାର ରିପୋର୍ଟ, ଦେଉଳକରଣ, ତଢ଼ଉକରଣ, କମାଣ୍ଡର, ପାଟ୍ଟଯୋଶୀ ମହାପାତ୍ରଙ୍କ ରିପୋର୍ଟର ତର୍ଜମା କରାଯିବ। ଆବେଦନକାରୀଙ୍କ କୌଣସି ଅପରାଧିକ ମାମଲା ଅଛି କି ନାହିଁ, କିଭଳି ବ୍ୟକ୍ତିତ୍ବ, ଶିକ୍ଷିତ କି ଶିକ୍ଷିତ ନୁହଁନ୍ତି, ଏଭଳି ବିଭିନ୍ନ ଦିଗରୁ ଯାଞ୍ଚ ହେବ। ଅପରାଧିକ ମାମଲା ଅବା ସମ୍ପୃକ୍ତ ବ୍ୟକ୍ତିବିଶେଷ ଯଦି ଏହାଉପରେ ଆପତ୍ତି ଉଠାନ୍ତି, ତେବେ ଆବେଦନକାରୀ ଅଯୋଗ୍ୟ ଘୋଷଣା ହେବେ। ଯଦି ଆବେଦନକାରୀ ଯୋଗ୍ୟ ବିବେଚିତ ହୁଅନ୍ତି, ସେ ଶାଢ଼ି ବନ୍ଧାଇବା ସହ ମହାପ୍ରଭୁଙ୍କ ସେବା କରିବା ଅଧିକାର ପାଇବେ। ଚିତା ଲାଗି ଅମାବାସ୍ୟା ପରଠାରୁ ଅକ୍ଷୟ ତୃତୀୟ ପୂର୍ବ ସମୟ ଭିତରେ ଶାଢ଼ିବନ୍ଧା ନୀତି ସମ୍ପନ୍ନ ହୋଇଥାଏ। ଶ୍ରୀମନ୍ଦିର ପ୍ରଶାସନ ଏମାନଙ୍କୁ ସ୍ବୀକୃତି ପ୍ରଦାନ କରିଥାଏ। ୨୦୧୬ ମସିହାରୁ ନଜର ପକାଇଲେ ଏଭଳି ୪ଶହରୁ ଅଧିକ ମହାପ୍ରଭୁଙ୍କ ସେବା ପାଇଁ ଆବେଦନ କରିଛନ୍ତି। ଏଣୁ ଶ୍ରୀମନ୍ଦିର ପ୍ରଶାସନକୁ କାଣ୍ଟଛାଣ୍ଟ କରିବା ବଦଳରେ ୨୦୧୬ ମସିହାରୁ ଥିବା ଆବେଦନରୁ ବହୁ ଆବେଦନକାରୀଙ୍କୁ ସେବା କରିବାର ସୁଯୋଗ ଦେଇଛି। ଫଳରେ ଦିନକୁ ଦିନ ସେବାୟତ ସଂଖ୍ୟା ସୀମିତ ହେବା ବଦଳରେ ବଢ଼ିବାରେ ଲାଗିଛି।

ଏ ସମ୍ପର୍କରେ ଆଇନଜୀବୀ ଶ୍ରୀମତୀ ପାଢ଼ୀ କହିଛନ୍ତି, ସୁପ୍ରିମକୋର୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାୟ ଦେବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଅନ୍ୟ ଆଦେଶ କିଭଳି କାର୍ଯ୍ୟକାରୀ କରିବ ବୋଲି ଆଶା କରିବା ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ ବି ମତାମତ ନେବା ସମ୍ଭବ ହୋଇନି।