୨୦୨୩ ସୁଦ୍ଧା ବାଲେଶ୍ବର, ସମ୍ବଲପୁରରେ ଡପ୍‌ଲାର ରାଡାର୍‌: ଚାରି ମହଲା ବିଲ୍‌ଡିଂ ନିର୍ମାଣ ଶେ‌ଷ

କରୋନା ପାଇଁ ଟେଣ୍ଡର ପ୍ରକ୍ରିୟା ବିଳମ୍ବିତ

ବାଲେଶ୍ବର: ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ। ୯୯ ମହାବାତ୍ୟା ପରଠାରୁ ଏଯାବତ୍‌ ଓଡ଼ିଶା ୨୨ଟି ବାତ୍ୟାର ସମ୍ମୁଖୀନ ହୋଇ ସାରିଲାଣି। ଏହାର ତାଣ୍ଡବରେ ଅନେକ ଧନଜୀବନ ଉଜୁଡ଼ି ଯାଇଥିବା ବେଳେ ରାଜ୍ୟ ଅର୍ଥନୀତି ମଧ୍ୟ ବହୁଳ ଭାବେ ପ୍ରଭାବିତ ହେଉଛି। ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ କେନ୍ଦ୍ର ସରକାର ଓଡ଼ିଶାରେ ଅତ୍ୟାଧୁନିକ ଡପ୍‌ଲାର ରାଡାର୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ତାଲିକାରେ ଗୋପାଳପୁର, ପାରାଦୀପ, ସମ୍ବଲପୁର ଓ ବାଲେଶ୍ବର ରହିଥିଲା। ଓଡ଼ିଶାମୁହାଁ ଯେତିକି ବାତ୍ୟା ଆସୁଛି, ପ୍ରାୟତଃ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାର ପ୍ରଭାବ ଅଧିକ ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହେଉଛି। ବିଶେଷ କରି ସାମୁଦ୍ରିକ ଝଡ଼ବାତ୍ୟା, ବଜ୍ରପାତ, ଲଘୁଚାପ ବର୍ଷା, ପବନର ବେଗ ଆଦି ସଂପର୍କରେ ଆଗୁଆ ସଠିକ ସୂଚନା ଦେବାରେ ଡପ୍‌ଲାର ରାଡାରର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଗୋପାଳପୁର ଓ ପାରାଦୀପରେ ଏହି ରାଡାର୍‌ ବସିସାରିଛି। ବାତ୍ୟା ସମୟରେ ଏହି ରାଡାରର ଉପଯୋଗ ପୂର୍ବରୁ ପ୍ରମାଣିତ ହୋଇସାରିଛି। ହେଲେ ବିଡ଼ମ୍ବନା, କେନ୍ଦ୍ର ସରକାରଙ୍କ ଘୋଷଣାକୁ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାରେ ଡପ୍‌ଲାର ରାଡାର୍‌ ବସିପାରିନାହିଁ।
୨୦୧୩ ଅଗଷ୍ଟ ୮ ତାରିଖରେ ବାଲେଶ୍ବର ଚାନ୍ଦିପୁର ହିଡ଼ିଗାଁ ଅଞ୍ଚଳରେ ଡପ୍‌ଲାର ରାଡାର୍‌ ନିମନ୍ତେ ଜାଗା ଚିହ୍ନଟ ହୋଇ ୪ ମହଲା ବିଲଡିଂ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୪ କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ବିଲଡିଂ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ଏହି ରାଡାର୍‌ ବସିଥିଲେ ଉତ୍ତରଓଡ଼ିଶା ସହିତ ପଶ୍ଚିମବଙ୍ଗ ମଧ୍ୟ ପାଣିପାଗ ସଂପର୍କରେ ଆଗୁଆ ସୂଚନା ପାଇପାରିଥାନ୍ତା। ୨୦୧୪ ନଭେମ୍ବର ଭିତରେ ଏହି ବିଲଡିଂ ନିର୍ମାଣ କାମ ଶେ‌ଷ ହେବା କଥା। କିନ୍ତୁ ବିଲଡିଂ କାମ ଅଧାପନ୍ତରିଆ ଅବସ୍ଥାରେ ବହୁବର୍ଷ ଧରି ପଡ଼ିରହିଲା। ଗତବର୍ଷ ବିଲଡିଂ କାମ ପାଇଁ ପୁଣି ୧ କୋଟି ୪୨ ଲକ୍ଷ ଟଙ୍କା ଆସିଲା। କିଛି ମାସ ତଳେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆସି କାମ ତଦାରଖ କରିବା ସହ ଦୁଇ ବର୍ଷ ଭିତରେ ଏହି ରାଡାର୍‌ ବସିବ ବୋଲି କହିଥିଲେ। ଚଳିତବର୍ଷ ଜାନୁଆରି ମାସ‌ରେ ଟେ‌ଣ୍ଡର ନେଇଥିବା ଠିକାଦାର ଅଙ୍କିତ ରାଓ ଡୋରା କାମ ସଂପୂର୍ଣ୍ଣ କରି ପୂର୍ତ୍ତ ବିଭାଗକୁ କୋଠା ମଧ୍ୟ ହସ୍ତାନ୍ତର କରିଛନ୍ତି। ଏବେ ଅପେକ୍ଷା ଡପ୍‌ଲାର ରାଡାର୍‌କୁ।
ଏ ସଂପର୍କରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡ. ମହାପାତ୍ର କହିଛନ୍ତି, କରୋନା ମହାମାରୀ ପାଇଁ ରାଡାର୍‌ ପ୍ରତିଷ୍ଠା ଟିକେ ପଛେଇ ଯାଇଛି। ମୋଟ୍‌ ୧୧ଟି ରାଡାର୍‌ କିଣାଯିବା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ସେଥିରେ ଓଡ଼ିଶାରେ ବାକିଥିବା ଦୁଇଟି ଜିଲ୍ଲା ରହିଛି। ବର୍ତ୍ତମାନ ପାରାଦୀପ ଓ ଗୋପାଳପୁରରେ ଥିବା ଡପ୍‌ଲାର ରାଡାର୍‌ରୁ ସାରା ଓଡ଼ିଶାର ପାଣିପାଗ ସଂପର୍କରେ ସୂଚନା ମିଳୁଛି। ତେବେ ୨୦୨୩ ସୁଦ୍ଧା ବାଲେଶ୍ବର ଓ ସମ୍ବଲପୁରରେ ଏହି ରାଡାର୍‌ ନିଶ୍ଚିତ ବସିବ ବୋଲି ଡ.ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର