ସର୍ବନିମ୍ନ ପେନସନ୍ ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି

ଭୁବନେଶ୍ବର : ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ରାଜ୍ୟ ସରକାର ସର୍ବନିମ୍ନ ପେନସନ୍ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ୮ମାସ ତଳୁ ନିର୍ଦ୍ଦେଶ ଦେଲେଣି। ହେଲେ କିଛି ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ସୁଦ୍ଧା ବି ଏହି କର୍ମଚାରୀମାନଙ୍କୁ ପେନସନ୍ ମିଳିନି। ଏପରିକି ଅବସରପ୍ରାପ୍ତ କର୍ମଚାରୀମାନେ ବୃଦ୍ଧାବସ୍ଥାରେ ସରକାରୀ କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ପେନସନ୍ ପ୍ରଦାନ କରିବାକୁ ପଞ୍ଚାୟତିରାଜ, ଅର୍ଥ ଓ ଆଇନ ବିଭାଗର ଅନୁମୋଦନ ଆଣିଲେ। ଡିସେମ୍ବର ୯, ୨୦୨୨ରେ ଏହାର ଚୂଡ଼ାନ୍ତ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। କିନ୍ତୁ ସେଠାରେ ବି ଫାଇଲ୍‌ଟି ୫୦ଦିନରୁ ଅଧିକ ପଡ଼ିରହିଥିଲେ ହେଁ କିଛି କର୍ମଚାରୀ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଅନୁମୋଦନ କରାଇଦେଉନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏନେଇ ଧ୍ୟାନ ଦେବାକୁ ଅବସରପ୍ରାପ୍ତ କର୍ମଚାରୀମାନେ ଅନୁରୋଧ କରିଛନ୍ତି।

ଅବସରପ୍ରାପ୍ତ କର୍ମଚାରୀମାନେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ସମ୍ପାଦକମାନଙ୍କୁ ରାଜ୍ୟ ସରକାର ୨୦୦୯ରେ ପଦୋନ୍ନତି ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ କଲେ। ହେଲେ ପଦୋନ୍ନତି ମିଳିବାର କିଛି ମାସ ମଧ୍ୟରେ ବହୁ କର୍ମଚାରୀ ଅବସ‌ର ନେଲେ। ଅଳ୍ପ ସମୟ ସରକାରୀ ପଦବିରେ ରହି ଅବସର ନେଇଥିବାରୁ ପେନସନ୍ ଦେବା ପାଇଁ ଆବେଦନ କରିଥିଲୁ। କିନ୍ତୁ ସରକାର ପେନସନ୍ ଦେବାକୁ ମନା କରିବାରୁ ସ୍ୟାଟ୍‌ର କଟକ ବେଞ୍ଚରେ କେସ୍‌ କରିଥିଲୁ। ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ ବି ହାରିଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ଜୁନ୍‌୧, ୨୦୨୨ରେ ପଞ୍ଚାୟତିରାଜ ବିଭାଗରେ ପେନସନ୍ ପାଇଁ ଆବେଦନ କଲୁ। ଏହାପରେ ବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତିନି ମାସ ମଧ୍ୟରେ ପେନସନ୍ ନମିଳିବାରୁ ହାଇକୋର୍ଟରେ କୋର୍ଟ ଅବମାନନା କେସ୍‌ କରିଥିଲୁ। ଡିସେମ୍ବର ୨୧ରେ ୪ଟି କେସ୍ ଏବଂ ସେପ୍ଟେମ୍ବର ୨୦୨୨ରେ ୫୨ଟି କେସ୍‌ରେ ୩ମାସ ମଧ୍ୟରେ ପେନସନ୍ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ପ୍ରଶାସନ ଶୁଣୁନି। ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଅବସରପ୍ରାପ୍ତ କର୍ମଚାରୀମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର