ଭୁବନେଶ୍ବର: ମାଘରେ ଆଉ ବାଘ ଭଳି ଶୀତ ନାହିଁ। ହାତଗଣତି କିଛି ଜିଲ୍ଲାକୁ ଛାଡ଼ି ଦେଲେ ସାରା ରାଜ୍ୟରୁ ଶୀତ ଏକପ୍ରକାର ଗାଏବ ହୋଇଛି। କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯାଇଛି। ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପଶ୍ଚିମାଝଡ଼ ଆଗମନ ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରା ଗୁରୁବାରଠାରୁ ବୃଦ୍ଧି ପାଇବ। ପର୍ଯ୍ୟାୟକ୍ରମେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତେଣୁ ସପ୍ତାହେ ଯାଏ ଗରମ ଅନୁଭୂତ ହେବା ସହ ଖରାରୁ ତ୍ରାହି ମିଳିବ ନାହିଁ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଗୁରୁବାରଠାରୁ ରାତି ସହ ଦିନର ତାପମାତ୍ରା ମଧ୍ୟ ବଢ଼ିବ। ସବୁଆଡ଼େ ଗରମ ଅନୁଭୂତ ହେବ। ତେବେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଘନ କୁହୁଡ଼ି ଅଧା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିବ। ଆଗାମୀ ୫ରୁ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳିବ। ଉପକୂଳ ଓଡ଼ିଶାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ କୁହୁଡ଼ି ହେବାକୁ ଥିବାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଅନୁଗୁଳ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଘନ କୁହୁଡି ପାଇଁ ୱାର୍ଣ୍ଣିଂ ଦିଆଯାଇଛି। ୩୧ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଗତ ୨୪ ଘଣ୍ଟାରେ ୧୦ଟି ଅଞ୍ଚଳରେ ଘନ କୁହୁଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଅନୁଭୂତ ହୋଇଥିଲା। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରି ରେକର୍ଡ ହୋଇଛି। ଅନୁଗୁଳ, କୋରାପୁଟ ଓ ନୟାଗଡ଼ରେ ଅତ୍ୟଧିକ କୁହୁଡ଼ି ସହ ଚାନ୍ଦବାଲି, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, ଫୁଲବାଣୀ ଓ ଜଗତ୍ସିଂହପୁରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ବରଗଡ଼ ଓ ନୂଆପଡ଼ାରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ରେକର୍ଡ କରାଯାଇଛି।