ଭୁବନେଶ୍ବର : ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ତା’ର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ହୋଇଥାଏ। ଏସବୁର ପ୍ରୟୋଗ ଦ୍ବାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା। ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ରୂପାନ୍ତର ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ସାଧୁତାର ଗୁରୁତ୍ବ ଉପରେ ଆଲୋକପାତ କରିଛନ୍ତି।
ଶନିବାର ଦିନ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଓ ବରଗଡ଼ର ୬୨ଟି ଲେଖାଏ, ମୟୁରଭଞ୍ଜର ୧୦୦ଟି, ବୌଦ୍ଧର ୨୩ଟି ଓ ନବରଙ୍ଗପୁରର ୭୬ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ପଞ୍ଚମ ଦିନରେ ସମୁଦାୟ ୧୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା। ୩ଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି। କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣୁଛନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ। ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରିର ବିକାଶ କରାଯାଇଛି।
ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍ ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍ ସମୟରେ ଶେଷ କରାଯାଇଛି। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍ସପରେନ୍ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ଼ ଶକ୍ତି।
ଛାତ୍ରଛାତ୍ରୀଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା। ୫-ଟି ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବ। ଏହାସହ ଓଡ଼ିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ନବରଂଗପୁରରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ନିନ ନିଜର ମତାମତ ରଖିଥିଲେ। ସ୍କୁଲ ରୂପାନ୍ତର ଦ୍ବାରା ଶିକ୍ଷା ବାତାବରଣରେ ଉନ୍ନତି ଆସିବା ସହିତ ପିଲାମାନଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡ଼ି ପାରିଛି। ଏହାଦ୍ବାରା ସେମାନେ ଆଧୁନିକ ଯୁଗର ଟେକ୍ନୋଲୋଜି ସହିତ ନିଜକୁ ସାମିଲ କରିବାରେ ଅଧିକ ସହଜ ହୋଇପାରିବ। ସେମାନଙ୍କୁ ଭବିଷ୍ୟତରେ ସବୁ କ୍ଷେତ୍ରରେ ସଫଳ କରିବା ଦିଗରେ ସାହାଯ୍ୟ କରିବ ବୋଲି ସେମାନେ ମତ ଦେଇଥିଲେ।
କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ ପାଣ୍ଡିଆନ କହିଥିଲେ ଯେ ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତ୍ତି ବା ଆସେଟ୍ ସୃଷ୍ଟି ହୋଇଛି, ସେସବୁ ଓଡ଼ିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି। ମୁଖ୍ୟମନ୍ତ୍ରୀ ସ୍କୁଲର ଆସେଟ୍ ଗୁଡ଼ିକର ରକ୍ଷଣା ବେକ୍ଷଣ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ତେଣୁ ସ୍କୁଲର ସମ୍ପତ୍ତିକୁ ନିଜର ସଂପତ୍ତି ଭଳି ରକ୍ଷଣାବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଭରସା ରହିଛି। ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସ୍କୁଲ ରୂପାନ୍ତରଣରେ ସାମିଲ ହେବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ବଥୀ ଏସ୍ ସ୍ବାଗତ ଭାଷଣ ଦେଇଥିଲେ। ଓସେପାର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ଧନ୍ୟବାଦ ଦେଇଥିଲେ। ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।