ବିଂଝାରପୁର/ସିଂହପୁର: ଯାଜପୁର ଜିଲ୍ଲାରେ ବାଲି, ଗୋଡି ଓ ପଥର ମାଫିଆ ମାତିଛନ୍ତି। ଆଜି ବିଂଝାରପୁର ତହସିଲଦାର ଦୀପକ ରାଉତଙ୍କୁ  ଚୋରାବାଲି ବ୍ୟବସାୟୀମାନେ ଧମକଚମକ ଦେଇ ସେ ଜବତ କରିଥିବା ଚୋରାବାଲି ବୋଝେଇ ଟ୍ରାକ୍ଟର ଛଡାଇ ନେଇଛନ୍ତି। ପୁଲିସ ସହାୟତାରେ  ଚୋରା ବେପାରୀଙ୍କ କବଳରୁ  ତହସିଲଦାର ଶ୍ରୀ ରାଉତ ମୁକୁଳିବା ପରେ ଥାନାରେ ଏତଲା କରିଛନ୍ତି।  ଦଶରଥପୁର ଅଞ୍ଚଳରୁ ଚୋରାରେ ବାଲି ଆଣି ଅଳକୁଣ୍ଡ ଫାଣ୍ଡି ଅଞ୍ଚଳରେ ବ୍ୟାପକ ପରିମାଣରେ ବେପାର କରୁଥିବା ଖବର ପାଇଁ ତହସିଲଦାର ଶ୍ରୀ ରାଉତ ପୁଲିସ କର୍ମଚାରୀଙ୍କ ସହଯୋଗରେ ଚାଲାଣ ହେଉଥିବା ଚୋରାବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ।

Advertisment

ଏହି ଖବର ପାଇଁ ବ୍ୟବସାୟୀ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ସହଯୋଗୀଙ୍କ ସହଯୋଗରେ ଜବତ ଟ୍ରାକ୍ଟର ଚାବି ଛଡାଇ ନେଇଥିଲା। ଚୋରାବାଲି ବେପାରୀଙ୍କ ଦ୍ବାରା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଉଥିବାର ଲକ୍ଷ୍ୟ କରି ତହସିଲଦାର ଶ୍ରୀ ରାଉତ ‌ଅଳକୁଣ୍ଡ ଫାଣ୍ଡି ପୁଲିସଙ୍କ ସହଯୋଗରେ ଘଟଣାସ୍ଥଳରୁ ଖସି ପଳାଇ ଆସିଥିଲେ। ଏହାକୁ ନେଇ ତହସିଲଦାର ଶ୍ରୀ ରାଉତ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ମାମଲା ରୁଜୁ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।