ଭୁବନେଶ୍ବର : ଦେଶରେ ଗତ ୪ ବର୍ଷ ମଧ୍ୟରେ ମହାବଳ ବାଘଙ୍କ ସଂଖ୍ୟା ୨୯୬୭ରୁ ବୃଦ୍ଧି ପାଇ ୩୧୬୭ରେ ପହଞ୍ଚିଛି। ଏହି ପରିସଂଖ୍ୟାନରେ ବିଭିନ୍ନ ମହଲ ଖୁସି, ଆଶ୍ବସ୍ତ। ହେଲେ ଆଉ ଏକ ପରିସଂଖ୍ୟାନ ସାମ୍ନାକୁ ଆସିଲାଣି, ଯାହା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ପ୍ରତି ମାସରେ ୧୫ଟି ବାଘଙ୍କର ମୃତ୍ୟୁ ହେଉଛି। ୨୦୨୩ର ପ୍ରଥମ ତିନି ମାସରେ ଦେଶରେ ୫୦ଟି ବାଘଙ୍କ ଜୀବନ ଗଲାଣି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକରେ ମହାବଳଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା ଏହି ମହଲରୁ ପ୍ରକାଶ। କେବଳ ସେତିକି ନୁହେଁ, ଯେଉଁ କଥାଟି ବିଶେଷଜ୍ଞଙ୍କୁ ଅଧିକ ବ୍ୟଧିତ କରୁଛି ତାହା ହେଲା- ସାତକୋଶିଆ ସମେତ ଦେଶର ୪ଟି ବ୍ୟାଘ୍ର ଅଭୟାରଣ୍ୟ ଏବେ ମହାବଳ ଶୂନ୍ୟ ହୋଇଯାଇଛି। ଅନ୍ୟ ତିନିଟି ହେଲେ ତେଲେଙ୍ଗାନାର କୱାଲ ବ୍ୟାଘ୍ର ଅଭୟାରଣ୍ୟ, ମହାରାଷ୍ଟ୍ରର ସାୟଦ୍ରି ଅଭୟାରଣ୍ୟ ଓ ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ବର ନ୍ୟାସନାଲ ପାର୍କ। ଏଠାରେ ମଧ୍ୟ ମହାବଳ ବିଲୁପ୍ତ ହୋଇଯାଇଛନ୍ତି।
ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ଓଡ଼ିଶାର କେନ୍ଦୁଝର, ଅନୁଗୁଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ମହାବଳ ଚଳପ୍ରଚଳ କରୁଥିବାର ନଜର ଆସିଛି। ଅନ୍ୟପକ୍ଷରେ ସାତକୋଶିଆ ବାଘ ଶୂନ୍ୟ ହୋଇଥିଲେ ମଧ୍ୟ ମ୍ୟାନେଜ୍ମେଣ୍ଟ
ଇଫେକ୍ଟିଭ୍ନେସ୍ ଏଭାଲ୍ୟୁସନ(ଏମ୍ଇଇ) କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ଶିମିଳିପାଳର ମଧ୍ୟ ଏ କ୍ଷେତ୍ରରେ ପ୍ରଦର୍ଶନ ପୂର୍ବାପେକ୍ଷା ଉନ୍ନତ ରହିଛି।
୩୩ଟି ମାନଦଣ୍ଡକୁ ନେଇ ପ୍ରତି ୪ବର୍ଷରେ କରାଯାଉଥିବା ଏହି ରାଙ୍କିଙ୍ଗ୍ରେ ସାତକୋଶିଆ ଅଭୟାରଣ୍ୟ ଲଗାତାର ଭାବେ ଉପରକୁ ଉଠିବା ସହ ବାଘଙ୍କ ବାସ ଉପଯୋଗୀ ସ୍ଥାନରେ ପରିଣତ ହୋଇଛି। ୨୦୧୦ରେ ‘ଦୁର୍ବଳ’ ବର୍ଗରେ ଥିବା ସାତକୋଶିଆ ୨୦୧୪ରେ ‘ଫେୟାର’ ବର୍ଗରେ ସ୍ଥାନ ପାଇଥିଲା। ୨୦୧୮ରେ ୬୭.୬୬% ସହ ‘ଭଲ’ ବର୍ଗ ଏବଂ ୨୦୨୨ରେ ୭୫% ସହ ‘ବହୁତ ଭଲ’ ବର୍ଗରେ ରହିଛି। ବ୍ୟାଘ୍ର ଅଭୟାରଣ୍ୟ କର୍ମଚାରୀଙ୍କ କଠିନ ପରିଶ୍ରମ ଦ୍ବାରା ଏହା ସମ୍ଭବ ହୋଇଥିବା ନେଇ ବନ ବିଭାଗ ଦାବି କରିଛି। ‘ବହୁତ ଭଲ’ ବର୍ଗରେ ଦେଶର ୨୦ଟି ଅଭୟାରଣ୍ୟ ରହିଥିବା ବେଳେ ସେଥିରୁ ସାତକୋଶିଆ ଶେଷ ସ୍ଥାନରେ ରହିଛି। ଅର୍ଥାତ୍ ଦେଶର ୫୩ ଅଭୟାରଣ୍ୟ ମଧ୍ୟରୁ ସାତକୋଶିଆ ୩୨ତମ ସ୍ଥାନରେ ରହିଛି।
ସେହିପରି ୨୦୧୦ରେ ୪୭.୫୦% ସହ ‘ଫେୟାର’ ବର୍ଗରେ ଥିବା ଶିମିଳିପାଳ ୨୦୧୪ରେ ୫୮.୦୬% ସହ ‘ଫେୟାର’, ୨୦୧୮ରେ ୭୨.୬୬% ସହ ‘ଭଲ’ ବର୍ଗରେ ରହିଥିଲା। ୨୦୨୨ରେ ୯୦.୧୫% ସହ ‘ଉତ୍କୃଷ୍ଟ’ ବର୍ଗରେ ସ୍ଥାନ ପାଇଛି।
