ଜଗତସିଂହପୁର: ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିବା ଏକ ଟ୍ରଲର ଉପରକୁ ଅଥଳ ପାଣି ଭିତରୁ ହଠାତ୍ ଚଢ଼ି ଆସିଥିଲେ ଜଣେ ଯୁବକ। ଉକ୍ତ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ଭୟଭୀତ ହୋଇ ତୁରନ୍ତ ସାମୁଦ୍ରିକ ଥାନା ପୁଲିସ୍କୁ ଖବର ଦେଇଥିଲେ। ପରେ ସାମୁଦ୍ରିକ ଥାନା ପୁଲିସ୍ ଉକ୍ତ ଯୁବକକୁ ଥାନାକୁ ଆଣି ପଚରାଉଚରା କରୁଥିଲେ ବି ସଂପୃକ୍ତ ଯୁବକ ଠାରୁ ଏଯାଏ ସନ୍ତୋଷଜନକ ଉତ୍ତର ପାଇ ପାରିନାହିଁ। ତାର ମାନସିକ ଅବସ୍ଥା ଠିକ୍ ନଥିବା ପୁଲିସ୍ ଅନୁମାନ କରୁଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ଜେନା ସୂଚନା ଦେଇଛନ୍ତି।
ପାରାଦୀପରୁ ୭୧ ନଟିକାଲ୍ ମାଇଲ୍ ଦୂର ଚିଲିକା ନିକଟରେ ମାଛ ଧରିବା ପାଇଁ ଯାଇଥିବା ଓଁ ନମଃ ଶିବାୟ ନାମକ ଏକ ଟ୍ରଲରଟି ଅଟକି ରହିଥିଲା। ଏହି ସମୟରେ ପାଣି ଭିତରୁ ହଠାତ୍ ଜଣେ ଯୁବକ ଟ୍ରଲର ଉପରକୁ ଚଢ଼ି ଆସିଥିଲା। ଏହା ଦେଖି ଉକ୍ତ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ବେଶ୍ ଭୟଭୀତ ହୋଇପଡ଼ିଥିଲେ। ସେମାନଙ୍କଠାରୁ ଖବର ପାଇ ସାମୁଦ୍ରିକ ଥାନା ପୁଲିସ ସେଠାରେ ପହଞ୍ଚି ଉକ୍ତ ଯୁବକକୁ ସ୍ଥଳଭାଗକୁ ଆଣିବା ସହ ପ୍ରଥମେ ଅଠରବାଙ୍କୀ ସ୍ଥିତ ବିଜୁ ମେମୋରିଆଲ ହସପିଟାଲକୁ ତାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଇଥିଲେ। ଏହାପରେ ଥାନାକୁ ଆଣି ପଚରାଉଚରା କରିବାରୁ ଯୁବକ ଜଣକ ତାର ନାଁ କୁଶ ତିର୍କୀ ଓ ସେ ଝାଡ଼ଖଣ୍ଡର ବୋଲି କହିଥିଲା। କିନ୍ତୁ ସେ ସମୁଦ୍ର ଭିତରକୁ କେମିତି ଆସିଲା, ତାହାର ଉତ୍ତର ସେ ଠିକ୍ ଭାବେ ଦେଇ ପାରୁ ନାହିଁ। କେତେବେଳେ ଭାସି ଭାସି ପଳାଇଛି ବୋଲି କହୁଥିଲା ବେଳେ କେତେବେଳେ ଅନ୍ୟ ବୋଟରେ ପଳାଇ ଆସିଛି ବୋଲି କହୁଛି। ସେ ହିନ୍ଦୀ, ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ କହି ପାରୁଛି। ଯୁବକ ସଂପର୍କରେ ପୁଲିସ ତଦନ୍ତ ଜାରି ରଖିଛି। କିଛି ଦିନ ତଳେ ସମୁଦ୍ରରୁ ଏକ ସନ୍ଦିଗ୍ଧ ପାରା ଧରାପଡ଼ିଥିବା ବେଳେ ଆଜି ଏଭଳି ଆଶ୍ଚର୍ଯ୍ୟଜନକ ଢଙ୍ଗରେ ଯୁବକ ଜଣକ ମଝି ସମୁଦ୍ରରେ ଚଢି ଯିବା ଘଟଣା ରହସ୍ୟଜନକ ମନେ ହେଉଛି।