ଭୁବନେଶ୍ବର: ଦୀପାବଳିରେ ସୁପ୍ରିମକୋର୍ଟଙ୍କ କଟକଣା ମାନି ନ ଥିଲେ। ବେଧଡ଼କ ଭାବେ ବାଣ ଫୁଟାଇ ପରିବେଶକୁ ଏଭଳି ପ୍ରଦୂଷିତ କରିଥିଲେ ଯେ ତିନି ଦିନ ବାୟୁ ମଣ୍ଡଳ ସାରା ବିଷାକ୍ତ ବାୟୁ ଘୂରି ବୁଲିଥିଲା। ଭୁବନେଶ୍ବର ଓ କଟକ ସମେତ ବାରିପଦା, ବ୍ୟାସନଗର, ରାଉରକେଲା, ତାଳଚେର, କଟକ, ସମ୍ବଲପୁର, କେନ୍ଦୁଝର, ବାଲେଶ୍ବର ସହରର ଲୋକେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ପ୍ରଦୂଷଣ ମାତ୍ରା କିଭଳି କମାଯାଇପାରିବ ସେନେଇ ବିଭିନ୍ନ ସ୍ତରରେ ମାନସମନ୍ଥନ ହୋଇଥିଲା। ଅନୁଗୁଳ ଅବସ୍ଥା ତ ସାଂଘାତିକ ସ୍ତରକୁ ଚାଲିଯାଇଥିଲା। ବିଷାକ୍ତ ଧୂଆଁ ସାଙ୍ଗକୁ ଧୂଳି ମିଶି ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଆସ୍ତରଣ(ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ)) ୩୫୦ ଉପରକୁ ଚାଲି ଯାଇଥିଲା। ଦୀପାବଳି ପାଳନର ୭ ଦିନ ପରେ ମଧ୍ୟ ପରିସ୍ଥିତି ସୁଧିରିନି। ତାଳଚେରରେ ଛୋଟ ଧୂଳିକଣା ଭର୍ତ୍ତି ହୋଇରହିଛି। ତେବେ ଅନ୍ୟ ସ୍ଥାନରେ ପାଟିକୁଲେଟ୍‌ ମ୍ୟାଟର୍‌ (ପିଏମ୍‌)-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ଧୀରେ ଧୀରେ କମିବା ଆରମ୍ଭ କରିଛି।

Advertisment

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରିପୋର୍ଟ ଅନୁସାରେ ନଭେମ୍ବର ୧୨ ତାରିଖ ଓ ୧୩ ତାରିଖ ଅପରାହ୍ଣ ୪ଟା ମଧ୍ୟରେ ଅର୍ଥାତ୍‌ ଦୀପାବଳି ସମୟରେ ଭୁବନେଶ୍ବର ବାୟୁମଣ୍ଡଳର ପିଏମ୍‌-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୮୦ ରହିଥିଲା। ୧୪ ତାରିଖ ଅପରାହ୍ଣ ୪ଟାରେ ମଧ୍ୟ ପ୍ରଦୂଷଣର ମାତ୍ରା ୨୬୪ରେ ଥିଲା। ତେବେ ଅନୁଗୁଳ ସହର ସ୍ଥିତିରେ କୌଣସି ବି ପରିବର୍ତ୍ତନ ହୋଇ ନ ଥିଲା। ୧୩ ତାରିଖ ଅପରାହ୍ଣ ୪ଟାରେ ଅନୁଗୁଳରେ ପିଏମ୍‌-୨.୫ର ମାତ୍ରା ୩୫୫ ରହିଥିବା ବେଳେ ୧୪ ତାରିଖରେ ୩୫୩ରେ ଥିଲା। ଆଜି ଦିନରେ ପିଏମ୍‌-୨.୫ ମାତ୍ରା ଅନୁଗୁଳରେ କମିଥିଲେ ମଧ୍ୟ ପିଏମ୍‌-୧୦ ବା ବଡ଼ ଧୂଳିକଣାର ମାତ୍ରା ବାୟୁ ମଣ୍ଡଳରେ ୧୨୪ ରହିଛି, ଯାହାକି ମଧ୍ୟମଧରଣର ପ୍ରଦୂଷଣ ସ୍ଥିତି ବୋଲି ବିଶେଷଜ୍ଞ କହୁଛନ୍ତି। ରାଉରକେଲାରେ ମଧ୍ୟ ଏକ୍ୟୁଆଇ ୧୨୦ ରହିଛି। ଦୀପାବଳିରେ ସର୍ବାଧିକ ପ୍ରଦୂଷିତ ହୋଇଥିବା ଭୁବନେଶ୍ୱର ସହରର ପରିବେଶ ଧୀ‌ରେ ଧୀରେ ସ୍ବାଭାବିକ ସ୍ତରକୁ ଫେରୁଛି। ଦୀପାବଳି ଦିନ ସହରର ପିଏମ୍‌-୧୦ ମାତ୍ରା ୩୮୦ ଥିଲା। ଆଜି ଦିନରେ ତାହା ୭୫କୁ ହ୍ରାସ ପାଇଛି। ସେହିପରି ବାଲେଶ୍ବରରେ ୯୮, ବାରିପଦାରେ ୮୨, ବ୍ୟାସନଗରରେ ୮୩, କଟକରେ ୭୦ ଓ କେନ୍ଦୁଝରରେ ୯୬ ରେକର୍ଡ ହୋଇଛି। ତାଳଚେରରେ ପିଏମ୍‌-୨.୫ ମାତ୍ରା ୯୦ ରହିଛି। ଏହି ସହରର ବାୟୁମଣ୍ଡଳରେ କ୍ଷୁଦ୍ର ଧୂଳିକଣା ଘୂରି ବୁଲୁଛି। ଯାହାକି ବିଷାକ୍ତ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସୂଚନଯୋଗ୍ୟ ଯେ ସାଧାରଣ ବାୟୁର ଏକ୍ୟୁଆଇ ୫୦ କିମ୍ବା ତା’ଠାରୁ ତଳକୁ ରହିଲେ, ଭଲ ବୋଲି ବିବେଚନା କରାଯାଏ। ସେହିପରି ସୂଚକାଙ୍କ ୫୦ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର, ୨୦୧ରୁ ୩୦୦ ଭିତରେ ରହିଲେ ସାଂଘାତିକ ଓ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତିସାଂଘାତିକ ବୋଲି ଧରାଯାଏ। ସେହି ଅନୁଯାୟୀ ଦେଖିଲେ ରାଜ୍ୟର ସମସ୍ତ ସହରର ବାୟୁର ମାନ ଭଲ ଅବସ୍ଥାକୁ ଫେରୁଥିବା ସିପିସିବି ରିପୋର୍ଟରେ କୁହାଯାଇଛି।