କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଥିବା ଦ୍ବାଦଶ ଶତାବ୍ଦୀର ଐତିହ୍ୟ କପିଳେଶ୍ବର ମନ୍ଦିର ରାମିଆଳ ନଦୀରେ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନଦୀର ଗତିପଥ ପରିବର୍ତ୍ତନ, ବାରମ୍ବାର କୂଳ ଲଙ୍ଘିବା ଓ ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ୧୯୯୬ ମସିହାରୁ ଏହି ମନ୍ଦିର ଏଏସ୍ଆଇ ହାତକୁ ଯାଇଥିଲେ ହେଁ ଯେପରି ଉନ୍ନତି ହେବା କଥା, ହୋଇନାହିଁ। ଖାଲି ଯାହା ୨୦୧୮ ମସିହାରେ କିଛି ପାଚେରି ତିଆରି କରିଥିଲା। ତା’ ପରଠାରୁ ଆଉ କିଛି ଆଖିଦୃଶିଆ କାମ ହୋଇନାହିଁ। କାମାକ୍ଷାନଗର-ଭୁବନ ୫୩ ନଂ ଜାତୀୟ ରାଜପଥର କାମାକ୍ଷାନଗରଠାରୁ ୭କିମି ଦୂରରେ ବଡ଼ସୁଆଁଳ ଛକ। ସେଠାରୁ ହାଟୁଆରୀ ଗ୍ରାମ-ଜଗନ୍ନାଥପୁର ରାସ୍ତାରେ ୨କି.ମି ଦୂର ରାମିଆଳ ନଦୀ ଭିତରେ ରହିଛି ଏହି ଶୈବପୀଠ। ଦ୍ବାଦଶ ଶତାବ୍ଦୀରେ ଗଙ୍ଗ ରାଜବଂଶ ଶାସନକାଳରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ରାଜାରାଜୁଡ଼ା ଅମଳରୁ ଥିବା ଏହି ମନ୍ଦିରକୁ ହାଟୁଆରୀ ଗ୍ରାମର କିଛି ପୂଜକ ପୂଜା କରିଆସୁଥିବା ବେଳେ ଠାକୁରଙ୍କ ନାମରେ ଥିବା ପ୍ରାୟ ୬୦ ଏକର ଜମି ଭୋଗଦଖଲ କରୁଥିଲେ। ୧୯୯୪-୯୫ ମସିହାରେ ପ୍ରଥମଥର ପାଇଁ ଦେବୋତ୍ତର ବିଭାଗ ଏହାକୁ ହାତକୁ ନେଇଥିଲା। ମାତ୍ର ପୂଜକ ଓ ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ରହିଲା ନାହିଁ। ଫଳରେ ଜମିଗୁଡ଼ିକ ଜବରଦଖଲକାରୀମାନେ କବ୍ଜା କରିନେଲେ।
୨୦୧୦-୧୨ ମସିହାରେ ଜଗନ୍ନାଥପୁର, ବଡସୁଆଁଳୋ, ବାଲିଗୋରଡ଼ ଆଦି ୩ଟି ପଞ୍ଚାୟତର ପ୍ରାୟ ୧୫ଟି ଗ୍ରାମବାସୀ ଏକାଠି ହୋଇ ମନ୍ଦିର କମିଟି ଗଠନ କରି ମନ୍ଦିରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ। ଏଥିରେ ବାଲିଗୋରଡ଼ ପଞ୍ଚାୟତ କନ୍ତାରିପାଟ ଗ୍ରାମର ଯୁବ ଆଇନଜୀବୀ ଶେଷରଂଜନ ଦାସ ସଭାପତି ଭାବେ ଦାୟିତ୍ବ ନେଇ ଜବରଦଖଲ ଉଚ୍ଛେଦ କରି ଠାକୁରଙ୍କ ଜମି ଫେରାଇ ଆଣିଥିଲେ। ଅପରପକ୍ଷରେ ୧୯୯୬ ସମିହାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନେଇଥିଲା। ହେଲେ ମନ୍ଦିରର ଯେପରି ଉନ୍ନତି ହେବା କଥା, ହୋଇନାହିଁ। ୨୦୧୮ ମସିହାରେ କେବଳ କିଛି ପାଚେରି ନିର୍ମାଣ କରାଯାଇଥିଲା। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନିଜର ସ୍ଥିତି ହରାଇବାକୁ ବସିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମନ୍ଦିରଟି ପ୍ରଥମେ ରାମିଆଳ ନଦୀକୂଳରେ ଥିଲା। ନଦୀର ଗତିପଥ ପରିବର୍ତ୍ତନ ଓ ବାରମ୍ବାର କୂଳ ଲଂଘିବା ଯୋଗୁଁ କାଳକ୍ରମେ ନଦୀର ଓସାର ୪୦୦ ମିଟରରୁ ଊର୍ଦ୍ଧ୍ବ ହେଲାଣି। ଫଳରେ କପିଳେଶ୍ବର ପୀଠ ଏବେ ନଦୀଗର୍ଭରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଶ୍ରାବଣ, ଭାଦ୍ରବ ଓ ଆଶ୍ବିନ ତିନି ମାସ ନଦୀରେ ଅଧିକ ପାଣି ଆସିଲେ ଠାକୁରଙ୍କ ଦର୍ଶନ କରିବା ଅସମ୍ଭବ ହୋଇପଡ଼େ। ତେଣୁ ଏହି ତିନିମାସ ପୂଜକ କୂଳରେ ଥିବା ଘରେ ଠାକୁରଙ୍କ ପୂଜାର୍ଚ୍ଚନା କରିଥା’ନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ପ୍ରାୟ ଭଗ୍ନ ଅବସ୍ଥାରେ ରହିଛି। ତଥାପି ମନ୍ଦିରର ପ୍ରାଚୀନତା ଓ ଭକ୍ତଙ୍କ ବିଶ୍ବାସ ଯୋଗୁଁ ଶହଶହ ଶ୍ରଦ୍ଧାଳୁ ଏଠାକୁ ଆସିଥା’ନ୍ତି। ମନ୍ଦିରରେ ଆଶ୍ବିନ ମାସରେ ଷୋଳପୂଜା ପୂର୍ବରୁ ମନ୍ଦିରର ପଙ୍କ ଉଦ୍ଧାର କରାଯାଇ ଅବଶିଷ୍ଟ ଦିନଗୁଡ଼ିକରେ ମନ୍ଦିରରେ ଠାକୁରଙ୍କ ଯଥାରୀତି ପୂଜା କରାଯାଏ। ମନ୍ଦିରରେ ଉପଯୁକ୍ତ ବିଶ୍ରାମାଗାର ଓ ନଦୀକୂଳରୁ ମନ୍ଦିର ପର୍ଯ୍ୟନ୍ତ ପୋଲ ନଥିବାରୁ ଅନେକ ସମୟରେ ଠାକୁର ଦର୍ଶନ କରି ନ ପାରି ଶ୍ରଦ୍ଧାଳୁମାନେ ନିରାଶରେ ଫେରିଯିବାକୁ ବାଧ୍ୟ ହୋଇଥାନ୍ତି।
କପିଳେଶ୍ବର ମନ୍ଦିରକୁ ସରକାରୀସ୍ତରରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ଥି। ନଦୀକୂଳରୁ ମନ୍ଦିର ପର୍ଯ୍ୟନ୍ତ ପୋଲ ଓ ପଶ୍ଚିମ ଦିଗରେ ଏକ ଆବଦ୍ଧ ପାଚେରି ନିର୍ମାଣ କାର୍ଯ୍ୟ ଏଏସ୍ଆଇ ହାତକୁ ନେଇଥିଲେ ମଧ୍ୟ ଏହା ଦିନକୁ ଦିନ ଘୁଞ୍ଚିଘୁଞ୍ଚି ଯାଉଛି। ଅନ୍ୟପକ୍ଷରେ ମନ୍ଦିରର ପଶ୍ଚିମ ଦିଗରେ ବନ୍ୟାପାଣି ମାଡ଼ ହୋଇ ସେଥିରେ ଫାଟ ସୃଷ୍ଟି ହୋଇଛି। ଏ ସଂପର୍କରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ କୁହନ୍ତି ଯେ ମନ୍ଦିରଟି ଏଏସ୍ଆଇ ଅଧୀନରେ ଅଛି। ଏଏସ୍ଆଇ ଯଦି କହିବ, ତା’ର ଉନ୍ନତୀକରଣ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ମନ୍ଦିର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏଏସ୍ଆଇ ଯଦି ଅନୁମତି ଦେବ, ତେବେ ମନ୍ଦିର କାମ ଜିଲ୍ଲା ପ୍ରଶାସନ କରିବ। ଏହା ଉପରେ ଏଏସ୍ଆଇକୁ ଚିଠି ଲେଖିବାକୁ ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି।