ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୭୨% ରାସ୍ତା କାମ ‌େଶଷ ହୋଇଛି, ମାର୍ଚ୍ଚ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ

ଭୁବନେଶ୍ବର: ଲଗାତର ଚାରି ବର୍ଷ ଧରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ୱାଇ)ର ସଫଳ କାର୍ଯ୍ୟକାରିତା ପାଇଁ ଓଡ଼ିଶା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଆସୁଛି। ଚଳିତ ବର୍ଷ କୋଭିଡ୍‌ ମହାମାରୀରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଓଡ଼ିଶା ଏହି ଯୋଜନାରେ ଭଲ ପ୍ରଦର୍ଶନ କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଞ୍ଜୁରି ହୋଇଥିବା ରାସ୍ତା ପ୍ରକଳ୍ପ ମଧ୍ୟରୁ ୭୨% କାର୍ଯ୍ୟ ଶେଷ ହୋଇଛି। ମାର୍ଚ୍ଚ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟ ପୂରଣ କରାଯିବ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। ବୈଠକରେ ଉନ୍ନୟନ କମିସନର୍‌ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଲୋଚନାର ବିଷୟବସ୍ତୁ ଉପସ୍ଥାପନ କରିଥିଲେ।

ପିଏମ୍‌ଜିଏସ୍‌ୱାଇର ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଏସ୍‌ପି ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରତି ପ୍ରକଳ୍ପରେ ମାଇକ୍ରୋ-ପ୍ଲାନ୍ ୱାରି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ମାଓପ୍ରବଣ ଅଞ୍ଚଳରେ ଏହା କରିବାର ଅଧିକ ଆବଶ୍ୟକତା ରହିଛି। ଏପରି ଅଞ୍ଚଳରେ କାମ କରୁଥିବା ଠିକାଦାରମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ ସାମଗ୍ରୀର ଉପଲବ୍ଧତା, ଯୋଗାଣ ଓ ମାନବ ସମ୍ବଳ ନି‌ୟୋଜନରେ ଥିବା ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। କ୍ଷେତ୍ର ସ୍ତରରେ ପୁଲିସ୍‌ ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଡିଜି ଅଭୟ କହିଥି‌େଲ। ଉନ୍ନୟନ କମିସନର୍‌ ଶ୍ରୀ ଜେନା କହିଥିଲେ ଯେ ରାସ୍ତା ସଂଯୋଗ ସରକାରଙ୍କ ଫୋକସ୍‌ରେ ସବୁବେଳେ ରହିଛି। ପିଏମ୍‌ଜିଏସ୍‌ୱାଇ ସମେତ ବିଭିନ୍ନ ଯୋଜନାରେ ଏଥି ପାଇଁ ଅର୍ଥର ଅଭାବ ରହିବ ନାହିଁ। କ୍ଷେତ୍ର ସ୍ତରରେ ପୁଲିସ୍‌, ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର ଓ ଠିକାଦାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ତ୍ବରାନ୍ବିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ଉପେନ୍ଦ୍ର କୁମାର ମୁଣ୍ଡ କହିଥିଲେ ଯେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପିଏମ୍‌ଜିଏସ୍‌ୱାଇ ଅଧୀନରେ ୨୦୯୫ କିଲୋମିଟର ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୫୦୦ କିମି ରାସ୍ତା କାମ ଶେଷ ହୋଇଛି। ବାକି ଥିବା ରାସ୍ତା କାର୍ଯ୍ୟ ମଧ୍ୟରୁ ୨୫୦ କିମି ‌ମାଓପ୍ରବଣ ଅଞ୍ଚଳରେ ଅଛି। ସେଠାରେ ପୁଲିସ୍‌ ସହାୟତାରେ ଠିକାଦାରମାନେ କାର୍ଯ୍ୟ କରୁଛନ୍ତି। ଏହି ରାସ୍ତାଗୁଡ଼ିକ ମୁଖ୍ୟତଃ ମାଲକାନଗିରି, କନ୍ଧମାଳ, କଳହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ସୁଦର୍ଶନ ପରିଡ଼ା କହିଥିଲେ ଯେ ପିଏମ୍‌ଜିଏସ୍‌ୱାଇ ଯୋଜନାରେ ୬୪,୮୨୧ କିମି ରାସ୍ତା ଓ ୫୮୩ ପୋଲ ମଞ୍ଜୁର ହୋଇଛି। ତାହା ମଧ୍ୟରୁ ୬୧,୪୨୮ କିମି ରାସ୍ତା ଓ ୪୧୨ ପୋଲ କାମ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ୨୬,୩୨୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବର୍ତ୍ତମାନ ଏହି ପ୍ରକଳ୍ପରେ ‌େକନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି। ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ସର୍ବୋଚ୍ଚ ଯନ୍ତ୍ରୀ ସୁରେଶ ମିଶ୍ର, ପୁଲିସ୍‌ ଆଇଜି ଅମିତାଭ ଠାକୁରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ନିର୍ବାହୀ ଯନ୍ତ୍ରୀମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର