ବଲାଙ୍ଗୀର: ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ନିମ୍ନ ସୁକତେଲ ପ୍ରକଳ୍ପକୁ ୫-ଟି ସଚିବ ଭିକେ ପାଣ୍ଡିଆନ ପରିଦର୍ଶନ କରି ଯିବାର ଏକ ମାସ ପୂରିଛି। ଜଳଭଣ୍ଡାର ପାଣି ଏବେ କମିଯାଇଛି। ବୁଡ଼ି ଯାଇଥିବା ଗାଁଗୁଡ଼ିକ ଏବେ ଶୁଖିଲା ପଡ଼ିଛି। ଯେଉଁ ଜଳଭଣ୍ଡାରରେ ୧୭.୫ ମିଟର ପାଣି ଥିଲା ସେଠାରେ ଆଜିର ଦିନରେ ୭ ମିଟର ପାଣି ରହିଛି। ସ୍ଲୁଇସ୍‌ ଗେଟ୍‌ ଦେଇ ପାଣି ଛାଡ଼ି ଦିଆଯାଇଛି। ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ ନିର୍ବିଘ୍ନ ଭୋଇଙ୍କ କହିବା ଅନୁସାରେ, ଯେଉଁ ବନ୍ଧ ନୂଆ ନିର୍ମାଣ ହୋଇଥାଏ ସେଠାରେ ନିୟମ ଅନୁଯାୟୀ ଏକ ତୃତୀୟାଂଶ ପାଣି ରଖିବା କଥା। ସେହି ଅନୁଯାୟୀ ନିମ୍ନ ସୁକତେଲ ପ୍ରକଳ୍ପରେ ୮ ମିଟର ପାଣି ରଖାଯିବା କଥା। ତେବେ ଶ୍ରାବଣ ମାସରେ କାହାର ଇଙ୍ଗିତରେ ଏହି ଜଳଭଣ୍ଡାରକୁ ପୂର୍ଣ୍ଣ କରି ଗାଁଗୁଡ଼ିକ ବୁଡ଼ାଇ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବିସ୍ଥାପନ କରାଗଲା ତାହାର କେହି ଉତ୍ତର ଦେବାକୁ ଏବେ ନାରାଜ। ବିସ୍ଥାପନ ନିୟମ ଅନୁଯାୟୀ କ୍ଷତିପୂରଣ ଦେବା ପରେ ଲୋକଙ୍କୁ ଘର ଛାଡ଼ିବା ପାଇଁ କିଛି ସମୟ ଦେବାର ନିୟମ ଥିବାବେଳେ ଏଠାରେ ତୁରନ୍ତ ବୁଲଡୋଜର ଲଗାଇ ଘର ଭାଙ୍ଗି ଦିଆଯାଇଥିଲା।

Advertisment

ଗୋଟିଏ ପଟେ ଡ୍ୟାମ୍‌ରେ ପାଣି ବଢ଼ୁଥିବା ବେଳେ ଅନ୍ୟପଟେ ଘର ଆଗରେ ବୁଲଡୋଜର ଛିଡ଼ା କରି ଦିଆଯାଇଥିଲା। ବିସ୍ଥାପିତମାନଙ୍କ ଥଇଥାନର ସୁବ୍ୟବସ୍ଥା ପାଇଁ ପ୍ରଶାସନିକ ସ୍ତରରେ ‌ଆଦୌ ଆନ୍ତରିକତା ଦେଖା ଯାଇନଥିଲା। ବର୍ଷାରେ ଭିଜି ଭିଜି ଭିଟାମାଟି ଛାଡ଼ିଥିବା ଲୋକେ ଏବେ ଅସ୍ଥାୟୀ ଟିଣଘରେ ଦୟନୀୟ ସ୍ଥିତିରେ ପଡ଼ିଛନ୍ତି। ଯଦି ଡ୍ୟାମ୍‌ରେ ପାଣି ଭର୍ତ୍ତି କରି ରଖାଯିବାର ଥିଲା ତେବେ କାହିଁକି ପାଣ୍ଡିଆନଙ୍କ ଯିବା ପରେ ପାଣି ଛାଡ଼ିଦିଆଗଲା ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ହେଉଛି। ଏ ସଂପର୍କରେ ନିମ୍ନ ସୁକତେଲ ପ୍ରକଳ୍ପର ଜନୈକ ଯନ୍ତ୍ରୀ କହିଛନ୍ତି ଯେ, ପାଣି ଥିବା ପର୍ଯ୍ୟନ୍ତ ସ୍ଲୁଇସ୍ ଗେଟ ବନ୍ଦ କରାଯାଇ ପାରେନାହିଁ। ଡ୍ୟାମ୍‌ କାମ ସଂପୂର୍ଣ୍ଣ ହେବାକୁ ଆହୁରି ୨ ବର୍ଷ ଲାଗିବ ବୋଲି ସଂପୃକ୍ତ ଯନ୍ତ୍ରୀ ମତ ଦେଇଛନ୍ତି।

