ବାଂଶପାଳ: ରଜରେ ଡ୍ରେସ୍ କିଣିବାକୁ ପାଇସା ନ ଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ ଉପରବରଡ଼ା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମଙ୍ଗୁଳି ସାଆନ୍ତ (୫୦)।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ୪ଟା ବେଳେ ମଙ୍ଗୁଳିଙ୍କୁ ତାଙ୍କ ୧୦ ବର୍ଷର ପୁଅ ଡ୍ରେସ୍ କିଣିବାକୁ ଟଙ୍କା ମାଗିଥିଲା। ରଜରେ ସମସ୍ତେ ନୂଆ ଡ୍ରେସ୍ ପିନ୍ଧିଛନ୍ତି, ସେ ମଧ୍ୟ ପିନ୍ଧିବ ବୋଲି ଜିଦ୍ କରିଥିଲା। ମଙ୍ଗୁଳି ଅତ୍ୟନ୍ତ ଗରିବ ହୋଇଥିବାରୁ ପୁଅର ଡ୍ରେସ୍ କିଣିବା ପାଇଁ ଅସମର୍ଥ ଥିଲା। ଏହାକୁ କେନ୍ଦ୍ରକରି ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ପୁଅ ଏକ ଟାଙ୍ଗିଆରେ ମା’ ମଙ୍ଗୁଳିଙ୍କୁ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ଘଟିଥିଲା।
ମା’ର ମୃତ୍ୟୁ ହୋଇଯିବା ଜାଣିବା ପରେ ପୁଅ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲା। ଗ୍ରାମବାସୀ ଏନେଇ ନୟାକୋଟ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ନାବାଳକକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଏନେଇ ନୟାକୋଟ ଥାନାରେ କେସ୍ ନମ୍ବର ୪୮/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ନୟାକୋଟ ଥାନା ଅଧିକାରୀ ସ୍ୱର୍ଣ୍ଣମୟୀ ହେମ୍ବ୍ରମ ଏବଂ ଏସ୍ଆଇ ଫଣିଭୂଷଣ ମହାନ୍ତ ମାମଲାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/murder-2.jpg)