ଗଞ୍ଜାମ: ଦବଙ୍ଗଗିରି ପାଇଁ ହଟହଟା ହୋଇଛନ୍ତି ଗଞ୍ଜାମ ତହସିଲଦାର ଅରୁଣ ନାୟକ। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଦୁଇ ଘଣ୍ଟା ଅଟକ ରଖିବା ପରେ ଉଦ୍ଧାର କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ , ତହସିଲଦାର ଶ୍ରୀ ନାୟକ ଆଜି ସକାଳ ୧୦ଟାରେ କର୍ମଚାରୀମାନଙ୍କ ସହ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଜେଆର୍ଜେପୁର ପଞ୍ଚାୟତ ସିପକୁଦା ଗ୍ରାମକୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯାଇଥିଲେ। ସିପକୁଦା ଗାଁର ଅଣଓସାରିଆ ରାସ୍ତାରେ ତାଙ୍କ ଗାଡ଼ି ଦ୍ରୁତ ଗତିରେ ଯାଉଥିବାବେଳେ ଗ୍ରାମର ଅରଣ୍ୟ ନାୟକ (୩୭) ନାମକ ଜଣେ ଯୁବକ ହାତ ଠାରିଥିଲେ। ଗାଁ ଭିତରେ ଗାଡ଼ିକୁ ଧୀରେ ଗାଡ଼ି ଚଳାଇବାକୁ କହିଥିଲେ। ହେଲେ, ତହସିଲଦାର ଏଥିପ୍ରତି ଦୃଷ୍ଟିନଦେଇ ଓଲଟି ଗାଡ଼ିକୁ ପଛୁଆ କରିବା ସହ ଏହି ଯୁବକ ବସିଥିବା ଚାନ୍ଦିନୀ ପାଖକୁ ଆସିଥିଲେ। ଏବଂ, ହାତ ଦେଖାଇ ଗାଡ଼ି କାହିଁକି ଅଟକାଇଲ ବୋଲି ପଚାରିଥିଲେ। ‘ବିଦ୍ୟାଳୟକୁ ପିଲାମାନେ ଯାଉଥିବାରୁ ଗାଡ଼ି ଧୀରେ ଚଳାଇବାକୁ କହି ମୁଁ ହାତ ମାରିଥିଲି’ ବୋଲି ଅରଣ୍ୟ ଉତ୍ତର ଦେଇଥିଲେ। ତହସିଲଦାର ଏହା ଶୁଣି ରାଗରେ ପଞ୍ଚମ ହେବା ସହ ଗାଡ଼ିରୁ ଓହ୍ଲାଇ ଅରଣ୍ୟଙ୍କୁ ଚାରି ମୁଥ ମାରିଥିଲେ। ଫଳରେ, ଅରଣ୍ୟ ତଳେ ପଡ଼ିଯାଇଥିଲେ। ଏହାଦେଖି ହଠାତ୍ ଗ୍ରାମବାସୀ ଏକାଠି ହେବାରୁ ତହସିଲଦାର ଗାଡ଼ିରେ ବସି ବିଞ୍ଚଣାପଲ୍ଲୀ ଗ୍ରାମଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ।
ଉତ୍ତ୍ୟକ୍ତ ଲୋକେ ବି ସିପକୁଦାରୁ ବିଞ୍ଚଣାପଲ୍ଲୀ ପର୍ଯ୍ୟନ୍ତ ଗାଡିକୁ ଗୋଡ଼ାଇ ଘେରି ଯାଇଥିଲେ। କେଉଁ କାରଣରୁ ଅରଣ୍ୟଙ୍କୁ ସେ ମାଡ଼ ମାରିଲେ ବୋଲି ପ୍ରଶ୍ନ ପଚାରିଥିଲେ। ତହସିଲଦାର ଆହୁରି କ୍ଷୁବ୍ଧ ହୋଇ ନାଲିଆଖି ଦେଖାଇ ଧମକାଇଥିଲେ। ଫଳରେ ପ୍ରବଳ କଥା କଟାକଟି ହୋଇଥିଲା। ଗ୍ରାମବାସୀ ତହସିଲଦାର ଓ ପାଞ୍ଚଜଣ ରାଜସ୍ବ କର୍ମଚାରୀଙ୍କୁ ଦୁଇ ଘଣ୍ଟା ଧରି ଘେରାଉ କରି କରି ଅଟକ ରଖିଥିଲେ। ଗାଡ଼ି ଚାରିପାଖ ଲୋକାରଣ୍ୟ ପାଲଟିଥିଲା। ସେପଟେ ମୋବାଇଲ୍ ନେଟ୍ୱର୍କ ଆସୁ ନଥିବାରୁ ତହସିଲଦାର ଆହୁରି ହଟହଟା ହୋଇଥିଲେ। ଦୁଇ ଘଣ୍ଟା ପରେ ତହସିଲଦାର ରମ୍ଭା ଥାନାକୁ ଖବର ଦେବା ପରେ ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ବରେ ଦୁଇଟି ଭ୍ୟାନ୍ରେ ସଶସ୍ତ୍ର ପୁଲିସ ଫୋର୍ସ ପହଞ୍ଚି ତହସିଲଦାର ଓ ପାଞ୍ଚଜଣ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୁକ୍ତ କରିଥିଲେ। ଅପରାହ୍ନ ସାଢ଼େ ୧୨ଟାରେ ତହସିଲଦାର ମୁକ୍ତ ହୋଇ ଗାଡ଼ିରେ ଫେରିଥିଲେ।
ଅନ୍ୟପକ୍ଷରେ, ଆସନ୍ତାକାଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ତହସିଲଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗଞ୍ଜାମ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗଳାଧକ୍କା ମାରିବା, ଗୋଖରକୁଦାରେ ଜଣେ ମତ୍ସ୍ୟଜୀବୀଙ୍କୁ ପିଟିବା, ହୁମ୍ମାରେ ତିନିଜଣ ବାଇକ୍ ଆରୋହୀଙ୍କୁ ମାଡ଼ ମାରିବା, ହୁମ୍ମା ପେଟ୍ରୋଲ୍ ପମ୍ପ୍ର ଜଣେ କର୍ମଚାରୀଙ୍କୁ ଉଠ୍ବସ୍ କରାଇବା ଓ ପାଲୁରଗଡ଼ରେ ନିରୀହ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମେତ ବିଭିନ୍ନ ଘଟଣାକୁ ନେଇ ତହସିଲଦାର ଶ୍ରୀ ନାୟକ ବିବାଦରେ ରହିଥିବା ଜଣାପଡ଼ିଛି।