ବିଧାନସଭା ଅଧିବେଶନ ପାଇଁ ତିନି ଦଳ ପ୍ରସ୍ତୁତ କଲେ ରଣନୀତି

ଭୁବନେଶ୍ବର : ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଶନିବାର ଦିନ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ଗତକାଲି ରଥଯାତ୍ରା ଯୋଗୁ ବିଧାୟକ ଦଳ ବୈଠକ ହୋଇପାରି ନ ଥିଲା ବେଳେ ଆଜି ଏହି ବୈଠକ ସବୁ ବସିଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ସଜବାଜ ହୋଇଥିଲା ବେଳେ ମୁକାବିଲା ପାଇଁ ଶାସକ ଦଳ ବି ନିଜକୁ ପ୍ରସ୍ତୁତ ରଖିଛି।

ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଥିବାରୁ ତାହା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତାଙ୍କୁ ସମସ୍ତେ ସମର୍ଥନ ଦେବାକୁ ସେ ନିବେଦନ କରିଥିଲେ। ଦୁବାଇରେ ନିବେଶକ ସମ୍ମିଳନୀର ସଫଳତା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସମ୍ୟକ ସୂଚନା ଦେଇଥିଲେ। ଏଥି ପାଇଁ ବିଧାୟକମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ବିରୋଧୀ ଦଳର ସଭ୍ୟମାନେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଯେଉଁ ପ୍ରସଙ୍ଗ ଉଠାଇବେ, ତାହାକୁ ସାମ୍ନା କରି ଉତ୍ତର ରଖିବାକୁ ମନ୍ତ୍ରୀମାନଙ୍କୁ ଶ୍ରୀ ପଟ୍ଟନାୟକ କହିଥିଲେ। କୋଇଲା ରୟାଲିଟି, ଜିଏସ୍‌ଟି ପରି ପ୍ରସଙ୍ଗ ଉଠାଇ ବିଜେପିକୁ ଅଡ଼ୁଆରେ ପକାଇବାକୁ ଶାସକ ଦଳ ଯୋଜନା କରିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯାଇଥିଲା। ବୈଠକରେ ଦୁଇଟି ପ୍ରସ୍ତାବ ଆଗତ କରାଯାଇଥିଲା। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଡି ସମନକୁ ନିନ୍ଦା କରାଯାଇଥିଲା। ଏହା ସହ ‘ଅଗ୍ନିପଥ’ ଯୋଜନା ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ରାଜ୍ୟରେ ବିଜୁଳି ସମସ୍ୟା ଗୁରୁତର ହେଉଥିବାରୁ ସେହି ପ୍ରସଙ୍ଗକୁ କଂଗ୍ରେସ ଗୃହରେ ଉଠାଇବାକୁ ନିଷ୍ପତ୍ତି ହୋଇଥିଲା। ଏହା ସହ ଚାଷୀଙ୍କ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ଓ ଦୁର୍ନୀତି ପ୍ରସଙ୍ଗକୁ ମଧ୍ୟ ଦଳ ଜୋର୍‌ଦାର କରିବ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସି ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଏସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଚଳିତ ଅଧିବେଶନରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରାଯିବ। ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ। ଚାଷ, ବିଜୁଳି ସମସ୍ୟା, ଜଳସେଚନ, ହାତୀ ମୃତ୍ୟୁ, ବେକାରୀ ଓ ବେରୋଜଗାର, ଦାଦନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା, ଶିଶୁ ମୃତ୍ୟୁହାର ରୋକିବା ସମେତ ସମସ୍ତ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପୁଞ୍ଜି ଯୋଗାଡ଼ କରିଛନ୍ତି ବୋଲି ଓଡ଼ିଶାବାସୀଙ୍କୁ ଯେଉଁ କାହାଣୀ ଶୁଣାଇଛନ୍ତି ତାହାକୁ ନେଇ ବିଜେପି ବିଧାନସଭାରେ ପ୍ରଶ୍ନ ଉଠାଇବ।

ସମ୍ବନ୍ଧିତ ଖବର