ରାଉରକେଲା: ସିକିଲ୍ସେଲ୍ ରୋଗୀଙ୍କୁ ବଣାଇ ଥାନା ଅଧିକାରୀଙ୍କ ମାଡ଼ ଘଟଣାରେ ଚୁପ୍ ବସିଛନ୍ତି ପୁଲିସ ଉଚ୍ଚ ଅଧିକାରୀ। ଏହି ସମ୍ବେଦନଶୀଳ ଘଟଣାକୁ ଉଚ୍ଚ ଅଧିକାରୀ ଗୁରୁତ୍ବ ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ମା’ ସେବତୀ ସାହୁ। ଗତକାଲି ପୁଅଙ୍କୁ ଦିଆଯାଇଥିବା ନିର୍ଯାତନାର ତଦନ୍ତ ଦାବି କରି ରାଉରକେଲା ଏସ୍ପି କାର୍ଯ୍ୟାଳୟକୁ ଆସିଥିଲେ ମା’ ସେବତୀ। ରବିବାର କାର୍ଯ୍ୟାଳୟ ବନ୍ଦ ଥିବାରୁ ଲିଖିତ ଅଭିଯୋଗକୁ ଅଭିଯୋଗ ବାକ୍ସରେ ପକାଇ ରାଉରକେଲା ସରକାରୀ ଡାକ୍ତରଖାନାକୁ ଫେରି ଯାଇଥିଲେ।
ଆଜି ସେ ସମ୍ପର୍କୀୟ ସହ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏସ୍ପି କାର୍ଯ୍ୟାଳୟ ନଥିବାରୁ ଦାୟିତ୍ବରେ ଥିବା ଅନ୍ୟ ପୁଲିସ ଅଧିକାରୀଙ୍କୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଥାନା ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ଘଟଣାକୁ ଇତି ମଧ୍ୟରେ ତିନି ଦିନ ବିତିଯାଇଥିଲେ ମଧ୍ୟ ଥାନା ଅଧିକାରୀଙ୍କୁ ପଚରାଉଚୁରା କରାଯାଇ ନାହିଁ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୁଲିସ ଅଧିକାରୀଙ୍କ ଦାୟିତ୍ବ ଦିଆଯାଇ ନଥିବା ଜଣାପଡିଛି।
ସେପଟେ ଗୁରୁତର ସିକିଲସେଲ୍ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟଅବସ୍ଥା ଧୀରେ ଧୀରେ ସୁଧୁରୁଥିବା ମା’ ସେବତୀ କହିଛନ୍ତି। ଅନ୍ୟପଟେ ପୁଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ କରିବେ ବୋଲି ମା’ ସେବତୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏକ ଚୋରି ମାମଲା ସନ୍ଦେହରେ ସିକିଲସେଲ୍ ରୋଗୀ ଚିନ୍ମୟ ସାହୁଙ୍କୁ ପୁଲିସ ଥାନାକୁ ଡାକି ମାଡ଼ ମାରିଥିବା ଗୁରୁତର ଅଭିଯୋଗ ହୋଇଥିଲା। ତା’ ପୁଣି ୫ କି ୧୦ ଲାଠି ନୁହେଁ, ୨୦ରୁ ୩୦ ଲାଠିର ନିସ୍ତୁକ ପ୍ରହାର! ଲାଠି ପ୍ରହାର ପରେ ଯୁବକଙ୍କୁ ରାତି ପ୍ରାୟ ୧୦ଟାରେ ଧମକ ଚମକ ଦେଇ ଥାନାକୁ ବିଦା କରି ଦିଆ ଯାଇଥିଲା। ମାଡ଼ଖାଇ ପରେ ସିକିଲସେଲ୍ ରୋଗରେ ଆକ୍ରାନ୍ତ ଏହି ଅସୁସ୍ଥ ଯୁବକଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଯାଇଥିଲା।
ତାଙ୍କ ପଛପାର୍ଶ୍ବ ଦୁଇ ଜଙ୍ଘକୁ ଲାଠିରେ ନିସ୍ତୁକ ମାଡ଼ ମରାଯାଇଥିବାରୁ ଗୁରୁତର ଅବସ୍ଥାର ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ପୁଲିସ ଆତଙ୍କର ଶିକାର ହୋଇଥିବା ଏହି ସିକିଲସେଲ୍ ରୋଗୀଙ୍କ ମା’ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଏ ସଂକ୍ରାନ୍ତରେ ସେତେବେଳେ ବଣାଇ ଅତିରିକ୍ତ ଏସ୍ପି ଏସ୍ଏମ୍ ରେହମାନଙ୍କୁ ପଚାରିବାରେ ସେ କୖହିଥିଲେ, ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ସେ ଅବଗତ ନାହାନ୍ତି। ଥାନାରେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତଦନ୍ତ କରାଯିବ ବୋଲି ସେ କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇଥିବାରୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/14-14.jpg)