ପୁରୀ: ପ୍ରତିବର୍ଷ ଭଳି ଚଳିତବର୍ଷ ପାଞ୍ଜି ସମନ୍ବୟ ବୈଠକ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ପାଞ୍ଜିକାରମାନଙ୍କୁ ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଛି। ଇତିମଧ୍ୟରେ ଦୁଇଟି ପାଞ୍ଜିର ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ ହୋଇଛି। ମାତ୍ର ଅନ୍ୟମାନେ ଏ ପର୍ଯ୍ୟନ୍ତ ପାଣ୍ଡୁଲିପି ଦାଖଲ କରିନାହାନ୍ତି। ଏଣୁ ପୁଣିଥରେ ଚିଠି ଲେଖିବା (ରିମାଇଣ୍ଡର)କୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ତେବେ ଏଠାରେ ବଡ଼ ପ୍ରଶ୍ନ ଉଠୁଛି, ପ୍ରତିବର୍ଷ ପାଞ୍ଜି ସମନ୍ବୟ ବୈଠକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଉଛି। ଏହା କେବଳ ଅନୁରୋଧ ଭିତ୍ତିରେ ହେଉଛି। କାଁଭାଁ କିଛି ପାଞ୍ଜିକାରଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ଏହି ବୈଠକକୁ ଆସୁନାହାନ୍ତି। କାରଣ ପାଞ୍ଜିକାରଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନର ଅଙ୍କୁଶ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ନାହିଁ। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଞ୍ଜି ସମନ୍ବୟ ପାଇଁ ପାଣ୍ଡୁଲିପି ଦାଖଲ ଓ ପରବର୍ତ୍ତୀ ବୈଠକ ନେଇ ପ୍ରଶ୍ନ ଉଠିଲାଣି। ଯଦି ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତେ ଓ ପାଞ୍ଜିକାରଙ୍କ ଉପରେ ଅଙ୍କୁଶ ଲଗାନ୍ତେ, ତେବେ ବୈଠକ ସଫଳ ହେବା ସହ ଲୋକେ ତିଥିକୁ ନେଇ ଆଉ ଦ୍ବନ୍ଦ୍ବରେ ପଡ଼ନ୍ତେ ନାହିଁ। ଏହା ହେଲେ ପାଞ୍ଜିରେ ସମନ୍ବୟ ସମ୍ଭବପର ହୋଇପାରିବ ବୋଲି ସେବାୟତମମାନେ ମତ ଦେଇଛନ୍ତି। ପ୍ରତିବର୍ଷ ନଭେମ୍ବରରୁ ଡିସେମ୍ବର ଭିତରେ ଶ୍ରୀମନ୍ଦିର ପ୍ରଶାସନ ପାଞ୍ଜି ସମନ୍ବୟ ପାଇଁ ଚିଠି କରିଥାଏ। ପରେ ପାଣ୍ଡୁଲିପି ଗଣନାକୁ ମେଳକ ଓ ପାଞ୍ଜିକାରଙ୍କ ସହ ବୈଠକ କରାଯାଇ ଶ୍ରୀମନ୍ଦିର ନୀତିକାନ୍ତି ଚୂଡ଼ାନ୍ତ କରିଥାଏ।
ସମନ୍ବୟ ବୈଠକକୁ ଆସୁନାହାନ୍ତି ପାଞ୍ଜିକାର
ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ସେବାୟତ
ଫେବ୍ରୁଆରି ମାସରେ ଶ୍ରୀମନ୍ଦିର ନୀତିକାନ୍ତି ଚୂଡ଼ାନ୍ତ ହେବା ପରେ ମହାବିଷୁବ ସଂକ୍ରାନ୍ତିରୁ ଶ୍ରୀମନ୍ଦିର ପାଞ୍ଜି ପ୍ରଚଳନ ହୋଇଥାଏ। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି, ପ୍ରତିବର୍ଷ ଭଳି ଚଳିତବର୍ଷ ବି ଆମେ ସବୁ ପାଞ୍ଜିକାରଙ୍କୁ ପାଣ୍ଡୁଲିପି ଦାଖଲ ପାଇଁ ଚିଠି କରିଛୁ। ମାତ୍ର ଦୁଇଟି ପାଞ୍ଜି ପାଣ୍ଡୁଲିପି ଦାଖଲ କରିଥିବାରୁ ଅନ୍ୟମାନଙ୍କୁ ରିମାଇଣ୍ଡର ପଠାଯିବ। ପାଣ୍ଡୁଲିପି ମେଳକ ପରେ ଶ୍ରୀମନ୍ଦିର ନୀତିକାନ୍ତି ଚୂଡ଼ାନ୍ତ ହେବ। ଏହାଦ୍ବାରା ପାଞ୍ଜିରେ ସମାନତା ଆସିବା ସହ ତିଥି, ନକ୍ଷତ୍ରକୁ ନେଇ ଆଉ ଦ୍ବନ୍ଦ୍ବ ରହିବନି ବୋଲି ଶ୍ରୀ ସାହୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ଦୁର୍ଗାପୂଜା ଓ ଦୀପାବଳି ତିଥିକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି ପାଳନ ହୋଇଥିବା ବେଳେ କେତେକ ପାଞ୍ଜିରେ ଅକ୍ଟୋବର ୩୧ ଦୀପାବଳି ପଡ଼ୁଛି ବୋଲି ଉଲ୍ଲେଖ କରାଯାଇଥିଲା।