ରାଉରକେଲା: ବସ୍ତିବାସିନ୍ଦାଙ୍କ ବିରୋଧ ‌ଯୋଗୁ ଅଧାରେ ଅଟକିଛି ତୃତୀୟ ରେଳଲାଇନ

ରାଉରକେଲା : ବସ୍ତିବାସିନ୍ଦାଙ୍କ ବିରୋଧ ‌ଯୋଗୁ ଅଧାରେ ଅଟକିଛି ତୃତୀୟ ରେଳ ଲାଇନ୍‌ ପ୍ରକଳ୍ପ। ଅନେକଥର ଜିଲ୍ଲା ପ୍ରଶାସନ ଓ ରେଳବାଇ ଅଧିକାରୀଙ୍କ ମଧ୍ୟରେ ‌ଆଲୋଚନା ହୋଇଛି। ଚିହ୍ନଟ ବସ୍ତିଗୁଡିକୁ ଉଚ୍ଛେଦ ପାଇଁ ଅନେକ ଥର ପ୍ରୟାସ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଚିହ୍ନଟ ବସ୍ତିଗୁଡ଼ିକୁ ଉଚ୍ଛେଦ କରାଯାଇପାରିନି। କେବଳ ମାଲଗୋଦାମ ଗେଟ୍‌ ନିକଟରେ ଗୋଟିଏ ମାତ୍ର ବସ୍ତିକୁ ଉଚ୍ଛେଦ କରିବାରେ ଜିଲ୍ଲା ପ୍ରଶାସନ ସକ୍ଷମ ହୋଇଛି। ଆଜି ବନ୍ଧମୁଣ୍ଡାର ଉତ୍ତମ ଓ ନେପାଳୀବସ୍ତିବାସିନ୍ଦା ତୃତୀୟ ରେଳଲାଇନ୍‌ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ଶତାଧିକ ବସ୍ତିବାସିନ୍ଦା ଏଆର୍‌ଏମ୍‌ ଅଫିସ୍‌ ଘେରାଉ କରିଥିଲେ। ପ୍ରାୟ ୪ ଶହରୁ ଉର୍ଧ୍ଵ ଆଦିବାସୀ ବନ୍ଧମୁଣ୍ଡା ଉତ୍ତମବସ୍ତିରୁ ରାଲିରେ ବାହାରି ବନ୍ଧମୁଣ୍ଡା ରେଳବାଇ ଏଆର୍‌ଏମ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତମବସ୍ତି ଓ ନେପାଳୀବସ୍ତିରେ ରେଳବାଇ ଦ୍ୱାରା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବା ସହ ଏହି ଜମି ପାଇଁ ଗ୍ରାମବାସୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି ବୋଲି କହିଥିଲେ।

କେବଳ ସେତିକି ନୁହେଁ, ରେଳବାଇ ଦ୍ୱାରା ନେପାଳୀବସ୍ତିରେ କରାଯାଇଥିବା ନିର୍ମାଣ କାର୍ଯ୍ୟ ଯୋଗୁ ବହୁ ଗ୍ରାମବାସୀଙ୍କ ଫସଲ ମଧ୍ୟ ନଷ୍ଟହୋଇଛି ବୋଲି ଅଭିଯୋଗ କରିଥିଲେ। ଏଆର୍‌ଏମ୍‌ ପାଞ୍ଚଦିନ ମଧ୍ୟରେ ସମ୍ପୃକ୍ତ ଜମିର କାଗଜପତ୍ର ଦେଖାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଯଦି ରେଳବାଇ ଦ୍ୱାରା ନିର୍ମାଣସ୍ଥାନର ଉପଯୁକ୍ତ କାଗଜପତ୍ର ଦେଖାଇ ଦିଆଯିବ ତେବେ ଗ୍ରାମବାସୀ ଏହି ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବେନାହିଁ। କିନ୍ତୁ ଏହି ପାଞ୍ଚଦିନ ମଧ୍ୟରେ ରେଳବାଇ ଦ୍ୱାରା ପରିଚାଳିତ ନିର୍ମାଣ କାର୍ଯ୍ୟ ଉପରେ କୋଣସି ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି ଏଆର୍‌ଏମ୍‌ କହିଛନ୍ତି।

ବୈଠକରେ ବିଶ୍ରା ଅତିରିକ୍ତ ତହସିଲଦାର ପି ହୋରୋ, ଗ୍ରାମବାସୀଙ୍କ ମଧ୍ୟରୁ ବିମଲ ବାନାର୍ଜୀ, ମହେଶ୍ୱର ତନ୍ତୀ, ସୁଖଦେବ ମୁଣ୍ଡାରି, କେସି ମହାତୋ, ବାଁଦେ ଓରାମ, ବନ୍ଧମୁଣ୍ଡା ରେଲବାଇ ଏଆର୍‌ଏମ୍‌ ଆର୍‌.କେ ମହାନ୍ତି, ରାଉରକେଲା ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇ, ବନ୍ଧମୁଣ୍ଡା ଇନ୍ସପେକ୍ଟର ବୁଲୁ ସ୍ବାଇଁ, ବନ୍ଧମୁଣ୍ଡା ଆର୍‌ପିଏଫ୍‌ ଇନ୍ସପେକ୍ଟର ଏସ୍‌.ଏନ୍ ଶର୍ମା, ବନ୍ଧମୁଣ୍ଡା ରେଲବାଇ ଏଡିଇଏନ୍‌ ପି ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ବନ୍ଧମୁଣ୍ଡା କୁକୁଡାଗେଟ୍‌ ପର୍ଯ୍ୟନ୍ତ ତୃତୀୟ ‌ରେଳଲାଇନ୍‌ କାମ ଶେଷ ହୋଇଛି। କୁକୁଡାଗେଟ୍‌ ଠାରୁ ପାନପୋଷ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ରାଉର‌କେଲା ଷ୍ଟେସନରୁ ପାନପୋଷ ପର୍ଯ୍ୟନ୍ତ ୯ଟି ବସ୍ତିର ପାଖାପାଖି ୧୦୦୦ରୁ ଅଧିକ ପରିବାରକୁ ଉଚ୍ଛେଦ ପାଇଁ ରେଳବାଇ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ବିରୋଧ ‌ଯୋଗୁ କାମ ଆଗେଇ ପାରୁନି।

ସମ୍ବନ୍ଧିତ ଖବର