ମାଓ ଆକ୍ରମଣର ୫ ମାସ ପରେ ବି ଆତଙ୍କ ଜାରି, ଗାଁ ଛାଡ଼ିଥିବା ସରପଞ୍ଚ ଓ ଗ୍ରାମବାସୀ ଫେରିନାହାନ୍ତି

ସବୁ କାମ ଠପ୍‌, ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦ

ତୁମୁଡ଼ିବନ୍ଧ : ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତରେ ମାଓବାଦୀ ରକ୍ତର ହୋଲି ଖେଳିଥିଲେ। ଦୁଇ ଜଣଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗଳା କାଟି ହତ୍ୟା କରିଥିଲେ। ଘଟଣାକୁ ୫ ମାସ ବିତିଥିଲେ ବି ଲୋକଙ୍କ ମନରୁ ଆତଙ୍କ ଦୂର ହୋଇନି। ଘଟଣା ପରଦିନ ଠାରୁ ଗାଁ ଛାଡ଼ି ପଳାଇଥିଲେ ସରପଞ୍ଚ, ତାଙ୍କ ସ୍ବାମୀ ଓ କିଛି ଗ୍ରାମବାସୀ। ଏବେ ବି ମାଓ ଭୟରେ ସରପଞ୍ଚ ଓ ସେହି ବ୍ୟକ୍ତିମାନେ ଗ୍ରାମକୁ ଆସି ପାରୁନାହାନ୍ତି। ପଞ୍ଚାୟତ ଅଫିସ୍‌ ବନ୍ଦ। ଫଳରେ ସବୁ ଉନ୍ନୟନ କାମ ଅଟକି ଯାଇଛି। ଗାଁରେ ନିରବତାର ରାଜୁତି। ଲୋକେ କଥା କହିବାକୁ ଡରୁଛନ୍ତି। ସନ୍ଧ୍ୟା ନଇଁଲେ ତାଟିକବାଟ ପଡ଼ିଯାଉଛି, ଲୋକେ ଅନିଦ୍ରା ରାତି କାଟୁଛନ୍ତି।

ଗତ ଜାନୁଆରି ମାସ ୨୯ ତାରିଖ ରାତିରେ ହଠାତ୍ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନର ପ୍ରାୟ ୨୫ ରୁ ୩୦ ସଶସ୍ତ୍ର ମାଓବାଦୀ ଭଣ୍ଡରଙ୍ଗି ପଞ୍ଚାୟତର ଭଣ୍ଡରଙ୍ଗି ଓ ଗୋଚ୍ଛାଗୁଡ଼ା ଗାଁରେ ରାତି ଅଧରେ ଶୋଇଥିବା ବେଳେ ଘରୁ ବାହାରକୁ ଡାକି ନେଇ ଗୋଚ୍ଛାଗୁଡ଼ାର ହେମନ୍ତ ପାତ୍ର ଏବଂ ଭଣ୍ଡରଙ୍ଗି ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ରଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ। ଶବ ପାଖରେ ପୋଷ୍ଟର ମଧ୍ୟ ଛାଡ଼ି ଯାଇଥିଲେ। ଯେଉଁଥିରେ ସେମାନେ ପୁଲିସ ପାଇଁ କାମ କରୁଥିବାରୁ ଓ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ଦେଉଥିବାରୁ ସେମାନଙ୍କୁ ହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ଏହା ପରେ ସରପଞ୍ଚ ଓ ତାଙ୍କ ସ୍ବାମୀ ଗାଁ ଛାଡ଼ି ପଳାଇଥିବା ବେଳେ ଅନେକ ଯୁବକ ମଧ୍ୟ ମାଓ ଭୟରେ ଗାଁ ଛାଡ଼ିଥିଲେ। ଯାହାଫଳରେ ଗାଁ ଏକ ପ୍ରକାର ଜନଶୂନ୍ୟ ହୋଇ ପଡ଼ିଥିଲା। ସେହିଦିନ ଠାରୁ ସରପଞ୍ଚ ଆଉ ଗାଁକୁ ଭୟରେ ଆସୁନାହାନ୍ତି। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହିଁ। ପଞ୍ଚାୟତରେ କୌଣସି ବୈଠକ ହେଉନାହିଁ। କେବଳ ଭତ୍ତା ଓ ଚାଉଳ ଦେଇ କର୍ମଚାରୀ କାମ ସାରି ଦେଉଛନ୍ତି। ସରକାରୀ ଉନ୍ନୟନ କାର୍ଯ୍ୟ ହେଉନାହିଁ।

ସମ୍ବନ୍ଧିତ ଖବର