ଏହି ଜଳଭଣ୍ଡାରରୁ ପମ୍ପ ଯୋଗେ କେନାଲରେ ପାଣି ଛଡ଼ାଯିବ। କେନାଲ ପାଣି ଭୂଗର୍ଭରେ ୨.୫ ଡାଇମିଟର ପାଇପରେ ଯିବ। ଏହି ପାଇପରୁ ଚାଷକୁ ପାଣି ଯୋଗାଣ ହେବ। ନିର୍ମାଣ ହେବାକୁଥିବା ବାମ କେନାଲ ଓ ଦକ୍ଷିଣ କେନାଲ କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଜଳଭଣ୍ଡାର ନିକଟରେ ଦୁଇଗୋଟି ପମ୍ପ ହାଉସ ମଧ୍ୟ ନିର୍ମାଣ ହେବାକୁ ଥିବା ବେଳେ ଏଥିରେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ଏଲ୍‌ ଆଣ୍ଡ ଟି ଦକ୍ଷିଣ କେନାଲ ପାଇଁ ଏବଂ ମେଗା ଇଣ୍ଡଷ୍ଟ୍ରି ଆଣ୍ଡ  ଇଂଜିନିୟରିଂ ଲିଃ. ବାମ କେନାଲ ପାଇଁ ଟେଣ୍ଡର ପାଇଥିବା ବେଳେ କାମ ଆରମ୍ଭ ହୋଇନାହିଁ। ପ୍ରକଳ୍ପରେ ଆହୁରି ଅନେକ କାମ ଥିବା ବେଳେ ପାଣ୍ଡିଆନଙ୍କ ଆସିବା ପୂର୍ବରୁ ଜଳଭଣ୍ଡାରେ ପାଣି ବାନ୍ଧି ଏବେ ତାକୁ ଖାଲି କରାଯିବା ପଛରେ ବାହାଦୁରୀ ଦେଖାଇବା ଛଡ଼ା ଆଉ କିଛି ନୁହେଁ ବୋଲି ଅଭିଯୋଗ ହେଲାଣି।
କ୍ଷତିପୂରଣ ଦେଇ ବିସ୍ଥାପିତ ହେବାକୁଥିବା ଲୋକଙ୍କୁ ଯଦି କିଛି ସମୟ ଦିଆଯାଇଥାନ୍ତା ତେବେ ସେମାନେ ତାଙ୍କୁ ଦିଆଯାଇଥିବା ସ୍ଥାନରେ ଅନ୍ତତଃ ଘରଟିଏ ନିର୍ମାଣ କରି ପାରିଥାନ୍ତେ। ତରବରିଆ ଭାବରେ ଜଳଭଣ୍ଡାରରେ ପାଣି ଭରାଯିବାରୁ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ମଧ୍ୟ ବୁଡ଼ି ଯାଇଥିଲା, ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ୧୨-୧୩ଟି ଗାଁରେ ବିଜୁଳି ଯୋଗାଣ ସ୍ବାଭାବିକ ହୋଇ ପାରିନାହିଁ। ଯେହେତୁ ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଆହୁରି ଅନେକ ସମୟ ରହିଛି ତେଣୁ ଗାଁର ଘର ଭଙ୍ଗା ନଯାଇ କିଛି ସମୟ ଦିଆଯାଇଥିଲେ ବିସ୍ଥାପିତମାନଙ୍କ ପାଇଁ ଯେଉଁ କୋଟି କୋଟି ସରକାରୀ ଟଙ୍କା ଖର୍ଚ୍ଚ କରାଯାଇ ଟିଣଘର ନିର୍ମାଣ କରାଗଲା ସେଇ ଖର୍ଚ୍ଚକୁ ରୋକାଯାଇପାରିଥାନ୍ତା ବୋଲି କୁହାଯାଉଛି। କେବଳ ଜଣେ ସଚିବଙ୍କୁ ଖୁସି କରିବା ପାଇଁ ତରବରିଆ ଭାବରେ ଏଭଳି ପଦକ୍ଷେପ ଶାରୀରିକ, ମାନସିକ ଓ ଆର୍ଥିକ ଭାବରେ ବହୁ କ୍ଷତି କରିଥିବା ସାଧାରଣରେ ଆଲୋଚନା ହେଉଛି।