ଠିକା ଉଚ୍ଛେଦରେ ଠକିଗଲେ ଶିକ୍ଷକ: ୨୭ରେ ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର

ଡିସେମ୍ବର ଦ୍ବିତୀୟ ସପ୍ତାହରେ ଓହ୍ଲାଇବେ ମାଧ୍ୟମିକ ଶିକ୍ଷକ

ଭୁବନେଶ୍ବର: ଠିକା ନିଯୁକ୍ତି ଭଳି ଏକ କୁତ୍ସିତ ପ୍ରଥା ଓଡ଼ିଶା ମାଟିରୁ ଉଠିଛି। ଯେଉଁମାନେ ଚୁକ୍ତିଭିତ୍ତିକ ତଥା ଠିକା ନିଯୁକ୍ତି ପାଇଥିଲେ, ସେମାନଙ୍କୁ ନିୟମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ଐତିହାସିକ ଘୋଷଣା କରିବା ପରେ ବିଭିନ୍ନ ମହଲରେ ଖୁସି ଖେଳି ଯାଇଥିଲା। ସବୁ ବର୍ଗର ଶିକ୍ଷକ ଓ କର୍ମଚାରୀ ନିଷ୍ପତ୍ତିକୁ ସ୍ବାଗତ କରିବା ସହ କୃତଜ୍ଞତା ମଧ୍ୟ ଜଣାଇଥିଲେ। ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅକ୍ଟୋବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଲା ବେଳକୁ ଓଲଟା। ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଠକି ଦେଇଛନ୍ତି ବୋଲି ସେମାନେ ଅଭିଯୋଗ କଲେଣି। ୨୦୦୧ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁ ଠିକା ନିଯୁକ୍ତି ଆରମ୍ଭ ହୋଇଥିଲା, ତାହାକୁ ଉଚ୍ଛେଦ କରାଯାଇନାହିଁ। ଯେଉଁଥିପାଇଁ ଲକ୍ଷାଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ସେମାନେ ଆସନ୍ତା ୨୭ ତାରିଖରେ ସ୍କୁଲରେ ତାଲା ପକାଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ଆରମ୍ଭ କରି ଦେଇଛନ୍ତି।

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସଭାପତି ମଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ଗତ ଅକ୍ଟୋବର ୧୬ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ୨୦୧୩ର ନିୟମ ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରି ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ନିୟମିତ କରାଯାଇଛି। ମାତ୍ର ୨୦୧୩ ପୂର୍ବରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଉକ୍ତ ବିଜ୍ଞପ୍ତିରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଯେତେବେଳେ କି ଗଣଶିକ୍ଷା ବିଭାଗରେ ପ୍ରାଥମିକ ବିଦ୍ୟାଳୟସ୍ତରରେ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇ ଆସୁଛନ୍ତି। ଯେଉଁମାନେ ମାତ୍ର ୧୫୦୦ଟଙ୍କା ଦରମାରେ କାର୍ଯ୍ୟ କରି ସରକାରଙ୍କୁ ଆର୍ଥିକ ଉନ୍ନତି ଆଣିବାରେ ସହାୟକ ହୋଇଥିଲେ, ସେମାନଙ୍କୁ ସରକାର ‘ସାବତ ପୁଅ’ ପରି ଭୁଲି ଯାଇଛନ୍ତି। ଏନେଇ ଗତ ୧୪ତାରିଖରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଯାଇଛି। ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ହୋଇଥିବା ସମସ୍ତ ଶିକ୍ଷକଙ୍କ ମୂଳ ନିଯୁକ୍ତିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତି ସମସ୍ତ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ ଦାବିରେ ଆନ୍ଦୋଳନ କରାଯିବ।

ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କ ‌କ୍ଷେତ୍ରରେ ବି ସମାନ ସ୍ଥିତି ଉପୁଜିଛି। ମାଧ୍ୟମିକ ଶିକ୍ଷକଙ୍କ କ୍ଷେତ୍ରରେ ୨୦୦୪ରୁ ଠିକା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଉଚ୍ଛେଦ ସମୟରେ ସମସ୍ତଙ୍କ କ୍ଷେତ୍ରରେ ସମାନ ନିୟମ କାର୍ଯ୍ୟକାରୀ କରାଯାଇନାହିଁ। ୨୦୧୬ ପରଠାରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ କରାଯିବା ସହ ୬ଟି ନୋସନାଲ ପଦୋନ୍ନତି ସହ ଠିକା ଅବଧିକୁ ମୂଳ ଚାକିରିରେ ଯୋଗ କରାଯାଇଛି। ମାତ୍ର ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଠିକା ଉଚ୍ଛେଦ ହୋଇଥିଲେ ମଧ୍ୟ ନୋସନାଲ ପଦୋନ୍ନତି ସହ ଠିକା ପିରିୟଡ୍‌କୁ ମୂଳ ଚାକିରିରେ ଯୋଗ କରାଯାଇନାହିଁ। ଫଳରେ ଗୋଟିଏ ସ୍କୁଲରେ ଚାକିରି କରୁଥିଲେ ମଧ୍ୟ ଜୁନିଅର ଶିକ୍ଷକ ପଦୋନ୍ନତି ବଳରେ ସିନିୟର ହୋଇଛନ୍ତି ଏବଂ ସିନିୟର ଶିକ୍ଷକ ପଦୋନ୍ନତି ନ ପାଇ ଜୁନିଅରରେ ରହିଛନ୍ତି।

ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ୬ ବର୍ଷର ଠିକା ସମୟ ଅବଧିକୁ ନିୟମିତ ଚାକିରିରେ ନୋସନାଲ ପଦୋନ୍ନତି ଦେଇ ଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଐତିହାସିକ ଘୋଷଣା କଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଗଣଶିକ୍ଷା ବିଭାଗ ଅଧିକାରୀମାନେ ଏବେ କହୁଛନ୍ତି, ୨୦୧୩ ପରିବର୍ତ୍ତୀ ଠିକା ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଫଳରେ ୨୦୦୪ରୁ ୨୦୧୩-୧୪ ମସିହା ପର୍ଯ୍ୟନ୍ତ ସ୍ବଳ୍ପ ଦରମାରେ ଖଟିଥିବା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ଏନେଇ ସଂଘର ପ୍ରତିନିଧିମାନେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ସହ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ କରିଛନ୍ତି। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ ଶିକ୍ଷକ/ଶିକ୍ଷୟିତ୍ରୀ ଡିସେମ୍ବର ଦ୍ବିତୀୟ ସପ୍ତାହରେ ରାସ୍ତାକୁ ଓହ୍ଲାଇବେ। ସେପଟେ ଏକ୍ସ-କ୍ୟାଡର୍‌ ଉଚ୍ଛେଦ କରି କ୍ୟାଡର୍‌ଭୁକ୍ତ କରିବା, ରହିଯାଇଥିବା ଗଣଶିକ୍ଷକଙ୍କୁ ନିୟମିତ, ଏନ୍‌ପିଏସ୍‌ ବଦଳରେ ପୁରୁଣା ପେନ୍‌ସନ୍‌, ଗଣଶିକ୍ଷକ ନିଯୁକ୍ତିକୁ ମୂଳ ନିଯୁକ୍ତିରେ ଗଣନା, ଆର୍‌.ଏ ସ୍କିମ୍‌ରେ ପରିବାରର ଜଣଙ୍କୁ ଚାକିରି ଦେବା ଦାବିରେ ରାଜ୍ୟସ୍ତରୀୟ-ଭି(ଏକ୍ସ-କ୍ୟାଡର) ଶିକ୍ଷକ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏହାର ସାଧାରଣ ସମ୍ପାଦକ ବୁଲୁ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର