ମାଘରେ ନାହିଁ ଶୀତ, ଖରାରେ ଅସ୍ତବ୍ୟସ୍ତ ଓଡ଼ିଶା

ସ୍ବାଭାବିକଠାରୁ ଦିନ ତାପମାତ୍ରା ୪ ଡିଗ୍ରି ଉପରେ

ଭୁବନେଶ୍ବର : ସକାଳ ୬ଟାରୁ ଏବେ ଖରା ପଡ଼ିବା ଆରମ୍ଭ ହୋଇଯାଉଛି। ୮ଟା ସୁଦ୍ଧା ଟାଣ ଖରା ଅସ୍ତବ୍ୟସ୍ତ କରୁଛି। ଦିନର ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ପୂର୍ବାହ୍ନ ୧୧ଟାରେ ଏମିତି ଲାଗୁଛି, ଯେମିତି ଏହା ବସନ୍ତ ଋତୁ ନୁହେଁ ତ’ ଗ୍ରୀଷ୍ମ ଋତୁ। ଏବେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରିରୁ ଅଧିକ ରହିଛି। ଫଳରେ ପାଣିପାଗ ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଧୀରେଧୀରେ ସତ ହେଉଛି ଓ ଏ ବର୍ଷ ବସନ୍ତ ଉଭେଇ ଯିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଶୁକ୍ରବାର ଦିନ ରାଜ୍ୟର ୧୧ ସହରର ତାପମାତ୍ରା ୩୩ ଡିଗ୍ରି ଅତିକ୍ରମ କରିଛି। ବୌଦ୍ଧଠାରେ ପାରଦସ୍ତର ୩୫ ଡିଗ୍ରି ଛୁଇଁଥିବ‌ା ବେଳେ ରାଜ୍ୟର ଆଜି ଏହା ଥିଲା ସର୍ବୋଚ୍ଚ ଦିନ ତାପମାତ୍ରା। ସେହିପରି ତାଳଚେରରେ ୩୪.୪ ଡିଗ୍ରି ଓ ଭୁବନେଶ୍ବରରେ ୩୪ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ସାଧାରଣତଃ ଏହି ସମୟରେ ରାଜ୍ୟର ସ୍ବାଭାବିକ ତାପମାତ୍ରା ୩୦ ଡିଗ୍ରି ତଳେ ରହିବା କଥା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଗୋ‌ପାଳପୁରରେ ଶୁକ୍ରବାର ଦିନ ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରି ‌ରେକର୍ଡ ହୋଇଛି। ଗୋପାଳପୁର ପାଇଁ ଜାନୁଆରି ମାସର ସର୍ବକାଳୀନ ରେକର୍ଡ ଦିନ ତାପମାତ୍ରା ହେଉଛି ୩୪.୩ ଡିଗ୍ରି, ଯାହାକି ୧୯୯୦ ମସିହା ଜାନୁଆରି ୨୦ରେ ରେକର୍ଡ ହୋଇଥିଲା। ବାଲେଶ୍ବରଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସ୍ବାଭାବିକଠାରୁ ଏହା ୫.୬ ଡିଗ୍ରି ଅଧିକ। ସେହିଭଳି ସମ୍ବଲପୁରରେ ରେକର୍ଡ ହୋଇଛି ୩୩.୯ ଡିଗ୍ରି ଦିନ ତାପମାତ୍ରା। ଯାହାକି ସ୍ବାଭାବିକଠାରୁ ୫.୫ ଡିଗ୍ରି ଅଧିକ। ଅନୁଗୁଳଠାରେ ୪.୮ ଡିଗ୍ରି, ଝାରସୁଗୁଡ଼ାଠା‌ରେ ୪.୮, ପାରାଦୀପଠାରେ ୪.୬, କେନ୍ଦୁଝରରେ ୪.୩, ଭୁବନେଶ୍ବରରେ ୪.୨, ବଲାଙ୍ଗୀରରେ ୪.୨, ଚାନ୍ଦବାଲିରେ ୪.୧ ଓ ଫୁଲବାଣୀରେ ସ୍ବାଭାବିକ ତାପମାତ୍ରାଠାରୁ ୪ ଡିଗ୍ରି ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ ଗତକାଲି ରାତିରେ ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୭.୭ ଡିଗ୍ରି ଓ ଫୁଲବାଣୀଠାରେ ୧୧ ଡିଗ୍ରି ରେକର୍ଡ ହୋଇଛି।  ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ପାଖାପାଖି ରହିବ। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ବାୟୁମଣ୍ଡଳର ଆର୍ଦ୍ରତା କମିଛି। ଆକାଶ ମଧ୍ୟ ନିର୍ମଳ ରହୁଛି। ଫଳରେ ଖରା ଟାଣ ରହୁଛି । ଆଗକୁ ୫ ଦିନ ପର୍ଯ୍ୟନ୍ତ ଏହିଭଳି ଖରା ଲାଗି ରହିବ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର