ଦାରିଦ୍ର‌୍ୟର କଷାଘାତ ନେଇଗଲା ନାବାଳିକା କଣ୍ଢେଇର ଜୀବନ, ଫେଲ୍‌ ମାରିଲା ବ୍ୟବସ୍ଥା

ନେଇପାରିଲାନି କୁକୁର କାମୁଡ଼ା ଇଂଜେକ୍ସନ୍‌

ବାରିପଦା: ଫେଲ୍‌ ମାରିଲା ବ୍ୟବସ୍ଥା। ଦାରିଦ୍ର୍ୟର କରୁଣ ପରିସ୍ଥିତି ଏବଂ ସଚେତନତାର ଅଭାବ ଅକାଳରେ ନେଇଗଲା ନାବାଳିକା କଣ୍ଢେଇର ନିରୀହ ଜୀବନ। କୁକୁର କାମୁଡ଼ିବା ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଘଟିଛି ଏପରି ଦୁଃଖଦ ଅଘଟଣ। ବାରିପଦା ପୌରପରିଷଦର ୱାର୍ଡ ନଂ-୭ ମଧୁବନ ଡଙ୍ଗାସାହିରେ ସ୍ୱାମୀ ପରିତ୍ୟକ୍ତା ତଥା ମାନସିକ ରୋଗୀ(ପାଗେଳୀ) ଲିପି ବେହେରା ବାପଘରେ ଆଶ୍ରୟ ନେଇଛନ୍ତି। ତାଙ୍କ ଝିଅ କଣ୍ଢେଇ(୬) ନିକଟସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢ଼ୁଥିଲା । ପ୍ରାୟ ୨୦ ଦିନ ପୂର୍ବେ କଣ୍ଢେଇକୁ ଏକ ବୁଲା କୁକୁର କାମୁଡ଼ି ଦେଇଥିଲା । ଘରେ କଣ୍ଢେଇର ପାଗେଳୀ ମା’ ସହିତ ବୃଦ୍ଧା ଆଈ ଓ ବୃଦ୍ଧ ଅଜାଙ୍କୁ ମିଶାଇ ୪ ପ୍ରାଣୀ କୁଟୁମ୍ବ ।

ବୃଦ୍ଧ ଅଜା ଶରତ ଚନ୍ଦ୍ର ସାହୁ(୭୫) ଭିକ୍ଷାବୃତ୍ତି କରି ଯାହା ନେଇ ଆସିଥାନ୍ତି ସେଥିରେ ପରିବାର ମୁହଁରେ ଦୁଇ ବେଳା ଆହାର ଯୋଗାଇବା କଷ୍ଟକର ହୋଇଥାଏ । ଏଭଳି ପରିସ୍ଥିତିରେ କଣ୍ଢେଇକୁ ହସ୍‌ପିଟାଲ ନେଇ ଚିକିତ୍ସା ଯୋଗାଇ ଦେବା ସମ୍ଭବ ହୋଇପାରିନଥିଲା । ଏଣେ କୁକୁର କାମୁଡ଼ିବା ପରେ କଣ୍ଢେଇ ରାବି‌ଷ୍‌(ହାଇଡ୍ରୋଫୋବିଆ) ସଂକ୍ରମଣର ଶିକାର ହୋଇ ଜଳାନ୍ତକ ରୋଗରେ ପିଡ଼ୀତ ହୋଇଥିଲେ। ଉପଯୁକ୍ତ ଚିକିତ୍ସା ଅଭାବରୁ ଶେଷରେ ଜୀବନ ଯୁଦ୍ଧରେ ପରାସ୍ତ ହୋଇ ସବୁଦିନ ପାଇଁ ଆଖିବୁଜି ଦେଇଛି ଏକ ନିଷ୍ପାପ ଜୀବନ । ଏପରି ସ୍ଥିତିରେ କଣ୍ଢେଇଙ୍କର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

 

ସମ୍ବନ୍ଧିତ ଖବର