ବାଘ ବଂଶ ବୃଦ୍ଧି ଲାଗି ଉକ୍ତ ୪ଟି ଅଭୟାରଣ୍ୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି।
ବିଶେଷଜ୍ଞ କହୁଛନ୍ତି, ଓଡ଼ିଶା ସମେତ ଝାଡ଼ଖଣ୍ଡ, ତେଲେଙ୍ଗାନା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ମହାବଳଙ୍କ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାର ସମୟ ଆସିଛି। ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଶିମିଳିପାଳରେ ବିରଳ ପ୍ରଜାତିର ମହାବଳ ଚିହ୍ନଟ ହୋଇଛନ୍ତି। ତେଣୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଉପରେ କାର୍ଯ୍ୟ କରିବାକୁ ପଡ଼ିବ। ମଣିଷ-ବନ୍ୟପ୍ରାଣୀ ଲଢ଼େଇ, ବେଆଇନ ଶିକାର, ଜଙ୍ଗଲ ନିଆଁ, ଲୋକଙ୍କ ଅବାଧ ପ୍ରବେଶ, ଖଣିଜ ପଦାର୍ଥ ଉତ୍ତୋଳନ ପରି କାର୍ଯ୍ୟକଳାପ ଯୋଗୁଁ ମହାବଳଙ୍କ ଲାଗି ବିପଦ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ଆକ୍ସନ ପ୍ଲାନ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।
ଏଥର ବାଘ ଗଣନାରେ ଉଭୟ ପାଦ ଚିହ୍ନ ଓ କ୍ୟାମେରା ମଡେଲ୍ ବ୍ୟବହାର ହୋଇଥିଲା। ଦେଶରେ ୬ ଲକ୍ଷ ୪୧ ହଜାର ୪୪୯ ପାଦଚିହ୍ନ ରେକର୍ଡ କରାଯାଇଥିଲା। ମୋଟ ୩୦୮୦ ବାଘଙ୍କ ଫଟୋ କ୍ୟାମେରାରେ କଏଦ ହୋଇଛି। ଯେଉଁମାନଙ୍କ ବୟସ ଏକ ବର୍ଷରୁ ଅଧିକ ହେବ। ୨୦୧୮ରେ ୨୪୬୧ ବାଘଙ୍କ ଫଟୋ କ୍ୟାମେରା ଲେନ୍ସରେ ଆସିଥିଲା, ଯାହାକି ଏଥର ବହୁ ଅଧିକ। ୨୦୧୮ରେ ୭୬ହଜାର ୬୫୧ ଫଟୋ ଉତ୍ତୋଳନ ହୋଇଥିବା ବେଳେ ୨୦୨୨ରେ ସଂଖ୍ୟା ୯୭ହଜାର ୩୯୯ରେ ପହଞ୍ଚିଛି। ଦେଶର ମୋଟ ୪ ଲକ୍ଷ ବର୍ଗ କିମି ଅଞ୍ଚଳରେ ବାଘ ରହୁଛନ୍ତି। ସେଥିରୁ ଏକ ତୃତୀୟାଂଶ ଅଞ୍ଚଳ ବାଘଙ୍କ ପାଇଁ ଉପଯୁକ୍ତ ବା ନିରାପଦ। ବାକି ଅଞ୍ଚଳଗୁଡ଼ିକ ସେତେଟା ସୁରକ୍ଷିତ ନୁହେଁ। ତେଣୁ ବ୍ୟାଘ୍ର ସଂରକ୍ଷଣ ଲାଗି ସେମାନଙ୍କ ବାସସ୍ଥଳୀକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ଲାଗି ୨୦୧୮ରେ ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମଧ୍ୟପ୍ରଦେଶ କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ଗୋଟିଏ ଲେଖାଏ ବାଘ ଓ ବାଘୁଣୀ ସାତକୋଶିଆକୁ ଅଣାଯାଇଥିଲା। ମାତ୍ର ପ୍ରାୟ ୬ କୋଟି ଟଙ୍କା ବ୍ୟୟର ଏହି ପ୍ରକଳ୍ପ ଆଗକୁ ବଢ଼ିପାରି ନ ଥିଲା। ବରଂ ବାଘ ‘ମହାବଳ’ ଲୋକଙ୍କ ଆକ୍ରୋଶର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା ଏବଂ ବାଘୁଣୀ ‘ସୁନ୍ଦରୀ’ ବର୍ଷାଧିକ କାଳ ବନ୍ଦୀ ଜୀବନ କାଟିବା ପରେ ପୁଣି ମଧ୍ୟପ୍ରଦେଶ ଫେରିଥିଲା।