ବର୍ଷା ଭସାଇନେଲା ଅସ୍ଥାୟୀ ପୋଲ: ୫ ବର୍ଷ ହେଲା ମିଟକୁନ୍ଦୁରୀ-ଲହଣ୍ଡା ବ୍ରିଜ୍‌ ସରୁନି

ଅସ୍ଥାୟୀ ପୋଲ ତିଆରି କରି ଲୋକେ ନଦୀ ପାର୍‌ ହେଉଥିଲେ

ରାଉରକେଲା: ପ୍ରାୟ ୫ ବର୍ଷ ପୂର୍ବେ ମିଟ୍‌କୁନ୍ଦୁରୀ-ଲହଣ୍ଡା ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୨୦ ମସିହାରେ ପ୍ରକଳ୍ପ ‌ସମ୍ପନ୍ନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ନିର୍ମାଣ କାର୍ଯ୍ୟ ସରିନି। ଫଳରେ ହଜାର ହଜାର ଅଞ୍ଚଳବାସୀ ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହୋଇ ଇସ୍ପାତ ସହରକୁ ଆସୁଛନ୍ତି। ଚାଷୀ, ଦିନମଜୁରିଆଠାରୁ ଆରମ୍ଭକରି ସ୍କୁଲ କଲେଜ ପଢ଼ୁଆ ଛାତ୍ରଛାତ୍ରୀ ଏହି ନଦୀ ପାର୍‌ ହୋଇ ରାଉରକେଲାକୁ ଆସିଥାନ୍ତି। ଗୋଟିଏପଟେ ସେତୁ ନିର୍ମାଣ କାର୍ଯ୍ୟ ସରୁନଥିବାରୁ ଅଞ୍ଚଳବାସୀ ବିକଳ୍ପ ବ୍ୟବସ୍ଥା କରୁଛନ୍ତି। କେତେବେଳେ ବାଉଁଶ ପୋଲ ନିର୍ମାଣ କରୁଥିବାବେଳେ କେତେବେଳେ ପୋଲ ଉପରେ ମୋରମ, ମାଟି, ବାଲି ଦେଇ କାମଚଳା ବ୍ୟବସ୍ଥା କରି ନଦୀ ପାର୍‌ ହେଉଛନ୍ତି। ତେବେ ଏହି ପୋଲ ଦୀର୍ଘସ୍ଥାୟୀ ହୋଇପାରୁନି। ଦୁଇ ସପ୍ତାହ ପୂର୍ବେ ଏହି ଦେଓ ନଦୀ ଉପରେ ସିମେଣ୍ଟ୍‌ ପୋଲ ପକାଇ ତଥା ତା’ଉପରେ ମୋରମ ଦେଇ ଲୋକ ଅସ୍ଥାନୀୟ ପୋଲ ତିଆରି କରିଥିଲେ; ତେବେ ଦିନକ ପୂର୍ବେ ହୋଇଥିବା ଅସରାଏ ବର୍ଷା ଏହି ଅସ୍ଥାୟୀ ରାସ୍ତାକୁ ଭସାଇନେଇଛି। ଫଳରେ କୁଆରମୁଣ୍ଡା, ନୂଆଗାଁ ଅଞ୍ଚଳର ହଜାର ହଜାର ଲୋକ ଏବେ ୨୦/୨୫ କିଲୋମିଟର ବୁଲି ରାଉରକେଲାକୁ ଆସୁଛନ୍ତି।

ପାଖାପାଖି ୧୫ ଦିନ ପୂର୍ବେ ନିର୍ମାଣାଧୀନ ସେତୁ ପାଖରେ ଏହି କାମଚଳା ପୋଲ ତିଆରି କରାଯାଇଥିଲା। ଝାରବେଡ଼ା ପଞ୍ଚାୟତ ତଥା ଗ୍ରାମବାସୀ ସମ୍ମିଳିତଭାବେ ତିନିଟି ସିମେଣ୍ଟ୍‌ ପୋଲ ଉପରେ ମୋରମ, ବାଲି, ଗୋଡ଼ି ଦେଇ ଅସ୍ଥାୟୀ ବ୍ରିଜ୍‌ ତିଆର କରିଥିଲେ। ‌ଏହା ଉପରେ ଲୋକେ ଯିବାଆସିବା କରୁଥିଲେ। କିଛିମାତ୍ରାରେ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହୋଇଥିଲା। ଗତ ଶନିବାର ଓ ରବିବାର ରାତିର ଅଦିନିଆ ବର୍ଷା ସବୁକିଛି ଓଲଟପାଲଟ କରିଦେଇଛି। ଅଦିନିଆ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଯଦ୍ବାରା ଏହି ଅସ୍ଥାୟୀ ପୋଲ ଉପରେ ଥିବା ମୋରମ, ବାଲି ସବୁ ନଦୀ ଧୋଇନେଇଥିଲା। କେବଳ ସିମେଣ୍ଟ୍‌ ପୋଲ ସେଠାରେ ପଡ଼ିରହିଛି। ଫଳରେ ଗମନାଗମନ ସମ୍ଭବ ହୋଇପାରୁନି। ଯଦ୍ବାରା ଅନିଚ୍ଛାସତ୍ତ୍ବେ ଲୋକେ ଖୁଣ୍ଟଗାଁ ଦେଇ ବୁଲି ଝିରପାଣି ହୋଇ ସହରକୁ ଆସୁଥିବା ଦେଖିବାକୁ ମିଳୁଛି। ବାରମ୍ବାର ଦାବି ସତ୍ତ୍ବେ ପ୍ରକଳ୍ପ ସଂପୂର୍ଣ୍ଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ତୀବ୍ର ହେଲାଣି। ଆସନ୍ତା ୨୬ ତାରିଖରେ ଅଞ୍ଚଳର ବିଭିନ୍ନ ଗ୍ରାମଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଗ୍ରାମାବାସୀଙ୍କୁ ନେଇ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ। ଏହାପରେ ଦାବିପୂରଣ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବବୋଲି ସୂଚନାରୁ ପ୍ରକାଶ।

