ପିପିଲି: ପିପିଲି ଥାନା ହାଜତରେ ଜଣେ ନାବାଳକକୁ ଥାର୍ଡ ଡିଗ୍ରି ହେବା ପ୍ରସଙ୍ଗରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତ ବୟସକୁ ନଖୋଜି ନାବାଳକକୁ ପୁଲିସ ସାବାଳକ ଦର୍ଶାଇବା ଘଟଣାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏକ ନିନ୍ଦନୀୟ ଘଟଣା ବୋଲି କହିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ନିୟମ ଓ ଗାଇଡଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଏସ୍‌ପିଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

Advertisment

ଅନ୍ୟପକ୍ଷରେ, ପୁଲିସର ଏହି ବର୍ବରୋଚିତ କାର୍ଯ୍ୟକୁ ଅମାନବୀୟ ବୋଲି କହିବା ସହ ଦଳିତ ନାବାଳକକୁ ଜେଲରୁ ମୁକ୍ତ କରିବା ଓ ସଂପୃକ୍ତ ପୋଲିସ ଅଫିସରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଦଳିତ ମହାସଂଘ ଦାବି କରିଛି। ଅନ୍ୟଥା ଆନ୍ଦୋଳନାତ୍ମକ ରାସ୍ତା ଅବଲମ୍ବନ କରିବ ବୋଲି ମହାସଂଘର ରାଜ୍ୟ ସଚିବ ବିଜୟ ସେଠୀ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ପୌରାଂଚଳର ଏହି ଦଳିତ ପରିବାରକୁ ମହାସଂଘ ସଦସ୍ୟମାନେ ସୋମବାର ଭେଟିଥିବାବେଳେ ଥାନା ହାଜତରେ ଉକ୍ତ ନାବାଳକକୁ ନିର୍ଘାତ ମାଡ଼ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଗତ ୧୩ ତାରିଖରେ ଏକ ଆକ୍ରମଣ ମାମଲାରେ ଏହି ନାବାଳକଙ୍କୁ ମିଶାଇ ମୋଟ ୬ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ନାବାଳକକୁ ବାଦ୍‌ ଦେଲେ ଅନ୍ୟ ୫ଜଣ ଅଭିଯୁକ୍ତ ପିପିଲି ପୋଲିସର ଥାର୍ଡ ଡିଗ୍ରି ଯୋଗୁଁ ଅତି ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନର ସର୍ଜରି ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି। ସଂପ୍ରତି ରାଜ୍ୟରେ ହାଜତ ନିର୍ଯାତନାକୁ ନେଇ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।