ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଅଧୀନ ଧରମବନ୍ଧା ଓ ଅମାନାରା ପଞ୍ଚାୟତ ଅଞ୍ଚଳରେ ଗୋଟିଏ ମାସ ହେଲା ଆତଙ୍କ ଖେଳାଇଥିବା ବାଘଟି ରବିବାର ଅସୁସ୍ଥ ହୋଇପଡ଼ିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ଅଂଶୁଘାତ ଯୋଗୁ ବାଘଟି ଅସୁସ୍ଥ ହୋଇଥିବା ଏସିଏଫ୍ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ରବିବାର ଧରମବନ୍ଧା ସେକ୍ସନ ସିଲିଆରିବାହାର ଗାଁର ଏକ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା। ସେଠାରେ ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ୨ଟି ବାଘ ଜଗି ରହିଥିବା ବେଳେ ଗାଈକୁ ଶିକାର କରିଥିଲେ। ଗୋଟିଏ ବାଘ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟଟି ଗାଈକୁ ଖାଇବା ପରେ ଆଉ ସେଠାରୁ ଯାଇପାରି ନଥିଲା। ପରେ ବାଘଟି ଅସୁସ୍ଥ ହେବାସହ ଛଟପଟ ହୋଇଥିଲା।
ଖବର ପାଇ ବନ ବିଭାଗ ଏସିଏଫ୍ ମହମ୍ମଦ ସାଲେହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଚ୍ଚିତାନନ୍ଦ ପଣ୍ଡା, ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ସୁଶୀଳ ତ୍ରିପାଠୀ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ବାଘକୁ ଏକ ଜାଲ ସାହାଯ୍ୟରେ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବାଘର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପିଞ୍ଜରାରେ ଭର୍ତ୍ତି କରି ଏକ ଗାଡ଼ିରେ ନୂଆପଡ଼ା ବନ ବିଭାଗ କାର୍ଯ୍ୟାଳକୁ ଅଣାଯାଇଥିଲା। ବିଭାଗୀୟ କାର୍ଯ୍ୟାଳୟରେ ବାଘକୁ ରଖାଯାଇ ଚିକିତ୍ସା କରାଯାଉଛି।
ଅନ୍ୟପକ୍ଷରେ, ନୂଆପଡ଼ା ଜିଲ୍ଲାରେ ୩ ଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଅଂଶୁଘାତ ଯୋଗୁଁ ବାଘଟି ଅସୁସ୍ଥ ହୋଇପଡ଼ିଥିବା ଏସିଏଫ୍ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/nuapada-t.jpg)