ସମ୍ବଲପୁର : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି, ପୁରୁଣା ପେନ୍ସନ୍ ବ୍ୟବସ୍ଥା ସମେତ ୪ ଦଫା ସମ୍ବଳିତ ଦାବିପତ୍ର ସାଂସଦମାନଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବବୃବାହାନ ଭୋଇଙ୍କ ନେତୃତ୍ବରେ ଓଡ଼ିଶାର ଶିକ୍ଷକମାନେ ଦିଲ୍ଲୀରେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶାର ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି, ଦରମା ବୃଦ୍ଧି ଓ ଗୁଣାତ୍ମକ ମାନ ବଞ୍ଚାଇବା ପାଇଁ ଶ୍ରୀ ଭୋଇ ଦାବି ଉପସ୍ଥାପନ କରିଥିଲେ।
ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘ, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ‘ନକ୍ ଦ ଡୋର୍ ପାର୍ଲାମେଣ୍ଟାରିଆନ୍’ ସମ୍ମିଳନୀରେ ୨୬ଟି ରାଜ୍ୟର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ସାଂସଦମାନଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି, ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ, ସପ୍ତମ ବେତନରେ ତ୍ରୁଟି ସଂଶୋଧନ ଓ ଜାତୀୟ ଶିକ୍ଷା ନୀତିରେ କିଛି ତ୍ରୁଟି ସଂଶୋଧନ କରିବା ନେଇ ଦାବି ଉପସ୍ଥାପନ କରାଯାଇଛି। ପୁରୁଣା ପେନସନ୍ ଦାବିରେ ସାରା ଦେଶରେ ୪ଟି ଶିକ୍ଷା ରଥ ୪ ଦିଗରୁ ବାହାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଓଡ଼ିଶାକୁ ଆସିବାକୁ ଥିବା ରଥଟି ଆସାମରୁ ବାହାରି ପଶ୍ଚିମବଙ୍ଗ ଦେଇ ରାଜ୍ୟର ୨୧ଟି ଜିଲ୍ଲା ଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ଶ୍ରୀ ଭୋଇ ସୂଚନା ଦେଇଛନ୍ତି।