ଘର ଝରକା ଭାଙ୍ଗି ଚୋରି, ୪୦ ହଜାର ଟଙ୍କା ସହ ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ଦଶପୁର: ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧୀନ ଚିଚିଆ ଗାଁରେ ମଙ୍ଗଳବାର ରାତିରେ ଏକ ବଡ଼ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଗାଁର ସ୍ବର୍ଗତ ସୁରେନ୍ଦ୍ର ସରାପଙ୍କ ସ୍ତ୍ରୀ ସଞ୍ଜୁ ସରାପଙ୍କ ଘରୁ ଲକ୍ଷାଧିକ ଟଙ୍କା, ସୁନା ଆଦି ଚୋରି କରିଥିବା ଅଭିଯୋଗ ହେଉଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଏଯାଏ କିଛି ସୁରାକ୍ ମିଳିନଥିବା ଜଣାପଡ଼ିଛି।

ସୂଚନାମତେ, ମଙ୍ଗଳବାର ବିଳମ୍ବିତ ରାତିରେ ସଞ୍ଜୁଙ୍କ ଘରର ଝରକା ଭାଙ୍ଗି ପ୍ରାୟ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରକୁ ପଶିଥିଲେ। ଟେଜରି ଲକର୍‌ ଖୋଲି ୪୦ ହଜାର ଟଙ୍କା, ୩ ଭରି ସୁନା ଆଦି ଚୋରି କରିନେଇଥିଲେ। ଏନେଇ ଦଶପୁର ଫାଣ୍ଡିରେ ଅଭିଯୋଗ କରାଯିବା ପରେ ପୁଲିସ୍ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍ ସହ ଘଟଣାସ୍ଥଳକୁ ଆସି ତଦନ୍ତ କରିଛି। ଗୋଲାମୁଣ୍ଡା ଥାନାଧିକାରୀ ଯୁଗଳ ଶବରଙ୍କ ସହ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ପ୍ରମୁଖ ଘଟଣାର ସର୍‌ଜମିନ୍ ତଦନ୍ତ କରିଛି। କିଛି ମାସ ତଳେ ଗୋଲାମୁଣ୍ଡା ଥାନା ଖମାର ହଳଦି ପଞ୍ଚାୟତରେ ଦୁଇ ଦୁଇ ଥର ବଡ଼ ଧରଣର ଡକାୟତି ହୋଇଥିବା ବେଳେ ପୁଲିସ୍ ଏଯାଏ ଚୋରକୁ କାବୁ କରିପାରି ନଥିବାରୁ ଅଞ୍ଚଳବାସୀ ପୁଲିସ୍‌ର ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଥିବାରୁ ପୁଲିସ୍‌ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର