ସାତକୋଶିଆରୁ ଲୋପ ପାଇବ ବାଘବଂଶ!

ବୁଢ଼ୀ ବାଘୁଣୀ ଚିକିତ୍ସା ହେଉନି, ‘ସୁନ୍ଦରୀ’ ଫେରିଯିବ

ବନ୍ତଳା: ଦିନଥିଲା ମହାବଳର ହେଣ୍ଟାଳରେ ପ୍ରକମ୍ପିତ ହେଉଥିଲା ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ। ଜଙ୍ଗଲରେ ଗାଁ ଥିଲେ ବି ବାଘ ସଂଖ୍ୟା ବଢ଼ିଥିଲା। ବାଘଙ୍କ ପାଇଁ ଏ ପରିବେଶ ବେଶ୍ ଅନୁକୂଳ। ସରକାରଙ୍କ ଉଦ୍ୟମରେ ଏହି ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇଲା। ଏବେ ପରିସ୍ଥିତି ଏପରି ହୋଇଛି, ଏହି ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ବନ ବିଭାଗ ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ୨୦୦୭ ମସିହା ଡିସେମ୍ବର ୩୧ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇଛି। ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ବାଘ ଥିଲେ। ଅଭୟାରଣ୍ୟବାସୀ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକରି ଜୀବିକା ନିର୍ବାହ କରୁଥିଲେ। ୨୦୦୭ ମସିହା ପରଠାରୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ କଟକଣା ଲାଗୁହେଲା। ପୂର୍ବରୁ ଲୋକଙ୍କ ଅବାଧ ଚଳାଚଳ ସତ୍ତ୍ବେ ବାଘବଂଶ ବୃଦ୍ଧି ପାଇଥିଲା। କିନ୍ତୁ କଟକଣା ଲାଗୁହେବା ପରେ ବାଘ ଉପରକୁ ବିପତ୍ତି ଆସିଲା। କ୍ରମେ ବାଘ ସଂଖ୍ୟା କମିବାରେ ଲାଗିଲା। ବିଭିନ୍ନ ସମୟରେ ବାଘ ଶିକାର କରାଗଲା। ୧୯୯୮ ମସିହାରେ ବଲଙ୍ଗ ଗାଁ ନିକଟରେ,୨୦୦୩ ମସିହାରେ ବୃତ୍ତିଠାରେ, ୨୦୦୪ ମସିହାରେ ଟାକରସିଙ୍ଗାରେ, ୨୦୦୬ ମସିହାରେ ପୁରୁଣାକୋଟରେ ଗୋଟିଏ ଲେଖାଏଁ ବାଘ ଶିକାରୀ ମାରିଦେଇଥିଲେ। ୨୦୧୧/୧୨ମସିହାରେ ସାତକୋଶିଆରୁ ଏକ ବାଘ ନନ୍ଦନକାନନ ପଳାଇ ଯାଇଥିଲା। ଗୋଟିଏ ବୁଢ଼ୀ ବାଘୁଣୀ ଏବେ ସାତକୋଶିଆରେ ଅଛି। ତାର ଜୀବନ ପ୍ରତି ଏବେ ବି ବିପଦ ରହିଛି। ବୁଢ଼ୀ ବାଘୁଣୀ ଲାଞ୍ଜରେ ଘାଆ ହୋଇଛି। ବନ ବିଭାଗ ତାର ଚିକିତ୍ସା କରିବାକୁ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହିଁ। ବୁଢ଼ୀ ବାଘୁଣୀ ଚିକିତ୍ସା ସଂପର୍କରେ ସାତକୋଶିଆ ଆର୍‌ସିସିଏଫ୍‌ ପ୍ରଦୀପରାଜ କରାଟେଙ୍କୁ ପଚାରିବାରୁ ସେ କହିଛନ୍ତି ‘ଏହାକୁ ଧରିବା ପାଇଁ ଏକ ଯନ୍ତା ସ୍ଥାପନ କରାଯିବା ସହ ଏଥିରେ ୨ଟି କ୍ୟାମେରା ଖଞ୍ଜାଯାଇଛି। ବାଘୁଣୀ ଧରାପଡ଼ୁନାହିଁ। ‘

ଅନ୍ୟପକ୍ଷରେ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ‘ସୁନ୍ଦରୀ ଓ ବାଘ ‘ମହାବୀର’କୁ ସାତକୋଶିଆ ଅଣାଯାଇଥିଲା। ମହାବୀର ବେକରେ ଘାଆ ହେବାରୁ ତାହା ମରିଯାଇଛି। ସୁନ୍ଦରୀ ଉପଦ୍ରବ କରିବାରୁ ତାକୁ ଏନ୍‌କ୍ଲୋଜର୍‌ରେ ରଖାଯାଇଛି। ତାହାକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବ ବୋଲି ବିଭାଗର ନିଷ୍ପତ୍ତି ହୋଇଛି। ବନ୍ୟଜନ୍ତୁଙ୍କ ଗତିବିଧି ଜାଣିବା ପାଇଁ ବନ ବିଭାଗ ଅଭୟାରଣ୍ୟରେ ୨୦୧୪ ମସିହାରୁ କ୍ୟାମେରା ଖଞ୍ଜିଛି। ଏହାସତ୍ତ୍ବେ ବାଘ ସୁରକ୍ଷା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ସ୍ଥାନୀୟ ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ଗାଁ ମୁଖିଆଙ୍କୁ ନେଇ ବ୍ୟାଘ୍ର ସଂରକ୍ଷଣ ପାଇଁ ଉପଦେଷ୍ଟା କମିଟି ଗଠନ କରାଯିବା ଆବଶ୍ୟକ ବୋଲି ପରିବେଶବିତ୍‌ ମତ ଦେଇଛନ୍ତି। ଏ ପର୍ଯ୍ୟନ୍ତ ସରକାର ଏହି କମିଟି ଗଠନ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର