ଭୁବନେଶ୍ବର : ରାଜ୍ୟରେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଗତ ୩ବର୍ଷ ଭିତରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକମାନଙ୍କର ସାର୍ଟିଫିକେଟ୍ ଓ ପ୍ରମାଣପତ୍ରର ଯାଞ୍ଚ କରାଯିବ। ରାଜ୍ୟ ବାହାରର ବିଶ୍ବବିଦ୍ୟାଳୟ ଓ ସଂପୃକ୍ତ ରାଜ୍ୟର ଶିକ୍ଷା ବିଭାଗକୁ ଏହାର ଯାଞ୍ଚର କରିବା ପାଇଁ ଚିଠି ଲେଖାଯିବ। ଆବଶ୍ୟକ ପଡ଼ିଲେ ଯାଞ୍ଚ ତ୍ବରାନ୍ବିତ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ରାଜ୍ୟ ବାହାରର ବିଶ୍ବବିଦ୍ୟାଳୟକୁ ପଠାଯିବ ବୋଲି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‌ବୈଠକରେ ନିଷ୍ପତ୍ତି ନିଆଯାଇଛି।

Advertisment

ବୈଠକର ନିଷ୍ପତ୍ତି ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଚଳିତବର୍ଷରୁ ଡିଜିଲକ୍ ବ୍ୟବସ୍ଥା ପ୍ରଚଳନ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ସାର୍ଟିଫିକେଟ୍‌କୁ ଡିଜିଟାଇଜେସନ କରିବା ପାଇଁ ଆଇଟି ବିଭାଗର ସଚିବଙ୍କୁ ପତ୍ର ଲେଖାଯିବାକୁ ନିଷ୍ପତ୍ତି ହୋଇଛି। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କ ଦ୍ବାରା ସମସ୍ତ ଶିକ୍ଷକଙ୍କର ଡାଟାବେସ୍ ପ୍ରସ୍ତୁତ ହେବ। ସମସ୍ତ ମାମଲାର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବା ସହିତ ଏଫ୍‌ଆଇଆର ରୁଜୁ କରାଯିବ। ଯେଉଁ ଶିକ୍ଷକମାନେ ଚିହ୍ନଟ ହେବ ସେମାନଙ୍କଠାରୁ ଦରମା ଅର୍ଥ ଅସୁଲ କରାଯିବ।

ସେହିପରି ସିବିଏସ୍‌ଇ ବିଦ୍ୟାଳୟଗୁଡ଼ିକୁ ଏନ୍‌ଓସି ପ୍ରଦାନକୁ ସରଳ ଓ ସ୍ବୟଂକ୍ରିୟ କରାଯିବ। ସେମାନଙ୍କ ଆବେଦନପତ୍ର ଅନଲାଇନ ମାଧ୍ୟମରେ ଗ୍ରହଣ କରିବା ସହିତ ସ୍କୁଲ ଦ୍ବାରା ପ୍ରଦତ୍ତ ତଥ୍ୟ ତ୍ରୁଟିପୂର୍ଣ୍ଣ ଥିଲେ ୩ବର୍ଷ ପାଇଁ କୌଣସି ଏନ୍‌ଓସି ପ୍ରଦାନ କରାଯିବନାହିଁ। ସାମ୍‌ସ ଓ ଦକ୍ଷତା ବିକାଶ ବିଭାଗରୁ ତଥ୍ୟ ସଂଗ୍ରହ ପରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରେ ଡ୍ରପ୍‌ ଆଉଟଙ୍କ ସମ୍ବନ୍ଧରେ ବିଶ୍ଲେଷଣ କରାଯିବ। ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହିତ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ। ୩୦ଟି ଜିଲ୍ଲାର ୩୦ଟି ହାଇସ୍କୁଲକୁ ଚିହ୍ନଟ କରାଯାଇ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।