ତାପମାତ୍ରା ୩୦ ଡିଗ୍ରି, ୧୪୨ ଦିନ ହେଲା ବର୍ଷା ନାହିଁ

ଭଞ୍ଜନଗର : ଶୀତର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଥିବା ବେଳେ ଦିନର ତାପମାତ୍ରା ବର୍ତ୍ତମାନ ବଢ଼ିବାରେ ଲାଗିଛି। ବର୍ଷାର ବି ଦେଖାନାହିଁ। ଆଉ ଏଭଳି ପରିସ୍ଥିତିରେ ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଉତ୍ତର ଓ ଦକ୍ଷିଣ ଘୁମୁସର ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିବା ଭୟ ଘାରିଛି।  କାରଣ ବର୍ତ୍ତମାନ ତାପମାତ୍ରା ଦିନରେ ୩୦ ଡିଗ୍ରି ଉପରେ ରହୁଥିବା ବେଳେ ୧୪୨ ଦିନ ଧରି ବର୍ଷା ହୋଇନାହିଁ। ଯଦ୍ବାରା ବିଭିନ୍ନ ଜଙ୍ଗଲରେ ଶୁଖିଲା ପତ୍ର ପଡ଼ିଥିବା ବେଳେ ଏହା ପୋଡ଼ିଗଲେ ଜଙ୍ଗଲକୁ ବିଶେଷ କ୍ଷତି ପହଞ୍ଚାଇବା ଆଶଙ୍କା ଦେଖାଦେଇଛି।

ବନ ବିଭାଗକୁ ଘାରିଛି ବନାଗ୍ନି ମୁକାବିଲା ଚିନ୍ତା 
ଉତ୍ତର, ଦକ୍ଷିଣ ଘୁମୁସର ବନଖଣ୍ଡ ପାଇଁ ରୂପରେଖ ପ୍ରସ୍ତୁତ

୨୦୨୧ ମସିହା ଫେବ୍ରୁଆରି ମାସ ଶେଷ ବେଳକୁ ଉଭୟ ବନଖଣ୍ଡ ନିଆଁର ସଂପୂର୍ଣ୍ଣ ଆୟତ୍ତ ଓ ବଳୟରେ ରହିଥିଲା। ବନାଗ୍ନି ଭୟଙ୍କର ରୂପ ନେଇଥିବା ବେଳେ‌ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଗୋଟିଏ ଦିଗରେ ୧୦୦ରୁ ଅଧିକ ସ୍ଥାନରେ ନିଆଁ ହୁତ୍ ହୁତ୍ ହୋଇ ଜଳିଉଠୁଥିଲା। ଗୋଟିଏ ସ୍ଥାନରେ ନିଆଁ ଲିଭାଇବା ବେଳେ ତାହା ଅନ୍ୟଆଡ଼କୁ ବ୍ୟାପିଯାଉଥିଲା। ଫଳରେ କିଛିଦିନ ପର୍ଯ୍ୟନ୍ତ ଭଞ୍ଜନଗର ସମେତ ଉପକଣ୍ଠ ଗ୍ରାମାଞ୍ଚଳର ଜନସାଧାରଣ ଧୂଆଁର ବଳୟରେ ଅଣନିଃଶ୍ବାସୀ ପାଲଟିଯାଇଥିଲେ।

ଚଳିତବର୍ଷ ବନାଗ୍ନି ନିୟନ୍ତ୍ରଣ ପାଇଁ ଉଭୟ ବନଖଣ୍ଡ ପାଇଁ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ ହୋଇଛି। ବିଭିନ୍ନ ସ୍ଥାନରେ ବନାଗ୍ନି ପ୍ରଶମନ ପାଇଁ ସଚେତନ କରାଯିବା ସହ ଜଙ୍ଗଲ ମଧ୍ୟରେ ଫାୟାରଲାଇନ୍ କଟାଯାଉଛି। ଏଥିସହ ନିଆଁ ଲାଗିବା କ୍ଷଣି ଖବର ପାଇବା ମାତ୍ରକେ ତାକୁ ଲିଭାଇବା ପାଇଁ ସ୍ବତନ୍ତ୍ର ଟିମ୍‌ ସଜାଗ ରହିଛି। ଡିଭିଜନ୍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଜି ଆରସିସିଏଫ୍ ପ୍ରଶାନ୍ତ କୁମାର ମିଶ୍ର ଭଞ୍ଜନଗରରେ ପହଞ୍ଚି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ଆଗାମୀ ବନାଗ୍ନି ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

କିନ୍ତୁ ଗଛରୁ ବର୍ତ୍ତମାନ ପତ୍ରଝଡ଼ା ଦେଇଥିବା ବେଳେ  ତାପମାତ୍ରା ବଢ଼ିବାରେ ଲାଗିଛି। ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ, ତା’ହେଲେ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ବିଶେଷକରି ଫେବ୍ରୁଆରି ୧୫ରୁ ଜୁନ୍‌ ଶେଷଯାଏ ବନାଗ୍ନିର ପ୍ରଭାବ ରହିଥାଏ। କିନ୍ତୁ ଚଳିତବର୍ଷ ଫେବ୍ରୁଆରି ଆରମ୍ଭରୁ ବନାଗ୍ନି ଚିନ୍ତା ଘାରିଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଘୁମୁସର ବନଖଣ୍ଡର ୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଥିବା ବେଳେ ଉତ୍ତର ଘୁମୁସର ବନଖଣ୍ଡରେ ଜମାରୁ ସାଟେଲାଇଟ୍‌ ଦ୍ବାରା ଚିହ୍ନଟ ହୋଇ ନାହିଁ। ତଥାପି ନିଆଁ ଲାଗିବା ଖବର ପାଇବା ମାତ୍ର‌େ ଏହାକୁ ଆୟତ୍ତ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ କିଛି ଲୋକ ପୋଡ଼ୁଚାଷ, କାଠ ଅଙ୍ଗାର ଓ ରାସ୍ତା ସଫେଇ ପାଇଁ ଜଙ୍ଗଲରେ ନିଆଁ ଲଗାଇଥାନ୍ତି। କିଛି ଶିକାରୀ ମଧ୍ୟ ପଶୁପକ୍ଷୀଙ୍କୁ ଶିକାର ପାଇଁ ଏହି ପନ୍ଥା ଆପଣାଉଛନ୍ତି। କୌଣସି ଦୁର୍ଘଟଣାବଶତଃ ମଧୢ ଜଙ୍ଗଲରେ ନିଆଁ ଲାଗି ଏହା ଚାରିଆଡ଼େ ବ୍ୟାପୁଛି। ତେବେ ଏଭଳି ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜିର୍ ରହିଛି। ଲୋକମାନେ ସଚେତନ ହେଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ସହଜ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର