କେନ୍ଦୁଝର : ବାଘ ଚମଡ଼ା, ନଖ ଜବତ ସୂଚାଇ ଦେଉଛି ଯେ କେନ୍ଦୁଝର ଜିଲ୍ଲାରେ ବାଘ ଶିକାର ଚାଲିଛି। କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସରକାରୀ ଭାବେ ଜଣାଯାଇଛି ଯେ ଚାରିମାସ ମଧ୍ୟରେ ଦୁଇଦୁଇଟି ବାଘଙ୍କୁ ହତ୍ୟା କରାଯାଇଛି। ହେଲେ କୌତୂହଳର ବିଷୟ ହେଲା ବନ ବିଭାଗର ରିପୋର୍ଟ ଅନୁସାରେ ଜିଲ୍ଲାର କୌଣସି ଜଙ୍ଗଲରେ ବାଘ ନାହାନ୍ତି। ଏମିତି କେମିତି ହେବ? ଆହୁରି ସରଳ ଭାବେ କହିଲେ, ବନ ବିଭାଗ ସିନା ଗଣନା ବେଳେ ବାଘ ଖୋଜିପାଉନି; ଶିକାରୀଙ୍କୁ କିନ୍ତୁ ଜଣା ବାଘ ଠିକଣା।

Advertisment

publive-image WallpaperUP

ଗତ ମେ' ମାସରେ କେନ୍ଦୁଝର ଜିଲ୍ଲାରେ ଏକ ମହାବଳ ବାଘକୁ ହତ୍ୟା କରାଯାଇଥିଲା। ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଦେଓଗାଁ ରେଞ୍ଜର ରେବଣାପଳାଶପାଳ ପଞ୍ଚାୟତ ବୁଢ଼ୀପଦା ଗ୍ରାମରୁ ବାଘଛାଲ ଜବତ କରିବା ପରେ ଏହି ଘଟଣା ପଦାକୁ ଆସିଲା। ସେବେ ମୁଖ୍ୟ ଅଭିଯୁକ୍ତ ବୁଟୁ ମହାକୁଡ଼ଙ୍କ କହିବା କଥା ଥିଲା ଜଙ୍ଗଲରେ ତାଙ୍କର ଏକ ମଇଁଷିକୁ ବାଘ ମାରି ଦେଲା। ଏ ସଂପର୍କରେ ସେ ସମସ୍ତଙ୍କୁ ଜଣାଇଥିଲେ। ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଥିଲା। ତଥାପି ବନ ବିଭାଗ ସତର୍କ ହେଲାନି। ବାଘ ତାର ଶିକାରକୁ ଖାଇବା ପାଇଁ ପୁଣି ଆସିବା ବେଳେ ମଲା ମଇଁଷିରେ ବିଷ ଦେଇ ମହାବଳ ବାଘକୁ ସେ ହତ୍ୟା କରିଥିଲା। ମହାବଳ ବାଘର ଚମଡ଼ା ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ବନ ବିଭାଗ ଚଢ଼ଉ କରି ବାପା ଏବଂ ଦୁଇପୁଅଙ୍କୁ ଗିରଫ କରିବା ସହ ଚମଡ଼ା ଜବତ କରିଥିଲା।

publive-image Update Odisha

ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ ଅନ୍ତର୍ଗତ ବାର୍‌ହାଗଡ଼ କପ୍ତିଡିହା ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର ହୋଇଥିଲା। ଏହି ଗ୍ରାମର ବାବୁ ଜୁଆଙ୍ଗ (୨୮) ବାର୍‌ହା ଶିକାର ପାଇଁ ଫାଶ ବସାଇଥିବା ବେଳେ‌ ସେଥିରେ ଏକ କଲରାପତରିଆ ବାଘ ପଡ଼ିଥିଲା। ପରେ ତାକୁ ତୀର ମାରି ହତ୍ୟା କରାଯାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଠାରେ ବାଘ ଥିବା ନେଇ ବନ ବିଭାଗ ପାଖରେ କୌଣସି ସୂଚନା ନଥିଲା। ଶିକାରୀମାନେ ବାଘ ମାରି ମାଂସ ଖାଇବା ପରେ‌ ତାହାର ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା କଥା ପ୍ରଘଟ ହୋଇଥିଲା। ଏ ସମ୍ପର୍କରେ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ବନ ବିଭାଗ ୮ ଜଣଙ୍କୁ ଗିରଫ କରିଥିଲେ। ଗିରଫଙ୍କ ମଧ୍ୟରେ ୪ଜଣ କେନ୍ଦୁଝର ଜିଲ୍ଲାର ଥିଲେ। ଏହାପରେ ‌ବାଘ ସମ୍ପର୍କରେ ଖୋଳତାଡ଼ ହୋଇଥିଲେ ଅଧିକାରୀମାନଙ୍କୁ କିଛି ତଥ୍ୟ ମିଳି ନଥିଲା। ବରଂ କଲରାପତରିଆ ବାଘ ଶିକା‌ର ପରେ କେନ୍ଦୁଝର ବନ ବିଭାଗ ଏକାଧିକ ବାହାନା କରି ବାଘ ଶିକାର ଜନିତ ଦୋଷରୁ ବର୍ତ୍ତିବାକୁ ସମର୍ଥ ‌ହୋଇଥିଲା।

ଏଠାରେ ଉଲ୍ଲେଖଥାଉକି, କେନ୍ଦୁଝର ଜଙ୍ଗଲ‌ରେ ବାଘ ଥିବା ନେଇ ଅନେକ ସମୟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥାନ୍ତି। କିନ୍ତୁ ବନ ବିଭାଗ ଏଭଳି ସୂଚନାକୁ କେବେ ବି ଗୁରୁତ୍ବ ଦେଇନାହିଁ। ଜିଲ୍ଲାରେ ବାଘ ଗଣନା ହେଉଥିଲେ ବି ରିପୋର୍ଟରେ କୁହାଯାଏ ଯେ କେନ୍ଦୁଝର ଜଙ୍ଗଲରେ ବାଘ ନାହିଁ। ପ୍ରଶ୍ନ ଉଠୁଛି, ଯଦି କେନ୍ଦୁଝର ଜଙ୍ଗଲରେ ବାଘ ନାହିଁ ତେ‌ବେ ଯେଉଁ ଦୁଇଟି ବାଘ ଶିକାର ‌‌ହେଲେ ସେମାନେ କେଉଁଠୁ ଆସିଲେ?

publive-image Tierpark Berlin

ପୂର୍ବରୁ ୨୦୦୨ ମସିହାରେ ଶେଷଥର ପାଇଁ ତେଲକୋଇ ରେଞ୍ଜ କର୍ଲାପାଟ ସଂରକ୍ଷିତ ଜଙ୍ଗଲରେ ବାଘର ପାଦଚିହ୍ନ ଠାବ ହୋଇଥିବା ନେଇ ସୂଚନା ମିଳିଥିଲା। ପରେ କିନ୍ତୁ ଉକ୍ତ ବାଘ ସମ୍ପର୍କରେ କୌଣସି ଖୋଜଖବର ମିଳି ନ ଥିଲା। ସେହିପରି ୨୦୧୫ ମସିହାରେ ହଦଗଡ଼ ଜଙ୍ଗଲରେ ବାଘ ଥିବା ନେଇ ଖବର ମିଳିଥିଲା। ଏହି ବାଘଟି ଶିମିଳିପାଳରୁ ଆସିଥିବା ଚର୍ଚ୍ଚା ହେଉଥିଲା। ତାହାର ବି କୌଣସି ଖବର ମିଳି ନ ଥିଲା। ଏଭଳିସ୍ଥଲେ ଗତ ୪ମାସ ମଧ୍ୟରେ ଜିଲ୍ଲାରେ ଦୁଇଟି ବାଘ ଶିକାର ଖବର ବନ ବିଭାଗକୁ ସନ୍ଦେହର କାଠଗଡାକୁ ଟାଣିଆଣିଛି।

ଏ ସମ୍ପର୍କରେ ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ଅଜିତ ଶତପଥୀଙ୍କୁ ପଚାରିବାରୁ, ସାଧାରଣତଃ ଶିମିଳିପାଳରୁ କେ‌ବେ କେବେ ବାଘ ଆସିଥାନ୍ତି। ପୁଣି ସେମାନେ ଫେରିଯାଆନ୍ତି। ରେବଣାପଳାଶପାଳ ଜଙ୍ଗଲରେ ହତ୍ୟାର ଶିକାର ହୋଇଥିବା ମହାବଳ ବାଘଟି କେଉଁଠୁ ଆସିଥିଲା ତାହା ଏଯାଏ ଜଣାପଡ଼ି ନାହିଁ। ତାହାର ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ କେଉଁଠିକାର ବାଘ ଜଣାପଡ଼ିବ ବୋଲି ଡିଏଫ୍‌ଓ କହିଛନ୍ତି। ସେହିପରି ସବୁଥର ପରି ଏଥର ମଧ୍ୟ ଡିଏଫ୍‌ଓ କହିଛନ୍ତି କେନ୍ଦୁଝର ଜଙ୍ଗଲରେ ବାଘ ନାହିଁ।