ବୌଦ୍ଧ: କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାର ଧାନ ମୁଖ୍ୟ ଚାଷ। ଧାନ ଚାଷ ହିଁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ନିରୂପଣ କରେ। ହେଲେ ପ୍ରତିବର୍ଷ ଧାନ ବିକ୍ରି ସମୟରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଣ୍ଡିରେ କଟ୍‌ନି-ଛଟ୍‌ନି ସାଧାରଣ ଘଟଣା ​ହେଲାଣି। ବାରମ୍ବାର ଅଭିଯୋଗ କରିବା ପରେ ଏବେ ନିରାଶ ହେବା ପରେ କୁଇଣ୍ଟାଲ ପିଛା ୩ କେଜି କିଲୋଗ୍ରାମ କାଟିବା ଚାଷୀଙ୍କ ଦେହସୁହା ହେଲାଣି। ସେପଟେ ଆସିଥିବା ଧାନକିଣା ଟାର୍ଗେଟ ଶେଷ ହୋଇ ଯାଇଥିବାରୁ ଚାଷୀଙ୍କ ମଧ୍ୟରେ ଭାଲେଣି ପଡ଼ିଲାଣି। ଟାର୍ଗେଟ ନଆସିଲେ ପୂର୍ବ ବର୍ଷ ଭଳି ଅନେକ ଚାଷୀ ଘରକୁ ଧାନ ଫେରାଇ ନେବା ଆଶଙ୍କା ରହିଛି। ଜିଲ୍ଲାର କଣ୍ଟାମାଳ ବ୍ଲକ୍‌ରୁ ଆରମ୍ଭ କରି ହରଭଙ୍ଗା ବ୍ଲକ୍‌ ପର୍ଯ୍ୟନ୍ତ ଅଧିକାଂଶ ମଣ୍ଡିରେ ଧାନ ପଡ଼ିରହିଛି।

Advertisment

ସାଧାରଣ ଭାବେ ୩ ​କେ‌ଜି କଟ୍‌ନି ଛଟ୍‌ନି ହେଉଥିବା ବେଳେ ଏଥିରେ ପେକ୍ସ କର୍ମଚାରୀ ଓ ମିଲରଙ୍କ ପେଟ ପୁରୁନାହିଁ। ଅଭିନବ ଉପାୟରେ ଚାଷୀଙ୍କ ମୋଟ୍‌ ଧାନରୁ କାଟ୍‌ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଟୋକନ ପାଇଥିବା ଚାଷୀଙ୍କ ପାଖରୁ କ୍ରମିକ ଭାବରେ ଧାନକିଣା ଯାଉନାହିଁ। ଦିନ ଗଡ଼ାଇ ଅଟକାଇ ରଖାଯାଉଛି। ଶିଘ୍ର ଧାନ ବିକ୍ରି କରିବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ପରିମାଣର ଧାନ ଛାଡ଼ିବାକୁ ଚାଷୀଙ୍କୁ କୁହାଯାଉଛି। ରାଜି ହେଲେ ଆଗ୍ରାଧିକାର ଭିତ୍ତିରେ ଧାନ ମିଲକୁ ଯାଉଛି। ଯେଉଁ ଚାଷୀ ରାଜି ନହେଲେ ତାଙ୍କ ଧାନ ପଡ଼ି ରହୁଛି। ଚଳିତ ବର୍ଷ ମଣ୍ଡିରେ ଦେଖା ଦେଇଥିବା ମହାଘୋଟାଲାକୁ ପ୍ରଶାସନ ମଧ୍ୟ ଅଣଦେଖା କରୁଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ଯିବାଆସିବା ବାଟରେ ବିଭିନ୍ନ ସରକାରୀ ଅଫିସ, ସ୍କୁଲକୁ ଅଧିକାରୀମାନେ ପରିଦର୍ଶନ କରୁଛନ୍ତି। ଭୁଲ ଭଟକା ଦେଖିଲେ ତ୍ବରିତ କାର୍ଯ୍ୟାନୁ​ଷ୍ଠାନ ଗ୍ରହଣ କରାଯାଇଛି। ହେଲେ ସେହି ଅଞ୍ଚଳରେ ଥିବା କୌଣସି ମଣ୍ଡିକୁ ପରିଦର୍ଶନ କରି ଚାଷୀଙ୍କ ଅସୁବିଧା ପଚାରି ବୁଝିବା ଦେଖାଯାଇ ନଥିବା ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ସେପଟେ ମଣ୍ଡିର ଅବ୍ୟସ୍ଥାକୁ ନେଇ ବିରୋଧୀ ଦଳ ମଧ୍ୟ ଚୁପ ରହିଛନ୍ତି। ପୂର୍ବ ବର୍ଷମାନଙ୍କରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ମଣ୍ଡି ପରିଦର୍ଶନ କରାଯାଉଥିଲା।

ଚଳିତ ବର୍ଷ ନିରବ ରହିଛନ୍ତି। ସୂଚନାନୁସାରେ ଚଳିତ ବର୍ଷ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ଆବେଦନ କରିଥିବା ଚାଷୀଙ୍କ ମଧ୍ୟରୁ ୪୨,୨୪୯ ଜଣ ଚାଷୀ ଯୋଗ୍ୟ ବିଚେଚିତ ହୋଇଛନ୍ତି। ୪୨ଟି ପେକ୍ସ ଓ ୨ଟି ଏସ୍‌ଏଚ୍‌ଜି ଦ୍ବାରା ପରିଚାଳିତ ମଣ୍ଡିରେ ଧାନ କିଣା ହେଉଛି। ଅଦ୍ୟାବଧି ୩୮,୩୧୫ ଜଣ ଚାଷୀ ଧାନ ବିକ୍ରି କରି ସାରିଥିବା ବେଳେ ୩୯୩୪ ଜଣ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଆସିଥିବା ୧୮,୯୯,୦୦୦ କୁଇଣ୍ଟାଲ ଟାର୍ଗେଟ ମଧ୍ୟରୁ ୧୮,୭୧,୩୭୨.୮୪ କୁଇଣ୍ଟାଲ କିଣା ଶେଷ ହୋଇଛି। ଜିଲ୍ଲାର ପରବର୍ତ୍ତୀ ଧାନ କିଣା ଟା​ର୍ଗେଟ ବିଷୟରେ ସିଏସ୍‌ଓ ବିଭୂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରେ ଗତ ବର୍ଷଠାରୁ ଚଳିତ ବର୍ଷ ଅଧିକ ଧାନ କିଣା ସରିଲାଣି। ଟାର୍ଗେଟ ଆସୁଛି ସରୁଛି। ଏବେ ଧାନ କିଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଶେଷ ହେବ। ପ୍ରାୟ ୨୦ଟି ମଣ୍ଡିର ଧାନ କିଣା ସରିଲାଣି, ଆଉ ପ୍ରାୟ ୨୦ଟିର ବାକି ରହିଛି। ଟାର୍ଗେଟ ଆସିଲେ ସେତକ ବି ଶେଷ ହୋଇଯିବ ବୋଲି କହିଛନ୍ତି।