ଜିଦ୍‌ରେ ଅଟଳ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ, ବିନା‌ ୟୁନିଫର୍ମରେ କ୍ଲାସ କଲେ

ଭୁବନେଶ୍ବର : ଆନ୍ଦୋଳନ ସ୍ଥଗିତ ପରେ ପ୍ରାଥମିକ ବିଦ୍ୟାଳୟକୁ ଫେରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ମାଟ୍ରିକ୍‌ ପରୀକ୍ଷା ପରିଚାଳନରେ ବି ସହଯୋଗ କରିଛନ୍ତି। ମାତ୍ର ପୂର୍ବ ନିଷ୍ପତ୍ତି ଅନୁଯାୟୀ ସେମାନେ ବିନା‌ ୟୁନିଫର୍ମରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁରୋଧ ରକ୍ଷା କରି ନାହାନ୍ତି। ପ୍ରଶାସନ କଥା ବି ଶୁଣିନାହାନ୍ତି। ବରଂ ୩ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏଭଳି ଭାବେ ୟୁନିଫର୍ମ ବର୍ଜନ ଜାରି ରଖିବାକୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ) ପକ୍ଷରୁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରାଯାଇଛି।

ମହାସଂଘ ପକ୍ଷରୁ କୁହାଯାଇଛି ଯେ ୟୁନିଫର୍ମ ପିନ୍ଧିବା ନେଇ କୌଣସି ବାଧ୍ୟବାଧକତା ହୋଇନାହିଁ। ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣଶିକ୍ଷା ବିଭାଗ ସଚିବ ଥିବା ସମୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ। ସେ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ବିଦ୍ୟାଳୟ ଆସୁଥିଲେ। କିଏ କମ୍ ଦାମର ପୋଷାକ ପିନ୍ଧୁଥିଲେ ତ ଆଉ କିଏ ଅଧିକ ଦାମର। ତେଣୁ କ୍ୟାମ୍ପସରେ ଅସମାନତା ସୃଷ୍ଟି ହେଉଥିଲା। ତାହାକୁ ଦୂର କରିବା ପାଇଁ ଜଣେ ଶିକ୍ଷୟିତ୍ରୀ ତତ୍‌କାଳୀନ ସଚିବ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଷାକର ଗୁରୁତ୍ବକୁ ଚିନ୍ତା କରି ୟୁନିଫର୍ମ ଲାଗୁ କରିବା ସମ୍ପର୍କରେ ପ୍ରାଥମିକ ଶିକ୍ଷକ ସଂଘ ସହ ସଚିବ ଆଲୋଚନା କରିଥିଲେ ଏବଂ ସମାନତା ରକ୍ଷା କରିବା ପାଇଁ ୟୁନିଫର୍ମ ପିନ୍ଧିବାକୁ ଅପିଲ୍‌ କରିଥିଲେ। ଏହା ଉପରେ କୌଣସି ବିଜ୍ଞପ୍ତି ମଧ୍ୟ ମଧ୍ୟ ହୋଇନଥିଲା।

୨୦୧୦ ଅଗଷ୍ଟରେ ଆଲୋଚନା ହୋଇଥିଲା ଏବଂ ସେପ୍ଟେମ୍ବର ୧୫ରୁ ଏହାକୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ଶିକ୍ଷା ଜିଲ୍ଲାରେ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାଗୁଡ଼ିକରେ ଲାଗୁ ହୋଇଥିଲା। ସେଦିନଠାରୁ ୟୁନିଫର୍ମ ପ୍ରଚଳିତ ହୋଇ ଆସୁଛି। ଏଥିପାଇଁ କୌଣସି ଭତ୍ତା ପ୍ରଦାନ କରାଯାଉ ନାହିଁ। ଶିକ୍ଷକମାନେ ନିଜ ହାତରୁ ପଇସା ଦେଇ ୟୁନିଫର୍ମ ତିଆରି କରୁଛନ୍ତି। ଯେତେବେଳେ କି ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟରତ ଆଶା, ଅଙ୍ଗନବାଡ଼ି ଦିଦିଙ୍କ ୟୁନିଫର୍ମ ଲାଗି ଭତ୍ତା ଦିଆଯାଉଛି। ୟୁନିଫର୍ମ ଲାଗି ଭତ୍ତା ପ୍ରଦାନ ନେଇ ୨୦୧୬ରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଉତ୍ତର ଦିଆଯାଇଥିଲା ଯେ ଏହା ରାଜ୍ୟ ସରକାରଙ୍କ ଏକ ଅପିଲ୍। ଏହା ଉପରେ କୌଣସି ଭତ୍ତା ଦିଆଯିବ ନାହିଁ। ଯେହେତୁ ଭତ୍ତା ମିଳୁନାହିଁ, ତେଣୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆମେ ପିନ୍ଧୁଥିବା ୟୁନିଫର୍ମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ। ସରକାର ଆମ ଦାବି ପୂରଣ କଲେ ଆମେ ପୁଣିଥରେ ପିନ୍ଧିବୁ।

ସମ୍ବନ୍ଧିତ ଖବର