ଭୁବନେଶ୍ବର: ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିବ। ଫଳରେ ବିଭିନ୍ନ ସ୍ଥାନରେ ପାରଦ ସ୍ତର ନିମ୍ନଗାମୀ ହେବ। ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ରାଜ୍ୟର ୧୯ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, କୋରାପୁଟ, ରାୟଗଡ଼ା, ମାଲକାନଗିରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। କିଛି ସ୍ଥାନରେ ପବନର ବେଗ ୪୦ରୁ ୫୦ କିମି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ଏହି ସୂଚନା ଆଧାରରେ ସବୁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୬, ୭ ଓ ୮ ତାରିଖ ଦିନ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୬ ତାରିଖ ଦିନ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳରେ ୪୦ରୁ ୫୦ କିମି ବେଗରେ ପବନ ବହିବ ଏବଂ ଝଡ଼ବର୍ଷା ହେବ। ସେହିପରି ୭ ତାରିଖ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ୮ ତାରିଖରେ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିବ। ତେଣୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏସ୍ଆର୍ସିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ଜାରି ରହିବ କାଳବୈଶାଖୀ
/sambad/media/post_attachments/wp-content/uploads/2021/05/rain-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)