ମୁମ୍ବାଇରେ ‘ଦି ଟଲ୍‌ ମ୍ୟାନ୍‌’ ଉପସ୍ଥାପନା ସମାରୋହ

‘ଯେଉଁଠି ଥାଆନ୍ତୁ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ’

ଭୁବନେଶ୍ୱର : ‘‘ବିଜୁ ବାବୁ ଚାହୁଁଥିଲେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ସେମାନେ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ। ଆଜି ମୁମ୍ବାଇର ଓଡ଼ିଆମାନଙ୍କର ସଫଳତା ଦେଖି ମୋତେ ବହୁତ ଖୁସି ଲାଗୁଛି। କଳିଙ୍ଗର ପୂର୍ବ ଗୌରବ ଫେରାଇ ଆଣିବା ଏବଂ ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢ଼ି ତୋଳିବା ପାଇଁ ମିଳିତ ଭାବରେ ଉଦ୍ୟମ କରିବା ବିଜୁ ବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।’’, ଆଜି ଏମିତି ଢଙ୍ଗରେ ମୁମ୍ବାଇଠାରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତକ ‘ଦ ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ର ଉପସ୍ଥାପନା ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ବାବୁ ଯେତେବେଳେ ୩୬ ବର୍ଷ ବୟସର ଥିଲେ, ସେତେବେଳେ ସେ କଳିଙ୍ଗ ୟୁନେସ୍କୋ ପୁରସ୍କାର ଆରମ୍ଭ କରିଥିଲେ। ବିଜ୍ଞାନର ଲୋକପ୍ରିୟତା ପାଇଁ ୧ହଜାର ପାଉଣ୍ଡର ଏହି ପୁରସ୍କାର କରାଯାଇଥିଲା। ୧୯୫୧ରେ ଅନ୍ତର୍ଜାତିକସ୍ତରରେ ଏଭଳି ଏକ ପୁରସ୍କାର ପ୍ରଦାନ କରାଯିବା କମ୍‌ ଗୌରବର କଥା ନୁହେଁ। ଏହା ସେତେବେଳେ ନୋବେଲ୍‌ ପୁରସ୍କାରର ବିକଳ୍ପ। ଓଡ଼ିଶାକୁ, ଓ଼ଡ଼ିଆ ଜାତିକୁ ତଥା କଳିଙ୍ଗ ଗୌରବ ପାଇଁ ତାଙ୍କର ଭଲ ପାଇବାର ତୁଳନା ନାହିଁ।

ୟଶୱନ୍ତରାଓ ଚୌହାନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ୧୮୪ ପୃଷ୍ଠାର ବହିରେ ବାନ୍ଧି ରଖିବା ସମ୍ଭବ ନୁହେଁ। ‘ଦ ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ସମସ୍ତଙ୍କ ପାଇଁ ଏକ ଉପାଦେୟ ତଥା ସଂଗ୍ରହଣୀୟ ପୁସ୍ତକ ହେବ।

ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପ କାର୍ବନ୍‌ ବ୍ଲାକ୍‌ ବିଜିନେସର ଗ୍ଲୋବାଲ୍‌ ଏଚ୍‌ଆର୍‌ ଓ ସିଇଓ, ସନ୍ତୃପ୍ତ ମିଶ୍ର କହିଥିଲେ, ‘‘ଓଡ଼ିଶାର ଜଗନ୍ନାଥଙ୍କ ମହିମା, କଳା ସଂସ୍କୃତିର କରିସ୍ମା, ବିଜୁ ବାବୁଙ୍କ ଗରିମା ଭାଷାରେ ବର୍ଣ୍ଣନା କରିବା ସହଜ କଥା ନୁହେଁ। ବିଜୁ ବାବୁଙ୍କ ବ୍ୟକ୍ତିତ୍ୱକୁ ଅତି ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯଦି ମୋତେ କୁହାଯାଏ ତେବେ ମୁଁ ୬ଟି ଶବ୍ଦରେ ବର୍ଣ୍ଣନା କରିବି। ତାହା ହେଉଛି ସ୍ୱପ୍ନ, ସାହସ, ସଙ୍କଳ୍ପ, ସଂଯୋଗ, ସୃଷ୍ଟି ଓ ସାର୍ଥକ। ଏହି ପ୍ରତିଟି ଶବ୍ଦ ବିଜୁ ବାବୁଙ୍କ ଜୀବନ ଓ କାର୍ଯ୍ୟଧାରାରେ ଆମେ ଦେଖିବାକୁ ପାଉ।’’

ସେହିଭଳି ବିଜୁ ବାବୁ ଓଡ଼ିଶା ବାହାରେ ଏକ ନୂଆ ପରିଚୟ ପାଇଥିଲା ବୋଲି କହିଥିଲେ ପୂର୍ବତନ ମୁମ୍ବାଇ ପୋଲିସ୍‌ କମିସନର ଅରୂପ ପଟ୍ଟନାୟକ। ପ୍ରସିଦ୍ଧ ହୃଦ୍‌ଶଲ୍ୟ ବିଶେଷଜ୍ଞ ତଥା ଏସିଆନ୍‌ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ପରିଚାଳନା ନିର୍ଦ୍ଦେଶକ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା କହିିିଥିଲେ, ‘‘ବିଜୁ ପଟ୍ଟନାୟକ ଥିଲେ ଆମମାନଙ୍କ ପାଇଁ ହିରୋ। ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ବେଳେ ସେ ଭବିଷ୍ୟତ ପିଢ଼ି ପାଇଁ ଥିଲେ ଜଣେ ଅନୁକରଣୀୟ ନେତା। ସେ କେବଳ ମୋ ପାଇଁ ନୁହନ୍ତି କୋଟି କୋଟି ଓଡ଼ିଆଙ୍କ ପାଇଁ ଆଦର୍ଶ।’’ ପ୍ରଖ୍ୟାତ ବଂଶୀ ବାଦକ ହରିପ୍ରସାଦ ଚୌରାସିଆ କଳା ଓ କଳାକରଙ୍କୁ ବିଜୁ ବାବୁ କିଭଳି ଭଲ ପାଉଥିଲେ ଏବଂ ପ୍ରୋତ୍ସାହିତ କରୁଥିଲେ ସେ ସଂପର୍କରେ ଅବତାରଣା କରିଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ପୁସ୍ତକର ସମୀକ୍ଷା କରିଥିଲେ। ପୁସ୍ତକର ଲେଖକ ସୁନ୍ଦର ଗଣେଶନ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ଗତ ୨୭ ତାରିଖରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ‘ଦ ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧିତ ଖବର