ପ୍ରକାଶଥାଉକି, ସହର ଉପକଣ୍ଠରେ ପ୍ରବାହିତ ଦେଓ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଦୀର୍ଘ କୋଡ଼ିଏ ବର୍ଷ ହେଲା ଦାବି ହେଉଛି। ଏହି ବ୍ରିଜ୍‌ ନିର୍ମାଣ ହେଲେ ସ୍ଥାନୀୟ କୁଆରମୁଣ୍ଡା-ନୂଆଗାଁ ଅଞ୍ଚଳର ବିଭିନ୍ନ ଗାଁର ଲୋକ ବହୁମାତ୍ରାରେ ଉପକୃତ ହେବେ। ବିଶେଷକରି କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଝାରବେଡ଼ା, ଟାଙ୍ଗରାଣୀ, ରିଉଁ, ପସରା, ବିଜୁବନ୍ଧ, ସିଆଲଯୋର, ହରପାଲି, ରାମପୁର, କଚାରୁ, ସାନଦଲକି, ଲୋହାମାଲ, କାରିଛାପଲ, କର୍ମାବାହାଲ ଏବଂ ନୂଆଗାଁ ବ୍ଲକର ଅଙ୍କୁରପାଲି, ରାଣାକଟା, କନ୍ଦରକେଲା, ଲହଣ୍ଡା, ବଣ୍ଡରାଏ, ମେନମେନା, ରେଙ୍ଗାଲବେଡା, ରୋକେଡେଗା, ବାଲିଆପୋଷ, ବାଲିମୁଣ୍ଡା, ବରେଇଗଡ଼ା, ସତରା,ଲାଙ୍କଇ, କଦଳୀବାହାଲ, ସେମେର୍ତ୍ତା ଗ୍ରାମର ବାସିନ୍ଦା ଅଧିକ ଲାଭବାନ ହେବେ। ଏସବୁ ଗାଁରୁ ପ୍ରତିଦିନ ଦିନ ମଜୁରିଆ, ପରିବା ବେପାରୀ, ଛାତ୍ରଛାତ୍ରୀ, କର୍ମଜୀବୀ ଲୋକ ନଦୀ ପାର୍‌ ହୋଇ ରାଉରକେଲା ଆସିଥାନ୍ତି। ବର୍ଷା ସମୟରେ ପାଖାପାଖି ୪୦ କିଲୋମିଟର ବୁଲି ସହରକୁ ଆସିବାକୁ ପଡ଼ିଥାଏ।

ଏତଦ୍‌ବ୍ୟତୀତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଲୋକ ମଧ୍ୟ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ୨୦୧୭-୧୮ ମସିହାରେ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ବ୍ୟୟଅଟକଳ ପ୍ରାୟ ୭ କୋଟି ୬୮ ଲକ୍ଷ ରହିଥିଲା। ସେବେଠାରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି; କିନ୍ତୁ ଶେଷହେବାର ନାଁ ନେଉନି। ଏବେ ବି ବ୍ରିଜ୍‌ ଉପରେ ଗୋଟିଏ ସ୍ଲାବ୍‌ ଓ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ହୋଇପାରିନି। ଜମି ଅଧିଗ୍ରହଣ ବାବଦକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନଥିବାରୁ କିଛି ଲୋକ ଜମି ଛାଡ଼ିବାକୁ ରାଜି ହେଉନାହାନ୍ତି। ବିଗତ ଦିନରେ ପାନପୋଷ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ଦେଇ ନିର୍ମାଣକାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେସବୁ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଅପରପକ୍ଷରେ ସ୍ଥାନୀୟବାସିନ୍ଦାଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର