କରୋନା କଟକଣା ସହ ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର: କରୋନା କଟକଣା ସହ ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। କରୋନା ମହାମାରୀ ପାଇଁ  ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଏବେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବୈଷୟିକ ଶିକ୍ଷା ବିଭାଗ। କୋଭିଡ କଟକଣା ଭିତରେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ।

ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶ୍ରେଣୀଗୃହ, ଲାବୋରେଟୋରୀ ଓ ହଷ୍ଟେଲକୁ ସାନିଟାଇଜ କରାଯିବ।  ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ନିୟନ୍ତ୍ରଣରେ ଆସୁଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକନିକ ଓ ଆଇଟିଆଇ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନାକୁ ସାନିଟାଇଜ କରିବା ସହ କରୋନା କଟକଣା ମାନି ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ହେଲେ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ / କର୍ମଚାରୀ / ଛାତ୍ରଛାତ୍ରୀମାନେ, ବିଶ୍ୱବିଦ୍ୟାଳୟ / କଲେଜକୁ ଆସିବେ ନାହିଁ | ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ସହ ହାତ ସାନିଟାଇଜ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରାଯିବ। ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଛାତ୍ରଛାତ୍ରୀ ଥିଲେ ସେମାନଙ୍କୁ ଦୁଇଟି ବ୍ୟାଚରେ ବିଭକ୍ତ କରାଯିବ। ଛାତ୍ରଛାତ୍ରୀ ବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେ‌ଲେ ସେମାନଙ୍କୁ ସଙ୍ଗରୋଧ କରିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର