ଶିମିଳିପାଳକୁ ୪ ବର୍ଷ ପରେ ଫେରିଛି ବାଘ ଆତଙ୍କ

ରୁଦ୍ରରଂଜନ ଶେଜପଡ଼ା

ବାଲେଶ୍ବର: ୨୦୧୭ ମସିହା ମେ ୨୬ ତାରିଖ। ‌ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ବନାଞ୍ଚଳ ଅନ୍ତର୍ଗତ ହଳଦୀ ଗାଁର ହୀରାଲାଲ ପାଣ୍ଡେଙ୍କୁ ୪ ବର୍ଷର ପୁଅ ଛଗନଲାଲଙ୍କୁ ବାଘ ଖାଇଗଲା। ଯାହା ସାରାରାଜ୍ୟରେ ଚହଳ ପକାଇଥିଲା। ତେ‌ବେ ଏହି ଘଟଣାର କିଛିଦିନ‌ ପରେ; ଅର୍ଥାତ୍‌ ଜୁନ୍‌ ୨୧ ତାରିଖ ଦିନ ମୟୂରଭଂଜ ଜିଲ୍ଲା ଶିମିଳିପାଳ ବନାଞ୍ଚଳ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ୍‌ ସାତକୋଶିଆ ରେଂଜ ଅଞ୍ଚଳରେ ଗାଈ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିବା ଧାତିକିଡ଼ିହା ଗାଁ ଚିଲିରିପୋଷି ସାହିର କୁନ୍ତଳା ନାଏକ (୫୫) ଓ ଗୁଞ୍ଜୁରୀ ଶଙ୍ଖିଆଳ(୬୦) ବାଘ ଆକ୍ରମଣର ଶିକାର ହେଲେ। ‌ଉକ୍ତଦିନ ପାଲବଣିର ବାୟା ମୁର୍ମୁ (୬୫) ଓ ସୋମବାରୀ ନାଇକ (୫୦)ଙ୍କୁ ମଧ୍ୟ ବାଘ ଆକ୍ରମଣ କରିଥିଲା। ଚିଲିରିପୋଷି ଗାଁର ହଗୁରୁ ମହାନ୍ତ ନିକଟ ଜଙ୍ଗଲରେ ବାଘ ଦେଖିଥିବା କହିଲେ। ଖାଲି ସେତିକି ନୁହେଁ, ବିଭିନ୍ନ ସମୟରେ ସାତକୋଶିଆ ରେଂଜ ଅଞ୍ଚଳରେ ବାଘ ଗୃହପାଳିତ ପଶୁ ଓ ହାତୀଛୁଆଙ୍କୁ ଆକ୍ରମଣ କରିଥିବା ଘଟଣା ସାମ୍ନା ଆସୁଛି। ଫଳରେ, ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଥିଲେ।
ତେବେ ଏସବୁ ଘଟଣାକୁ ବର୍ଷାଧିକ ସମୟ ବିତିଲାଣି। ଶିମିଳିପାଳ ବନାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରୁ ବାଘ ଭୟ ମଧ୍ୟ ଧୀରେ ଧୀରେ ଅପସରି ଯାଇଛି। ହେଲେ ଗତ ସପ୍ତାହକ ମଧ୍ୟରେ ବାଘକୁ ନେଇ ଯେଉଁସବୁ ଘଟଣାମାନ ସାମ୍ନାକୁ ଆସିଛି, ତାକୁ ନେଇ ସାତକୋଶିଆ ରେଂଜ ଅନ୍ତର୍ଗତ ଗୋଡ଼ଭଙ୍ଗା, ସାତକୋଶିଆ, ଚାଉଳଝରି, ଧାତିକିଡ଼ିହା ଓ ବିଶୋଇ ରେଂଜ ଅନ୍ତର୍ଗତ ଏନ୍‌ବି ପୋଖରିଆ, ପନଖି, ମାଖନା, କୁଲଗୀଡ଼ିହି, ଅସନଶିଖର, ମାଣିକପୁର, ପାଉଁଶିଆ, ଗାରଗାଡ଼ି, ଏଦେଲବେଡ଼ା, ବଣପୋଖରିଆ, କାଶୀପେଣ୍ଠ, ବାଛୁରିବନ୍ଧା, ତାରଣା, ରାଜାବସା, ଦୁଧକୁଣ୍ଡି, ଜଡ଼ାଆମ, ଶଙ୍ଖାଭଙ୍ଗା, ଜାରକି, ଭାଦୁଆ, ବେତଝରଣ ଆଦି ଜଙ୍ଗଲ ନିକଟସ୍ଥ ଗାଁର ଲୋକଙ୍କ ମଧ୍ୟରେ ପୁଣିଥରେ ବାଘ ଆତଙ୍କ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର