ବ୍ରହ୍ମପୁର/ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଏନ୍‌ଏସିରେ ରହିଛି ପ୍ରାୟ ୩୦୦ବର୍ଷର ପ୍ରାଚୀନ ଜଗନ୍ନାଥ ମନ୍ଦିର। ଏହି ମନ୍ଦିର ସହିତ ଅଞ୍ଚଳବାସୀଙ୍କ ଅତୁଟ ଭାବାବେଗ ଜଡ଼ିତ ରହିଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଗଢ଼ ବିଶ୍ବାସ ରହିଛି। ହେଲେ ରାସ୍ତାଘାଟ ଓ ଜନବସତି ବଢ଼ିବା ପରେ ଧୀରେ ଧୀରେ ମନ୍ଦିର ତଳକୁ ହୋଇ ଯାଇଥିଲା। ଦୀର୍ଘବର୍ଷର ଏହି କୀର୍ତ୍ତିରାଜିକୁ ସଂରକ୍ଷିତ ରଖିବା ପାଇଁ ମନ୍ଦିର ଉନ୍ନୟନ କମିଟି ଓ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏବେ ପୁନରୁଦ୍ଧାର କାମ ଚାଲିଛି। ମନ୍ଦିରକୁ ନଭାଙ୍ଗି ପ୍ରାୟ ୬ଫୁଟ୍‌ ଉପରକୁ ଉଠାଇବା ପାଇଁ କାରିଗରମାନେ ଉଦ୍ୟମ ଜାରି ରଖିଛନ୍ତି। ହରିୟାଣାର ଟିଡିବିଡି ହାଉସ୍‌ ଲିଫ୍ଟଟିଂ ନାମକ କମ୍ପାନି ଏହି କାମ ହାତକୁ ନେଇଛି। କମ୍ପାନିର ୮ଜଣ କାରିଗର ଏହି କାମରେ ଲାଗିଥିବା ବେଳେ ମନ୍ଦିରକୁ ଉପରକୁ ଉଠାଇବାରେ ପ୍ରାୟ ୪ଶହ ଜ୍ୟାଗ୍‌ ବ୍ୟବହାର କରାଯାଇଛି। ୩ମାସ ମଧ୍ୟରେ କାମ ସମାପ୍ତ କରିବାକୁ କମ୍ପାନି ତରଫରୁ ଲକ୍ଷ୍ୟ ରଖାଯାଇଛି। ତତ୍କାଳୀନ ବିରୁଳିଗଡ଼ ରାଜା ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର ୩୦୦ବର୍ଷ ପୂର୍ବ ଇତିହାସର ମୁକସାକ୍ଷୀ। ମନ୍ଦିର ତଳକୁ ହୋଇ ଯାଇଥିବାରୁ ତାହା କିପରି ଉପରକୁ ଉଠାଯିବ ସେ ନେଇ ଗ୍ରାମବାସୀ ଚିନ୍ତା କରିଥିଲେ। ଏଥିପାଇଁ ମନ୍ଦିର ଉନ୍ନୟନ କମିଟି, ଗ୍ରାମବାସୀ, ବିରୁଳିଗଡ଼ ବର୍ତ୍ତମାନ ରାଜା ମହେନ୍ଦ୍ର ସିଂଦେଓ ଏବଂ ଋଷିକେଶରେ ରହୁଥିବା ସ୍ବାମୀ ଶଙ୍କରାନନ୍ଦ ଗିରିଙ୍କୁ ନେଇ ଆଲୋଚନା ହୋଇଥିଲା।

Advertisment

ଖଞ୍ଜାଯାଇଛି ୪ଶହ ଜ୍ୟାଗ୍‌
ଦବୁଛି ୩୦୦ ବର୍ଷ ପ୍ରାଚୀନ ଜଗନ୍ନାଥ ମନ୍ଦିର
କାମରେ ଲାଗିଛନ୍ତି ହରିୟାଣା କାରିଗର

ଏପରିକି ମନ୍ଦିରକୁ ନଭାଙ୍ଗି କାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଣୁ ହରିୟାଣାର କମ୍ପାନି ସହିତ ଯୋଗାଯୋଗ କରି ଏବେ କାମ ଆରମ୍ଭ କରାଯାଇଛି ବୋଲି ସମାଜସେବୀ ତଥା ରମ୍ଭା ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏହି କମ୍ପାନି ତରଫରୁ ବିଭିନ୍ନ ସ୍ଥାନରେ ଏଭଳି ଭାବେ ମନ୍ଦିରକୁ ଉପରକୁ ଉଠାଯାଇଛି। ଏହି କାମ ପାଇଁ ମନ୍ଦିର ତଳକୁ ୬ଫୁଟ୍‌ ପର୍ଯ୍ୟନ୍ତ ଖୋଳାଯିବ। ସେହିପରି ମନ୍ଦିର ଚାରିପଟେ ମଧ୍ୟ ୬ଫୁଟ୍‌ ପର୍ଯ୍ୟନ୍ତ ଖୋଳା ଯାଇଛି। କାରିଗରଙ୍କ କହିବା ଅନୁସାରେ ପର୍ଯ୍ୟାୟ କ୍ରମେ ଜ୍ୟାଗ୍‌ ସହାୟତାରେ ମନ୍ଦିରକୁ ଉପରକୁ ଉଠାଇ ବିମ୍‌ ଦେଇ କଂକ୍ରଟ୍‌ କରାଯିବ। ପ୍ରାୟ ୬ଫୁଟ୍‌ ପର୍ଯ୍ୟନ୍ତ ଏଭଳି କାମ ହେବ। ଏହାପରେ ମନ୍ଦିର ଉପରକୁ ଉଠି ରହିବ। ଫଳରେ ଶ୍ରଦ୍ଧାଳୁ ପାହାଚ ଚଢ଼ି ମନ୍ଦିରକୁ ଆସିବେ ବୋଲି କାରିଗରମାନେ କହିଛନ୍ତି। ଏବେ ମନ୍ଦିର କାମ ଚାଲୁଥିବାରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଛି।